ଇଡି ମାମଲାରେ ଚିଦମ୍ବରମଙ୍କୁ ଆଶ୍ବସ୍ତି, ସିବିଆଇ ମାମଲାରେ ଗିରଫଦାରି କାଏମ

ନୂଆଦିଲ୍ଲୀ: କଂଗ୍ରେସ ନେତା ତଥା ପୂର୍ବ କେନ୍ଦ୍ରମନ୍ତ୍ରୀ ପି ଚିଦମ୍ବରମଙ୍କୁ ଆଜି ସୁପ୍ରିମ୍‌ କୋର୍ଟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ବାରା ରୁଜୁ ମାମଲାରେ ଆଶ୍ବସ୍ତି ମିଳିଛି। ଆଇଏନ୍‌ଏକ୍ସ ମିଡିଆ ଦୁର୍ନୀତିରେ ଇଡି ଦ୍ବାରା ରୁଜୁ ହୋଇଥିବା ମାମଲାରେ ଚିଦମ୍ବରମଙ୍କୁ ସୋମବାର ପର୍ଯ୍ୟନ୍ତ ଗିରଫ କରାଯାଇ ପାରିବ ନାହିଁ ବୋଲି କୋର୍ଟ କହିଥିବା ବେଳେ ସିବିଆଇ ମାମଲାରେ ଗିରଫଦାରିକୁ କାଏମ ରଖିଛନ୍ତି। ତେଣୁ ଚିଦମ୍ବରମଙ୍କୁ ହାଜତରେ ହିଁ ରହିବାକୁ ହେବ। ଚିଦମ୍ବରମଙ୍କୁ ୨୬ ଅଗଷ୍ଟ ପର୍ଯ୍ୟନ୍ତ ଜେରା କରିବା ପାଇଁ ସିବିଆଇ ହାଜତକୁ ପଠାଇ ଦିଆଯାଇଛି । ଜଷ୍ଟିସ୍ ଆର୍‌. ଭାନୁମତି ଏବଂ ଜଷ୍ଟିସ୍‌ ଏଏସ୍‌ ବୋପନ୍ନାଙ୍କ ଖଣ୍ଡପୀଠ ଉଭୟ ମାମଲାରେ ସୋମବାର ଶୁଣାଣି କରିବାକୁ ଧାର୍ଯ୍ୟ କରିଛନ୍ତି। ଆଜି ଶୁଣାଣି ବେଳେ ଚିଦମ୍ବରମଙ୍କ ଓକିଲ କପିଲ ସିବଲ ଏବଂ ଅଭିଷେକ ମନୁ ସିଂଘବୀଙ୍କ ସହ ସଲିସିଟର ଜେନେରାଲ ତୁଷାର ମେହେଟାଙ୍କ ପ୍ରବଳ ଯୁକ୍ତିତର୍କ ହୋଇଥିଲା।

ମନି ଲଣ୍ଡ୍ରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ବାରା ଦାଖଲ ହୋଇଥିବା ମାମଲାରେ ଚିଦମ୍ବରମଙ୍କୁ ଅନ୍ତରୀଣ ଜାମିନ ଦେବାକୁ ସଲିସିଟର ଜେନେରାଲ ଦୃଢ଼ ବିରୋଧ କରିଥିଲେ। ଉଭୟ ସିବିଆଇ ଏବଂ ଇଡି ଜେରା ସମୟରେ ଚିଦମ୍ବରମ୍‌ ଆଦୌ ସହଯୋଗ କରିନଥିବାରୁ ତାଙ୍କୁ କୌଣସି ସ୍ଥିତିରେ ବି ଜାମିନ ମିଳିବା ଉଚିତ ନୁହେଁ ବୋଲି ସେ କହିଥିଲେ। ତେବେ ସିବଲ ଏବଂ ସିଂଘବୀ ଏହାକୁ ବିରୋଧ କରି କହିଥିଲେ ଯେ ଚିଦମ୍ବରମଙ୍କ ବିରୋଧରେ ସିବିଆଇ କିମ୍ବା ଇଡି ନିକଟରେ କୌଣସି ପ୍ରମାଣ ନାହିଁ। ଏହି ଗିରଫଦାରି ବେଆଇନ ବୋଲି ସେମାନେ ଯୁକ୍ତି କରିଥିଲେ। ଏହି ଦୁର୍ନୀତି ମାମଲାରେ ଆଗୁଆ ଜାମିନ ଆବେଦନ ଦିଲ୍ଲୀ ହାଇକୋର୍ଟରେ ଖାରଜ ହେବାପରେ ଚିଦମ୍ବରମ ଏହାକୁ ସୁପ୍ରିମ୍‌ କୋର୍ଟରେ ଚ୍ୟାଲେଂଜ କରିଥିଲେ।
ମେ’ ୧୫, ୨୦୧୭ରେ ଆଇଏନ୍‌ଏକ୍ସ ମିଡିଆରେ ୩୦୫ କୋଟି ଟଙ୍କାର ବିଦେଶୀ ପାଣ୍ଠି ନିବେଶ ପାଇଁ ମିଳିଥିବା ଏଫ୍‌ଆଇପିବି ମଂଜୁରିରେ ଅନିୟମିତତା ହୋଇଥିବା ଅଭିଯୋଗରେ ସିବିଆଇ ଚିଦମ୍ବରମଙ୍କ ବିରୋଧରେ ଏଫ୍‌ଆଇର ରୁଜୁ କରିଥିଲା।

ମଧ୍ୟରାତ୍ରୀ ପର୍ଯ୍ୟନ୍ତ ଜେରା, ଘରୁ ଆସିଥିଲା ଖାଦ୍ୟ ଓ ପୋଷାକ
ନୂଆଦିଲ୍ଲୀ: ଆଇଏନ୍‌ଏକ୍ସ ମିଡିଆ ଦୁର୍ନୀତି ମାମଲାରେ ସିବିଆଇ ଦ୍ବାରା ଗିରଫ ହୋଇଥିବା ପୂର୍ବ ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି. ଚିଦମ୍ବରମ ଗୁରୁବାର ରାତି ହାଜତରେ କଟାଇଛନ୍ତି। ଗତକାଲି ଦିଲ୍ଲୀର ରାଉଜ୍‌ ଆଭେନ୍ୟୁ କୋର୍ଟ ତାଙ୍କୁ ୨୬ ଅଗଷ୍ଟ ପର୍ଯ୍ୟନ୍ତ ସିବିଆଇ ରିମାଣ୍ଡରେ ପଠାଇ ଦେଇଥିଲେ। ସିବିଆଇ ଅଧିକାରୀମାନେ ଚିଦମ୍ବରମଙ୍କୁ ରାତି ସାଢ଼େ ୧୨ଟା ପର୍ଯ୍ୟନ୍ତ ଜେରା କରିଥିଲେ। ଏଫ୍‌ଆଇପିବି ମଂଜୁରି, ଆଇଏନ୍‌ଏକ୍ସ ମିଡିଆକୁ ମିଳିଥିବା ବିଦେଶୀ ପୁଂଜି ଲଗାଣ ଅନୁମତି ନେଇ ତାଙ୍କୁ ଜେରା ହୋଇଥିଲା। ଜେରା ପରେ ତାଙ୍କୁ ଡିନର୍‌ ଦିଆଯାଇଥିଲା। ତାଙ୍କ ପାଇଁ ଖାଦ୍ୟ ଓ ପୋଷାକ ଘରୁ ଆସିଥିଲା। ଆଜି ମଧ୍ୟ ଆଇଏନ୍‌ଏକ୍ସ ମିଡିଆରେ ୩୫୦ କୋଟି ଟଙ୍କାର ବେଆଇନ ପୁଂଜି ନିବେଶ ସଂପର୍କରେ ଚିଦମ୍ବରମଙ୍କୁ ଜେରା ହୋଇଥିଲା।

ସମ୍ବନ୍ଧିତ ଖବର