ମିଆଁମାର ସର୍ଜିକାଲ ଷ୍ଟ୍ରାଇକ୍‌ ସମ୍ପର୍କରେ ବିସ୍ତୃତ ବିବରଣୀ ଦେଲେ ସେନାଧ୍ୟକ୍ଷ, କେନ୍ଦ୍ରସରକାର ଅସନ୍ତୁଷ୍ଟ

ନୂଆଦିଲ୍ଲୀ: ଦୁଇବର୍ଷ ପୁର୍ବରୁ ମିଆଁମାରରେ ହୋଇଥିବା ସର୍ଜିକାଲ ଷ୍ଟ୍ରାଇକ୍‌ ଉପରେ ସେନାଧ୍ୟକ୍ଷ ଜେନେରାଲ ବିପିନ ରାଓ୍ଵତ ଏକ ଆଶ୍ଚର୍ଯ୍ୟଜନକ ଖୁଲାସା କରିଛନ୍ତି। ପୁଣେରେ ଏକ ପୁସ୍ତକ ଉନ୍ମୋଚନ ଅବସରେ ଜେନେରାଲ ରାଓ୍ଵତ କହିଥିଲେ, ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ କହିବାନୁସାରେ ସର୍ଜିକାଲ ଷ୍ଟ୍ରାଇକ୍‌ ଅପରେସନ୍‌ର ପ୍ଲାନ୍‌ ଶେଷ ସମୟରେ ପରିବର୍ତ୍ତନ କରାଯାଇଥିଲା। ଏହା ପ୍ରଥମ ମଉକା ଯାହାକି ଶୀର୍ଷସ୍ତରର କୌଣସି ବ୍ୟକ୍ତି ମିଆଁମାର ସର୍ଜିକାଲ ଷ୍ଟ୍ରାଇକ୍‌ ସମ୍ପର୍କରେ ବିସ୍ତୃତ ବିବରଣୀ ପ୍ରଦାନ କରିଛନ୍ତି। ତେବେ ଜେନେରାଲ ରାଓ୍ଵତଙ୍କ ଏହି ବୟାନକୁ ନେଇ କେନ୍ଦ୍ର ସରକାର ଅସନ୍ତୁଷ୍ଟ ବ୍ୟକ୍ତ କରିଛନ୍ତି।

ସର୍ଜିକାଲ ଷ୍ଟ୍ରାଇକ୍‌ ସମୟରେ ଜେନେରାଲ ରାଓ୍ଵତ ଦିମାପୁରସ୍ଥିତ ସେନା ମୁଖ୍ୟ ଭାବେ ନିୟୋଜିତ ଥିଲେ। ଅଭିଯାନର ଦାୟିତ୍ୱ ତାଙ୍କ ଉପରେ ଥିଲା। ସର୍ଜିକାଲ ଷ୍ଟ୍ରାଇକ୍‌ର ଠିକ୍‌ ପୂର୍ବରୁ ଏନ୍‌ଏସଏ ଅଜିତ ଡୋଭାଲ ଫୋନ୍‌ କରି ଅପରେସନ୍‌ ଆରମ୍ଭ କରିବା ପୂର୍ବରୁ କମାଣ୍ଡୋ ଲିଡରଙ୍କୁ ପୁଣିଥରେ ଯୋଜନା ସମ୍ପର୍କରେ ସୂଚନା ଦେବା ପାଇଁ କହିଥିଲେ। ସେତେବେଳକୁ ସ୍ପେଶାଲ କମାଣ୍ଡୋଙ୍କୁ ଅପରେସନ୍‌ ପାଇଁ ପଠା ସରିଥାଏ । ଏହା ପରେ ସର୍ଜିକାଲ ଷ୍ଟ୍ରାଇକ୍‌ର ଚାରି ଦିନ ପୂର୍ବରୁ ପ୍ରସ୍ତୁତ ହୋଇଥିବା ଯୋଜନାରେ ସଂଶୋଧନ ଆଣି ମିଆଁମାର ସୀମାରେ ପହଞ୍ଚିବା ପରେ ମାର୍ଗ ପରିବିର୍ତ୍ତନ କରାଯାଇଥିଲା ବୋଲି ଜେନେରାଲ ରାଓ୍ଵତ କହିଥିଲେ।

ଭାରତ ଦ୍ୱାରା କରାଯାଇଥିବା ସର୍ଜିକାଲ ଷ୍ଟ୍ରାଇକ୍‌ ଘୋଷଣା ପରେ ମିଆଁମାର ଏଭଳି କିଛି ଘଟଣା ଘଟି ନାହିଁ ବୋଲି ବାରଣ କରିବା ସହିତ ଏହା ବିରୋଧରେ ଏକ ମାମଲା ରୁଜୁ ମଧ୍ୟ କରିଥିଲା।

ଏକ ପ୍ରକାଶିତ ଖବର ଅନୁସାରେ, ଜେନେରାଲ ରାଓ୍ଵତଙ୍କ ଏହି ବୟାନ୍‌ରେ ଗୃହ ଓ ବିଦେଶ ମନ୍ତ୍ରାଳୟ ଅସନ୍ତୁଷ୍ଟ ବ୍ୟକ୍ତ କରିଛନ୍ତି। କାରଣ ରାଓ୍ଵତ୍‌ ଏଭଳି ସମୟରେ ଏପରି ବୟାନ ଦେବା ଠିକ୍‌ ହେଲା ନାହିଁ। ଏହି ସମୟରେ ଭାରତ ଏନ୍‌ଏସ୍‌ସିଏନ୍‌ ଉଗ୍ରବାଦୀ ଓ ରୋହିଙ୍ଗୟା ଶରଣାର୍ଥଙ୍କ ସମସ୍ୟାର ସମାଧାନ କରିବା ପାଇଁ ମିଆଁମାର ସହିତ ମିଳିତ ଭାବେ ପ୍ରୟାସ ଜାରି ରଖିଛି।

ସମ୍ବନ୍ଧିତ ଖବର