ଚିଦମ୍ବରମଙ୍କ ବୟାନକୁ ନେଇ ବିବାଦ

ଚେନ୍ନାଇ : ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପ୍ରସଙ୍ଗରେ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଚିଦମ୍ବରମ୍ ଏକ ବୟାନ ଦେଇଛନ୍ତି। ସେ କହିଛନ୍ତି, ଜମ୍ମୁ କଶ୍ମୀର ହିନ୍ଦୁ ବହୁଳ ରାଜ୍ୟ ହୋଇଥିଲେ ତାହାଠାରୁ ବିଜେପି ସରକାର ସ୍ବତନ୍ତ୍ର ମାନ୍ୟତା ଛଡ଼ାଇ ନେଇ ନଥାନ୍ତା। ବାହୁ ବଳରେ ବିଜେପି ସରକାର କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିନେଇଛି। କଶ୍ମୀରରେ ଅସ୍ଥିରତା ଲାଗି ରହିଛି। ଅନ୍ତର୍ଜାତୀୟ ଗଣମାଧ୍ୟମ ଏହାର ରିପୋର୍ଟ କରୁଛନ୍ତି। କିନ୍ତୁ ବିଜେପି ଦାବି କରୁଛି କଶ୍ମୀରରେ ସ୍ଥିତି ସ୍ବାଭାବିକ ରହିଛି। ଭାରତୀୟ ଗଣମାଧ୍ୟମ ଯଦି କଶ୍ମୀରର ଅସ୍ଥିରତା ସମ୍ପର୍କରେ ରିପୋର୍ଟ ନକରନ୍ତି ତାହେଲେ ସେଠାରେ କ’ଣ ସ୍ଥିତି ସ୍ବାଭାବିକ ରହିଛି କି ବୋଲି ଚିଦମ୍ବରମ୍ ପ୍ରଶ୍ନ କରିଛନ୍ତି।

୭ଟି ରାଜ୍ୟରେ ଶାସନ କରୁଥିବା ଆଞ୍ଚଳିକ ଦଳ ଭୟରେ ଏ ପ୍ରକାର ଉଦ୍ୟମକୁ ବିରୋଧ କରି ନଥିଲେ ବୋଲି ଚିଦମ୍ବରମ କହିଛନ୍ତି। ଏଆଇଏଡିଏ‌ମକେ, ୱାଇଏସଆରସିପି, ଟିଆରଏସ, ବିଜେଡି, ଆପ୍‌, ଟିଏମ୍‌ସି ଏବଂ ଜେଡି(ୟୁ) କଂଗ୍ରେସକୁ ରାଜ୍ୟସଭାରେ ସହଯୋଗ କରିଥିଲେ ସ୍ଥିତି ଭିନ୍ନ ହୋଇଥାନ୍ତା ବୋଲି ସେ କହିଛନ୍ତି। ଜମ୍ମୁ କଶ୍ମୀର ପ୍ରସଙ୍ଗରେ ବିଜେପିର ପଦକ୍ଷେପକୁ ବିରୋଧ କରି ଏଠାରେ ଆୟୋଜିତ ଏକ ସଭାରେ ଉଦବୋଧନ ଦେଇ ଚିଦମ୍ବରମ୍ ଏହା କହିଛନ୍ତି। ଦେଶର ୭୦ ବର୍ଷର ଇତିହାସରେ ଗୋଟିଏ ରାଜ୍ୟକୁ କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ କରିବାର ଏହା ପ୍ରଥମ ଘଟଣା। ଆଜି ଜମ୍ମୁ କଶ୍ମୀରକୁ ଏକ ମୁନିସିପାଲିଟିରେ ପରିଣତ କରି ଦିଆଯାଇଛି। ଅନ୍ୟ ରାଜ୍ୟ ଗୁଡ଼ିକ ପାଇଁ ଧାରା ୩୭୧ ରହିଛି। ତେବେ କେବଳ ଜମ୍ମୁ କଶ୍ମୀର କାହିଁକି ବୋଲି ଚିଦମ୍ବରମ୍ ପ୍ରଶ୍ନ ଉଠାଇଛନ୍ତି।

ସମ୍ବନ୍ଧିତ ଖବର