ନୂଆଦିଲ୍ଲୀ : ଆଜି ରାତିରେ ଏକ ନାଟକୀୟ ଘଟଣାକ୍ରମେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା କଂଗ୍ରେସ ନେତା ପି. ଚିଦମ୍ବରମଙ୍କୁ ସିବିଆଇ ତାଙ୍କ ବାସଭବନରୁ ଗିରଫ କରିଛି। ଆଇଏନ୍ଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଦିଲ୍ଲୀ ହାଇକୋର୍ଟ ଆଗୁଆ ଜାମିନ ଦେବାକୁ ମନା କରିଦେବା ପରେ ଚିଦମ୍ବରମ ଗତକାଲି ଠାରୁ ଉଭାନ ହୋଇଯାଇଥିଲେ। ଦୀର୍ଘ ୨୭ ଘଣ୍ଟା ପରେ ଚିଦମ୍ବରମ ଆଜି ରାତି ୮ଟା ୧୦ ମିନିଟ୍ରେ ଅଚାନକ କଂଗ୍ରେସ ମୁଖ୍ୟାଳୟରେ ଆବିର୍ଭାବ ହୋଇଥିଲେ। ସେଠାରେ ସେ ଏକ ସାମ୍ବାଦିକ ସମ୍ମିଳନୀ କରୁଥିବା ବେଳେ ସିବିଆଇ ଅଧିକାରୀମାନେ ପହଂଚିଥିଲେ। କଂଗ୍ରେସ ଅଫିସରୁ ଚିଦମ୍ବରମ ଘରକୁ ଫେରୁଥିବା ବେଳେ ସିବିଆଇ ଅଧିକାରୀମାନେ ତାଙ୍କର ପିଛା କରିଥିଲେ। ସେ ଘରେ ପହଂଚିବା ପରେ ଗେଟ୍ ବନ୍ଦ ହୋଇଯାଇଥିଲା। ଏହା ଦେଖି ସିବିଆଇ ଅଧିକାରୀମାନେ କାନ୍ଥ ଡେଇଁ ଚିଦମ୍ବରମଙ୍କ ଘରେ ପଶିଥିଲେ। ସେମାନଙ୍କ ସହିତ ପ୍ରବର୍ତନ ନିର୍ଦେଶାଳୟ ବା ଇଡି ଅଧିକାରୀମାନେ ମଧ୍ୟ ପହଂଚିଥିଲେ। ଘର ଭିତରେ ଚିଦମ୍ବରମଙ୍କୁ ସେମାନେ କିଛି ସମୟ ଜେରା କରିଥିଲେ। ଏହାପରେ କାରରେ ବସାଇ ତାଙ୍କୁ ସିବିଆଇ ମୁଖ୍ୟାଳୟକୁ ନିଆଯାଇଥିଲା।
ଗିରଫଦାରୀ ପୂର୍ବରୁ ଚିଦମ୍ବରମଙ୍କ ବାସଭବନ ସମ୍ମୁଖରେ ଉତ୍ତେଜନା ପ୍ରକାଶ ପାଇଥିଲା। କଂଗ୍ରେସ ସମର୍ଥକମାନେ ହଙ୍ଗାମା କରିବାରୁ ପୁଲିସକୁ ଡକାଯାଇଥିଲା। କଂଗ୍ରେସ କର୍ମୀ ଓ ପୁଲିସ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା।
ଦିଲ୍ଲୀ ହାଇକୋର୍ଟ ଜାମିନ ଖାରଜ କରିବା ପରେ ସିବିଆଇ ଗତକାଲି ଠାରୁ ଚିଦମ୍ବରମଙ୍କୁ ଖୋଜୁଥିଲା। ତାଙ୍କ ବିରୋଧରେ ଇଡି ଏବଂ ସିବିଆଇ ଲୁକ୍ଆଉଟ୍ ନୋଟିସ୍ ଜାରି କରିଥିଲେ। ଦେଶର ସମସ୍ତ ବିମାନ ବନ୍ଦର ଏବଂ ଇମିଗ୍ରେସନ କାଉଣ୍ଟରକୁ ଚିଦମ୍ବରମଙ୍କ ସଂପର୍କରେ ଆଲର୍ଟ କରିଦିଆଯାଇଥିଲା। ଚିଦମ୍ବରମଙ୍କୁ ଆଜି ସୁପ୍ରିମ୍ କୋର୍ଟରୁ ମଧ୍ୟ କୌଣସି ଆଶ୍ବସ୍ତି ମିଳିନଥିଲା। ତାଙ୍କର ଆଗୁଆ ଜାମିନ ଆବେଦନକୁ ଆଜି ଜରୁରୀ ଶୁଣାଣି ପାଇଁ କୋର୍ଟ ଗ୍ରହଣ କରିନଥିବା ବେଳେ ଏ ବାବଦରେ ଆସନ୍ତା ଶୁକ୍ରବାର ୨୩ ତାରିଖ ଦିନ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି। ଗତକାଲି ଅପରାହ୍ନରୁ ନିଖୋଜ ହୋଇଯାଇଥିବା ଚିଦମ୍ବରମଙ୍କୁ ଗିରଫ କରିବା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏବଂ ସିବିଆଇ ଆଜି ରାତି ପର୍ଯ୍ୟନ୍ତ ପ୍ରୟାସ କରିଥିବା ବେଳେ ଚିଦମ୍ବରମ ଅଚାନକ କଂଗ୍ରେସ କାର୍ଯ୍ୟାଳୟରେ ହାଜର ହୋଇ ସମସ୍ତଙ୍କୁ ଚମକାଇ ଦେଇଥିଲେ।
ସାମ୍ବାଦିକ ସମ୍ମିଳନୀରେ ଚିଦମ୍ବରମ ନିଜକୁ ନିର୍ଦ୍ଦୋଷ ବୋଲି କହିଥିଲେ। ଏହାପରେ ସେ ତାଙ୍କ ବିରୋଧରେ ଏବଂ ପରିବାର ବିରୋଧରେ ଆଇଏନ୍କ୍ସ ମିଡିଆ ଦୁର୍ନୀତି ମାମଲାରେ କୌଣସି ଚାର୍ଜସିଟ୍ ନାହିଁ ବୋଲି କହିଥିଲେ। ଗଣତନ୍ତ୍ରର ଆଧାର ସ୍ବାଧୀନତା ଉପରେ ନିର୍ଭର କରୁଛି ଏବଂ ମୁଁ ଜୀବନ ଅପେକ୍ଷା ସର୍ବଦା ସ୍ବାଧୀନତାକୁ ପସନ୍ଦ କରୁଛି ବୋଲି କହିଥିଲେ। ଏହାପରେ ଚିଦମ୍ବରମ ଜୋର୍ବାଗ ସ୍ଥିତ ତାଙ୍କ ବାସଭବନକୁ ଯାଇଥିଲେ। ସେଠାରେ ପୂର୍ବରୁ ଉପସ୍ଥିତ ଥିବା ସିବିଆଇ ଏବଂ ଇଡି ଟିମ୍ ଚିଦମ୍ବରମକୁ ଗିରଫ କରିଥିଲେ।
ଚିଦମ୍ବରମଙ୍କୁ ଗିରଫଦାରୀରୁ ରକ୍ଷା କରିବା ପାଇଁ କଂଗ୍ରେସ ନେତା ତଥା ସୁପ୍ରିମ୍ କୋର୍ଟର ବରିଷ୍ଠ ଆଇନଜୀବୀ ସଲମାନ ଖୁର୍ସିଦ, ଅଭିଷେକ ମନୁ ସିଂଘଭି ଏବଂ କପିଲ ସିବଲ୍ ଜୋର୍ଦାର ପ୍ରୟାସ ଜାରି ରଖିଥିଲେ। ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ସାଧାରଣ ସଂପାଦକ ପ୍ରିୟଙ୍କା ଗାନ୍ଧୀ କହିଛନ୍ତି, ସରକାର ପ୍ରତିଶୋଧ ପରାୟଣ ହୋଇ ଚିଦମ୍ବରମଙ୍କ ପଛରେ ଲାଗିଛନ୍ତି। ତାଙ୍କୁ ଗିରଫ କରିବା ପାଇଁ କ୍ଷମତାର ଅପବ୍ୟବହାର କରାଯାଉଛି ବୋଲି ଉଭୟ ରାହୁଲ ଓ ପ୍ରିୟଙ୍କା ମତ ଦେଇଥିବା ବେଳେ ବିଜେପି ଏହାକୁ ଖଣ୍ଡନ କରିଛି। ବରିଷ୍ଠ କଂଗ୍ରେସ ନେତା ଶଶି ଥରୁର୍ କହିଛନ୍ତି ଯେ ସରକାର ରାଜନୈତିକ ପ୍ରତିଶୋଧ ନେବା ପାଇଁ ଚିଦମ୍ବରଙ୍କ ବିରୋଧରେ ସିବିଆଇ ଏବଂ ଇଡିକୁ ଲଗାଇଛନ୍ତି।
ତେବେ ‘ଚିଦମ୍ବରମ ଆର୍ଥିକ ଅପରାଧରେ ସଂପୃକ୍ତ ଏବଂ ସେ ବିଜୟ ମାଲ୍ୟା ଏବଂ ନିରବ ମୋଦୀଙ୍କ ଭଳି ପଳାତକ ଅପରାଧୀ ଶ୍ରେଣୀର’ ବୋଲି ବିଜେପି ନେତା ଜିଭିଏଲ୍ ନରସିଂହ ରାଓ କହିଛନ୍ତି। ପର୍ଯ୍ୟାପ୍ତ ପ୍ରମାଣ ଏବଂ ଅନ୍ୟ ଅଭିଯୁକ୍ତମାନଙ୍କ ଜେରା ଆଧାରରେ ଅଦାଲତ ଦେଇଥିବା ରାୟକୁ କଂଗ୍ରେସ ଗ୍ରହଣ କରିବାକୁ ହେବ ବୋଲି ଜିଭିଏଲ୍ କହିଛନ୍ତି।
ଦିଲ୍ଲୀ ହାଇକୋର୍ଟ ଗତକାଲି ଚିଦମ୍ବରମଙ୍କ ଆଗୁଆ ଜାମିନ ଆବେଦନ ଖାରଜ କରି ତାଙ୍କ ବିରୋଧରେ ପର୍ଯ୍ୟାପ୍ତ ପ୍ରମାଣ ରହିଥିବା କହିଥିଲେ। ଏହା ପରଠାରୁ ଚିଦମ୍ବରମଙ୍କ ଫୋନ୍ ସ୍ବିଚ୍ ଅଫ୍ ହୋଇଯାଇଥିଲା ଏବଂ ତାଙ୍କର ଅବସ୍ଥିତି ନେଇ କୌଣସି ପତ୍ତା ମିଳିନଥିଲା।
ଇତିମଧ୍ୟରେ ଆଜି ସିବିଆଇ ପକ୍ଷରୁ କୁହାଯାଇଛି ଯେ ଚିଦମ୍ବରମଙ୍କୁ ଗିରଫ କରାଯାଇଛି। ରାତିସାରା ଜେରା ପରେ କାଲି ତାଙ୍କୁ କୋର୍ଟରେ ହାଜର କରାଯିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/08/chidambram-ffa.jpg)