ଛତିଶଗଡ଼: ଗୋଟିଏ ଦିନରେ ୨ ସାମ୍ବାଦିକଙ୍କ ଆତ୍ମହତ୍ୟା, ଜଗଦଲପୁରରେ ଜୀବନ ହାରିଲେ ସାମ୍ବାଦିକା

ଅମ୍ବିକାପୁରରେ ଫାସୀ ଲଗାଇ ଆତ୍ୱହତ୍ୟା କଲେ ସାମ୍ବାଦିକ

ରାୟପୁର: ଗଣମାଧ୍ୟମ ଶିଳ୍ପକୁ ଗୋଟିଏ ପରେ ଗୋଟିଏ ଦୁଃଖଦ ଖବର ଆସୁଛି। ପଡୋଶୀ ଛତିଶଗଡ଼ରେ ଶନିବାର ୨ଜଣ ସାମ୍ବାଦିକ ଆତ୍ମହତ୍ୟା କରିଛନ୍ତି। ରାଜ୍ୟର ଉତ୍ତର ଭାଗରେ ଆଜି ଜଣେ ପୁରୁଷ ସାମ୍ବାଦିକ ଆତ୍ମହତ୍ୟା କରିଥିବା ବେଳେ ଦକ୍ଷିଣ ଭାଗରେ ଜଣେ ମହିଳା ସାମ୍ବାଦିକା ଜୀବନ ହାରିଛନ୍ତି।

ରିପୋର୍ଟ ଅନୁସାରେ ଜଗଦଲପୁର ସହରର ପ୍ରତାପଗଞ୍ଜରେ ଏକ ଭଡ଼ା ଘରେ ରହି ଆସୁଥିବା ମହିଳା ସାମ୍ବାଦିକା ରେଣୁ ଅବସ୍ଥି ଅପରାହ୍ନରେ ଫାସୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟାର ପ୍ରକୃତ କାରଣ ଜଣାପଡ଼ି ନାହିଁ ବୋଲି ପୁଲିସ କହିଛି। ସୂଚନା ମିଳିବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ରେଣୁର ମୃତଦେହକୁ ଉଦ୍ଧାର କରିଛି।

କୁହାଯାଉଛି ଯେ, ରେଣୁ ଅବସ୍ଥି ପାଖାପାଖି ଅପରାହ୍ନ ୧ଟାରେ ନିଜେ ରହୁଥିବା ଭଡ଼ା ଘରେ ଫାସୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ପୁଲିସ ଶବ ଜବତ କରି ପୋଷ୍ଟମର୍ଟମ ପାଇଁ ହସ୍ପିଟାଲ ପଠାଇଛି। ଘଟଣାର ତଦନ୍ତ ଚାଲିଥିବା ବେଳେ ପ୍ରକୃତ କାରଣ ଜଣାପଡ଼ି ନାହିଁ। ରେଣୁ ଗତ ବର୍ଷ କୁଶାଭାଉ ଠାକରେ ସାମ୍ବାଦିକ ବିଶ୍ୱବିଦ୍ୟାଳୟରୁ ଉତ୍ତିର୍ଣ୍ଣ ହେବା ପରେ ଜଗଦଲପୁରରେ ରହି ଏକ ଖବରକାଗଜରେ କାମ କରୁଥିଲେ।

ଅନ୍ୟ ଏକ ଘଟଣାରେ ଆଜି ସକାଳୁ ଜଣେ ପୁରୁଷ ସାମ୍ବାଦିକ ଆତ୍ମହତ୍ୟା କରିଥିଲେ। ଅମ୍ବିକାପୁରର ଏକ ଘରୋଇ ଚେନାଲରେ କାର୍ଯ୍ୟରତ ସାମ୍ବାଦିକ ଶୈଳେନ୍ଦ୍ର ବିଶ୍ୱକର୍ମା ଫାସୀ ଲଗାଇ ଆତ୍ମହତ୍ୟା କରିଥିଲେ। ଆତ୍ମହତ୍ୟାର କାରଣ ଜଣାପଡ଼ି ନଥିଲା। ଶୈଳେନ୍ଦ୍ର ଅମ୍ବିକାପୁରସ୍ଥିତ କେଦାରପୁର ଗାଁରେ ରହୁଥିଲେ। ପୋଷ୍ଟମର୍ଟମ ରିପୋର୍ଟ ପରେ ଶବକୁ ପରିବାରର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ପୁଲିସ ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧିତ ଖବର