ସିବିଆଇ ରିମାଣ୍ଡରେ ଚିଦମ୍ବରମ : ୨୬ ପର୍ଯ୍ୟନ୍ତ ରିମାଣ୍ଡ ପାଇଁ କୋର୍ଟଙ୍କ ଅନୁମତି, ପ୍ରତିଦିନ ଭେଟିପାରିବେ ଓକିଲ ଓ ପରିବାର

ନୂଆଦିଲ୍ଲୀ : ଆଇଏନ୍‌ଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପି. ଚିଦମ୍ବରମଙ୍କୁ ୫ ଦିନ ପାଇଁ ରିମାଣ୍ଡରେ ନେବାକୁ ଅଦାଲତ ଆଜି ସିବିଆଇକୁ ଅନୁମତି ଦେଇଛନ୍ତି। ଗତ (ବୁଧବାର) ରାତିରେ ଅତ୍ୟନ୍ତ ନାଟକୀୟ ଭାବେ ଚିଦମ୍ବରମଙ୍କୁ ତାଙ୍କ ବାସଭବନରୁ ସିବିଆଇ ଗିରଫ କରିଥିଲା ଏବଂ ଆଜି ତାଙ୍କୁ ଦିଲ୍ଲୀ ରାଉଜ୍‌ ଆଭେନ୍ୟୁ ଅଦାଲତରେ ହାଜର କରାଯାଇଥିଲା। ସ୍ବତନ୍ତ୍ର ବିଚାରପତି ଅଜୟ କୁମାର କୁହାଡ଼ଙ୍କ ଅଦାଲତରେ ଶୁଣାଣି ସମୟରେ ପି. ଚିଦମ୍ବରମଙ୍କ ଓକିଲ କପିଲ ସିବଲ ଅନେକ ତର୍କ ଏବଂ ଦଲିଲ ଉପସ୍ଥାପନ କରିଥିଲେ, କିନ୍ତୁ ଏହା କାମ ଦେଇନଥିଲା । ଶୁଣାଣି ଶେଷ ହେବା ପରେ ଚିଦମ୍ବରମଙ୍କୁ ୨୬ ଅଗଷ୍ଟ ପର୍ଯ୍ୟନ୍ତ ସିବିଆଇ ରିମାଣ୍ଡରେ ନେବାକୁ ବିଚାରପତି ଅନୁମତି ଦେଇଥିଲେ। ଚିଦମ୍ବରମଙ୍କୁ ତାଙ୍କର ଆଇନଜୀବୀ ଏବଂ ପରିବାର ସଦସ୍ୟ ପ୍ରତିଦିନ ୩୦ ମିନିଟ୍‌ ପର୍ଯ୍ୟନ୍ତ ଭେଟି ପାରିବେ ବୋଲି କୋର୍ଟ ଅନୁମତି ଦେଇଛନ୍ତି। ସିବିଆଇ ଦ୍ବାରା ଉପସ୍ଥାପନ କରାଯାଇଥିବା ତଥ୍ୟ ଏବଂ ବର୍ତ୍ତମାନର ସ୍ଥିତିକୁ ଦେଖି ତାଙ୍କୁ ହାଜତରେ ରଖାଯିବା ଯଥାର୍ଥ ବୋଲି ବିଚାରପତି କହିଥିଲେ।

ଶୁଣାଣି ସମୟରେ ସିବିଆଇ କୋର୍ଟରେ କେସ୍‌ ଡାଏରି ମଧ୍ୟ ଦାଖଲ କରିଥିଲା। ସିଲିସିଟର ଜେନେରାଲ ତୁ‌ଷାର ମେହେଟା ଚିଦମ୍ବରମଙ୍କ ପାଇଁ ୫ ଦିନ ରିମାଣ୍ଡ ମାଗି କହିଥିଲେ ଯେ ସେ ତଦନ୍ତରେ ସହଯୋଗ କରୁନଥିବାରୁ ଜେରା ପାଇଁ ରିମାଣ୍ଡ ଜରୁରି ହୋଇପଡ଼ିଛି । ଚିଦମ୍ବରମଙ୍କ ପକ୍ଷ ରଖି କପିଲ ସିବଲ କହିଥିଲେ, ମାମଲାରେ ଅନ୍ୟ ଅଭିଯୁକ୍ତଙ୍କୁ ଜାମିନ ମିଳି ସାରିଛି। ଏଫ୍‌ଆଇପିବି ମଂଜୁରି ୬ ଜଣ ସରକାରୀ ସଚିବ ଦେଇଥିଲେ ଏବଂ ସିବିଆଇ ସେମାନଙ୍କ ମଧ୍ୟରୁ କାହାକୁ ମଧ୍ୟ ଗିରଫ କରିନାହିଁ। ଏହି ମାମଲାରେ ଯାଞ୍ଚ ସଂପୂର୍ଣ୍ଣ ହୋଇସାରିଛି ଏବଂ ଡ୍ରାଫ୍‌ଟ ପ୍ରସ୍ତୁତ ହୋଇସାରିଥିବାରୁ ତାଙ୍କୁ ଜାମିନ ମିଳିବା ଆବଶ୍ୟକ ବୋଲି ସେ ଦୃଢ଼ ଯୁକ୍ତି କରିଥିଳେ। ସିବିଆଇ ଏବଂ ଇଡି ଦ୍ବାରା ଜେରାପାଇଁ ଯେବେ ବି ଡକା ଯାଇଛି ଚିଦମ୍ବରମ ଏହାକୁ ଗ୍ରହଣ କରି ସଂପୂର୍ଣ୍ଣ ସହଯୋଗ କରିଛନ୍ତି। ଏହା ସତ୍ତ୍ବେ ସିବିଆଇ ଅସହଯୋଗ କଥା ଉଠାଇ ବିଭ୍ରାନ୍ତି କରୁଛି ବୋଲି ସେ କହିଥିଲେ। ଚିଦମ୍ବରମଙ୍କ ଅନ୍ୟ ଓକିଲ ଅଭିଷେକ ମନୁ ସିଂଘବି କହିଥିଲେ ଯେ ସିବିଆଇ ଚିଦମ୍ବରମଙ୍କୁ ଗିରଫ କରିବା ପାଇଁ ଅନାବଶ୍ୟକ ତତ୍ପରତା ଦେଖାଇଛି ଏବଂ ଏଥିପାଇଁ ଭୁଲ୍‌ ରାସ୍ତା ଆପଣାଇଛି। ଚିଦମ୍ବରମ ଯାହା ସତ୍ୟ ତାହା ଜେରା ବେଳେ କହିଥିଲେ ମଧ୍ୟ ସିବିଆଇ ଏହାକୁ ଗ୍ରହଣ ନକରି ନିଜ ମନ ମୁତାବକ ଉତ୍ତର ଚାହୁଛି ବୋଲି ସେ କହିଥିଲେ। ଚିଦମ୍ବରମଙ୍କୁ ଅଦାଲତରେ ତାଙ୍କ ପକ୍ଷ ରଖିବାକୁ ସୁଯୋଗ ମିଳିବା ଉଚିତ ବୋଲି ସେ ଯୁକ୍ତି ଦର୍ଶାଇଥିଲେ। ଏହାପରେ ସଲିସିଟର ଜେନେରାଲଙ୍କ ବିରୋଧ ସତ୍ତ୍ବେ ଅଦାଲତ ଚିଦମ୍ବରମଙ୍କୁ ନିଜ ପକ୍ଷ ରଖିବାକୁ ଅନୁମତି ଦେଇଥିଲେ। ଚିଦମ୍ବରମ କହିଥିଲେ ଯେ ସିବିଆଇର ପ୍ରତ୍ୟେକଟି ପ୍ରଶ୍ନର ଜବାବ ମୁଁ ଦେଇଛି ଏବଂ କୌଣସି ଗୋଟିଏ ପ୍ରଶ୍ନକୁ ମଧ୍ୟ ଏଡ଼ାଇ ନାହିଁ। ବିଦେଶରେ ମୋର କୌଣସି ବ୍ୟାଙ୍କ୍‌ ଖାତା ନାହିଁ ଏବଂ ମୋ ପୁଅର ଖାତା ରହିଥିବା ମୁଁ କହିସାରିଛି ବୋଲି ସେ କହିଥିଲେ।

ତେବେ ସିବିଆଇ ପକ୍ଷରୁ ଏହାକୁ ଦୃଢ଼ ବିରୋଧ କରାଯାଇଥିଲା। ଚିଦମ୍ବରମ ଜେରାରେ ଆଦୌ ସହଯୋଗ କରିନାହାନ୍ତି ଏବଂ ଏକ ବଡ଼ ଧରଣର ଷଡ଼ଯନ୍ତ୍ରର ପର୍ଦ୍ଦାଫାସ କରିବା ପାଇଁ ତାଙ୍କର ରିମାଣ୍ଡ ଜରୁରି ବୋଲି ସିବିଆଇ ପକ୍ଷରୁ ଅନେକ ତର୍କ ଉପସ୍ଥାପନ କରାଯାଇଥିଲା। ଆଜି କୋର୍ଟରେ ଶୁଣାଣି ବେଳେ ଚିଦମ୍ବରମଙ୍କ ପତ୍ନୀ ନଳିନୀ ଏବଂ ପୁଅ କାର୍ତ୍ତି ମଧ୍ୟ ସେଠାରେ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ, ଚିଦମ୍ବରମଙ୍କ ବିରୋଧ ଆଇଏନ୍‌ଏକ୍ସ ମିଡିଆରେ ବେଆଇନ ଭାବେ ୩୦୫ କୋଟି ଟଙ୍କା ପୁଂଜି ଲଗାଣ ମାମଲାରେ ମେ ୧୫, ୨୦୧୭ରେ ମାମଲା ରୁଜୁ ହୋଇଥିଲା। ୨୦୦୭ରେ ଚିଦମ୍ବରମ ଅର୍ଥମନ୍ତ୍ରୀ ଥିବା ବେଳେ ବିପୁଳ ଅର୍ଥ ଲାଞ୍ଚ ଗ୍ରହଣ କରି କରି ବିଦେଶୀ ପୁଂଜି ନିବେଶକୁ ଅନୁମତି ଦେଇଥିଲେ ବୋଲି ସିବିଆଇ ଏବଂ ଇଡିର ତଦନ୍ତ ରିପୋର୍ଟରେ କୁହାଯାଇଛି ।

ସମ୍ବନ୍ଧିତ ଖବର