ପୃଥକ୍‌ ହୋଇ ଯାଇଛନ୍ତି ଛୋଟା ଶକିଲ୍‌ ଓ ଦାଉଦ୍‌: ଗୁଇନ୍ଦା

ମୁମ୍ବାଇ: ଗ୍ୟାଙ୍ଗ୍‌ଷ୍ଟର୍‌ ଦାଉଦ୍‌ ଇବ୍ରାହିମ୍‌ ଏବଂ ତାଙ୍କର ଦୀର୍ଘ ଦିନର ସହଯୋଗୀ ଛୋଟା ସକିଲ୍‌ ପରସ୍ପର ଠାରୁ ଦୂରେଇ ଯାଇଛନ୍ତି। ଅଶୀ ଦଶକରେ ମୁମ୍ବାଇ ଛାଡ଼ିବା ପରେ ଉଭୟ ବସବାସ କରୁଥିବା କରାଚିର କ୍ଲିଫ୍‌ଟନ୍‌ ଅଞ୍ଚଳରୁ ମଧ୍ୟ ଛୋଟା ସକିଲ୍‌ ପଳାଇ ଯାଇଛି। ଏବେ ସେ କୌଣସି ଅଜ୍ଞାତ ସ୍ଥାନରେ ଆତ୍ମ ଗୋପନ କରିଛି। ଏ ତଥ୍ୟ ପ୍ରକାଶ କରିଛି ଗୁଇନ୍ଦା ଏଜେନ୍‌ସି।

ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ଏହାର କାରଣ ବୋଲି ଜଣାପଡ଼ିଛି। ଗ୍ୟାଙ୍ଗ୍‌ର ବ୍ୟାପାରରେ ଦାଉଦ୍‌ର ସାନ ଭାଇ ଅନୀସ୍‌ ଇବ୍ରାହିମ୍‌ର ହସ୍ତକ୍ଷେପ ଯୋଗୁଁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଦାଉଦ୍‌ର ଡାହଣ ହାତ ଭାବେ ଗତ ତିନି ଦଶନ୍ଧି ହେବ ଗ୍ୟାଙ୍ଗ୍‌ ପରିଚାଳନାରେ ଶକିଲ୍‌ ମୁଖ୍ୟ ଭୂମିକା ଗ୍ରହଣ କରୁଥିଲେ ସୁଦ୍ଧା ବଡ଼ଭାଇଙ୍କ ସହ ପାକିସ୍ତାନରେ ବାସ କରୁଥବା ଅନୀସ୍‌ ଅନେକ ଥର ପଡ଼ପଣିଆ ଦେଖାଇବାକୁ ଉଦ୍ୟମ କରିଛି। କୌଣସି ମାମଲାରେ ହସ୍ତକ୍ଷେପ ନ କରିବା ନିମନ୍ତେ ଦାଉଦ୍‌ ତାଙ୍କର ସାନଭାଇକୁ ସ୍ପଷ୍ଟ ଭାବେ କହିବା ସତ୍ତ୍ୱେ ଅନୀସ୍‌ ତାହା ମାନି ନ ଥିଲା। ଫଳତଃ, ଦାଉଦ୍‌ ଓ ଶକୀଲ୍‌ଙ୍କ ମଧ୍ୟରେ ବଚସା ହୋଇଥିଲା ଏବଂ ପରେ ସେ ଦାଉଦ୍‌ଙ୍କ ଠାରୁ ଦୂରେଇ ଯାଇଛନ୍ତି।

ଦୁବାଇ ଠାରେ ଥିବା ଶକୀଲ୍‌ଙ୍କ ଘନିଷ୍ଠ ସହଯୋଗୀଙ୍କ ଠାରୁ ପ୍ରକାଶ ଯେ ନିକଟରେ ପୂର୍ବ ଏସୀୟ ଦେଶଗୁଡ଼ିକରେ ଥିବା କେତେକ ସହଯୋଗୀଙ୍କ ସହ ସେ ଏକ ବୈଠକ କରିଥିଲେ।

ପାକିସ୍ତାନର ଇଣ୍ଟର୍‌ ସର୍ଭିସେସ୍‌ ଇଣ୍ଟେଲିଜେନ୍‌ସ୍‌ ଏବେ ଉଭୟଙ୍କ ମଧ୍ୟରେ ମିଳାମିଶା କରାଇବାକୁ ଉଦ୍ୟମ କରୁଛି। ଦାଉଦ୍‌ ଏବଂ ଶକୀଲ୍‌ଙ୍କ ମଧ୍ୟରେ ବିଭେଦ ରହିଲେ ଆତଙ୍କବାଦୀ କାର୍ଯ୍ୟକଳାପ ସମେତ ପାକିସ୍ତାନର ଭାରତ ବିରୋଧୀ କାର୍ଯ୍ୟକଳାପରେ ବାଧା ଉପୁଜି ପାରେ ପାକିସ୍ତାନ ଆଶଙ୍କା କରୁଛି। ଦାଉଦ୍‌ ଗ୍ୟାଙ୍ଗ୍‌ଙ୍କ ସହାୟତାରେ ପାକିସ୍ତନା ୧୯୯୩ରେ ମୁମ୍ବାଇରେ ବିସ୍ଫୋରଣ ଘଟାଇଥିଲା। ଏହି ମାମଲାରେ ଶକୀଲ ଅନ୍ୟତମ ଅଭିଯୁକ୍ତ।

ଏ ପର୍ଯ୍ୟନ୍ତ ଦାଉଦ୍‌ ଏବଂ ଶକୀଲ୍‌ଙ୍କ ମନାନ୍ତର ପ୍ରସଙ୍ଗ ମୁମ୍ବାଇ, ପାକିସ୍ତାନ ଏବଂ ଦୁବାଇରେ ଥିବା ଅତି ମୁଷ୍ଠିମେୟ ଭିତିରି ସଦସ୍ୟଙ୍କୁ ମାଲୁମ।

ସମ୍ବନ୍ଧିତ ଖବର