ମୁଖ୍ୟ ନିର୍ବା‌ଚନ କମିସନରଙ୍କ ସମୀକ୍ଷା ବୈଠକ : ନିର୍ବାଚନ ପ୍ରସ୍ତୁତି ନେଇ ଆଲୋଚନା

ନୂଆଦିଲ୍ଲୀ : ଆଗାମୀ ଲୋକସଭା ନିର୍ବାଚନ ତଥା କେତେକ ରାଜ୍ୟରେ ବିଧାନସଭା ନିର୍ବାଚନ ପ୍ରସ୍ତୁତିକୁ ନେଇ ମୁଖ୍ୟ ନିର୍ବାଚନ କମିସନରଙ୍କ ଦ୍ବାରା ଆୟୋଜିତ ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସମୀକ୍ଷା ବୈଠକ ଆଜି ଶେଷ ହୋଇଛି। ବୈଠକରେ ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ମଧ୍ୟ ଯୋଗ ଦେଇଥିଲେ। ଦୁଇ ଦିନିଆ ସମୀକ୍ଷା ବୈଠକ‌ରେ ରାଜ୍ୟଗୁଡ଼ିକର ମୁଖ୍ୟ ନିର୍ବାଚନ ଅଧିକାରୀ ସେମାନଙ୍କ ରାଜ୍ୟର ନିର୍ବାଚନ ପ୍ରସ୍ତୁତିକୁ ନେଇ ରିପୋର୍ଟ କାର୍ଡ ଉପସ୍ଥାପନ କରିଥିଲେ। ସମୀକ୍ଷା ବୈଠକରେ ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀମାନେ ଭୋଟ୍‌ଦାନ କେନ୍ଦ୍ର, ଇଭିଏମ୍‌-ଭିଭିପିଏଟି ପ୍ରସ୍ତୁତି, ସୁରକ୍ଷା ପରିଚାଳନା, ଦିବ୍ୟାଙ୍ଗଙ୍କ ନିମନ୍ତେ ଭୋଟ୍‌ଦାନ ପାଇଁ ବ୍ୟବସ୍ଥା, ସୂଚନା ପ୍ରଯୁକ୍ତିର ପ୍ରୟୋଗ, ବଜେଟ୍‌ ବ୍ୟବସ୍ଥା, ମାନବ ସମ୍ବଳ ସମ୍ପର୍କରେ ଆଲୋଚନା‌ କରିଥି‌‌ଲେ। ନିର୍ବାଚନ କମିସନ୍‌ଙ୍କ ଦ୍ବାରା ନିର୍ବାଚନ କିଭଳି ଭୋଟର ଫ୍ରେଣ୍ଡ୍‌ଲି କରାଯିବ ସେନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀମାନଙ୍କୁ ପରାମର୍ଶ ଦିଆଯାଇଥିଲା। ଅନଲାଇନ୍‌ ଓ ଅଫଲାଇନ୍‌ ପଦ୍ଧତିରେ ଭୋଟରମାନଙ୍କୁ ଉପଲବ୍ଧ କରାଯାଉଥିବା ସୁବିଧା ସମ୍ପର୍କରେ ମଧ୍ୟ ମୁଖ୍ୟ ନିର୍ବାଚନ କମିସନର ବୈଠକ‌ରେ ସମୀକ୍ଷା କରିଥିଲେ।

ସମ୍ବନ୍ଧିତ ଖବର