ରାଜନୈତିକ ଉତ୍ତରାଧିକାର ଲାଗି ମାର୍ଗ ପ୍ରଶସ୍ତ : ନିର୍ବାଚନୀ ମଇଦାନରେ ୩ ମୁଖ୍ୟମନ୍ତ୍ରୀଙ୍କ ପୁଅ

ନୂଆଦିଲ୍ଲୀ: ଏଥର ଲୋକସଭା ନିର୍ବାଚନରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ପୁଅଙ୍କୁ ନିର୍ବାଚନୀ ମଇଦାନରେ ଦେଖିବାକୁ ମିଳିଛି। ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ଆସନରେ ମୁଖ୍ୟମନ୍ତ୍ରୀଙ୍କ ପୁଅ ପ୍ରାର୍ଥୀ ହୋଇଛନ୍ତି। ଆଜି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଳନାଥଙ୍କ ପୁଅ ନକୁଳନାଥଙ୍କୁ କଂଗ୍ରେସ ଛିଣ୍ଡୱାଡ଼ା ଆସନରେ ପ୍ରାର୍ଥୀ କରିଥିବାବେଳେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ୍‌ଡି କୁମାରସ୍ବାମୀଙ୍କ ପୁଅ ନିଖିଳ କୁମାରସ୍ବାମୀ କର୍ଣ୍ଣାଟକର ମାଣ୍ଡ୍ୟା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ୁଛନ୍ତି। ସେହିପରି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ପୁଅ ମଧ୍ୟ ଏଥର ଲୋକସଭା ନିର୍ବାଚନ ଲଢ଼ୁଛନ୍ତି।

ବୈଭବ ଗେହଲଟ୍‌: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଅଶୋକ ଗେହଲଟ୍‌ଙ୍କ ପୁଅ ବୈଭବ ଗେହଲଟ୍‌ ଯୋଧପୁର ଲୋକସଭା ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ୁଛନ୍ତି। ବୃତ୍ତିରେ ବୈଭବଜଣେ ବ୍ୟବସାୟୀ । ଗ୍ରାଜୁଏସନ୍‌ ପରଠାରୁ ରାଜନୀତିରେ ପ୍ରବେଶ କରିବେ ବୋଲି ଇଚ୍ଛା କରିଥି‌ଲେ । ୨୦୦୩ ବିଧାନସଭା ନିର୍ବାଚନରେ ଅଶୋକ ଗେହଲଟ୍‌ ନିର୍ବାଚନ ଲଢ଼ିବା ସମୟରେ ଗେହଲଟ୍‌ଙ୍କ ପୁଅ ବୈଭବ ବାପାଙ୍କ ପାଇଁ ପ୍ରଚାର ଆରମ୍ଭ କରିଥିଲେ। ‌ସେବେଠାରୁ ସେ କଂଗ୍ରେସରେ ଜଣେ ସକ୍ରିୟ ସଦସ୍ୟ ଭାବେ କାର୍ଯ୍ୟ କରି ଆସୁଛନ୍ତି। ପଶ୍ଚିମ ରାଜସ୍ଥାନରେ ବିକାଶ ଆଣିବା ତାଙ୍କର ପ୍ରମୁଖ ଲକ୍ଷ୍ୟ ବୋଲି ସେ କହିଛନ୍ତି।

ନିଖିଳ କୁମାରସ୍ବାମୀ (New Indian Express)

ନିଖିଳ ଗୌଡ଼ା: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ କୁମାରସ୍ବାମୀଙ୍କ ପୁଅ ତଥା ତେଲୁଗୁ ଫିଲ୍ମ ହିରୋ ନିଖିଳ କୁମାରସ୍ବାମୀ ଏଥର କର୍ଣ୍ଣାଟକ ରାଜନୀତିରେ ଚର୍ଚ୍ଚିତ ମୁହଁ। ପ୍ରଥମ ଥର ପାଇଁ ସେ ରାଜନୀତିରେ ପ୍ରବେଶ କରିଛନ୍ତି। ଜେଡିଏସ୍‌ ପକ୍ଷରୁ ନିଖିଳଙ୍କୁ ମାଣ୍ଡ୍ୟା ଲୋକସଭା‌ ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀ କରାଯାଇଛି। ଗତ ମାର୍ଚ୍ଚ ୨୫ ତାରିଖରେ ମାଣ୍ଡ୍ୟାରେ ପ୍ରାର୍ଥୀପତ୍ର ଦାଖଲ କରିଥିବା ୩୧ ବର୍ଷୀୟ ନିଖିଳ ନିର୍ବାଚନ ଜିତିବା ପାଇଁ ପ୍ରଚାର କାର୍ଯ୍ୟକୁ ମଧ୍ୟ ଜୋରଦାର କରିଛନ୍ତି। ନିଖିଳଙ୍କ ବିରୋଧରେ ନିର୍ବାଚନ ଳଢ଼ୁଛନ୍ତି ସ୍ବାଧୀନ ପ୍ରାର୍ଥୀ ସୁମଲଥା ଅମ୍ବରିଶ। ଦୁହିଁଙ୍କ ମଧ୍ୟରେ ଲଢ଼େଇ ଜୋରଦାର ହେବ ବୋଲି କୁହାଯାଉଛି।

ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଳନାଥଙ୍କ ପୁଅ ନକୁଳ ନାଥ (The Indian Express)

ନକୁଳ ନାଥ: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଳନାଥଙ୍କ ପୁଅ ନକୁଳ ନାଥଙ୍କୁ ଆଜି କଂଗ୍ରେସ ଛିଣ୍ଡୱାଡ଼ା ଲୋକସଭା ଆସନରୁ ପ୍ରାର୍ଥୀ କରିଛି। ନକୁଳ ନାଥ ପ୍ରଥମ ଥର ପାଇଁ ତାଙ୍କ ବାପା କମଳନାଥଙ୍କ ଲୋକସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଳଢ଼ିବାକୁ ଯାଉଥିବାରୁ ନିର୍ବାଚନ ଜିତିବା ତାଙ୍କ ପାଇଁ ବଡ଼ ଚ୍ୟାଲେଂଜ୍‌। ଏହି ମର୍ଯ୍ୟାଦା‌ପୂର୍ଣ୍ଣ ଆସନରେ ନକୁଳ ନାଥ ବାପାଙ୍କ ଉତ୍ତରାଧିକାରୀ ହୋଇପାରିବେ କି ନା’ ତା’ ଉପରେ ସମସ୍ତଙ୍କ ନଜର ରହିଛି।

ସମ୍ବନ୍ଧିତ ଖବର