ଅଳ୍ପ ଦିନର ମୁଖ୍ୟମନ୍ତ୍ରୀ

ବେଙ୍ଗାଲୁରୁ : ବିଜେପି ନେତା ବିଏସ୍‌ ୟେଦୁରପ୍ପା ମାତ୍ର ୨ ଦିନ ପାଇଁ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ହୋଇ ଇସ୍ତଫା ଦେଇଥିବା ବେଳେ ତାଙ୍କ ପରି ଆହୁରି ଅନେକ ମୁଖ୍ୟମନ୍ତ୍ରୀ ମଧ୍ୟ କମ୍‌ ଖୁବ୍‌ ସ୍ପଳ୍ପ ସମୟର କାର୍ଯ୍ୟକାଳ ପରେ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସରକାର ଗଠନକୁ ନେଇ ପ୍ରବଳ ଛକାପଂଝା ଭିତରେ ଏଭଳି ମୁଖ୍ୟମନ୍ତ୍ରୀମାନେ ଇସ୍ତଫା ଦେବାକୁ ବାଧ୍ୟ ହୋଇଛନ୍ତି।

ଜଗଦମ୍ବିକା ପାଲ୍‌ , ଗୋଟିଏ ଦିନର ମୁଖ୍ୟମନ୍ତ୍ରୀ : ୧୯୯୮ ମସିହା ଉତ୍ତରପ୍ରଦେଶ ନିର୍ବାଚନ ଖୁବ୍‌ ନାଟକୀୟ ଥିଲା। ଜଗଦମ୍ବିକା ପାଲ୍‌ ମାତ୍ର ଗୋଟିଏ ଦିନ ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ। ୟୁପି ରାଜ୍ୟପାଳ ରମେଶ ଭଣ୍ଡାରୀ ବିଜେପିର କଲ୍ୟାଣ ସିଂହଙ୍କ ସରକାରକୁ ଭାଙ୍ଗିଦେବାପରେ ଫେବ୍ରୁଆରି ୨୧ ତାରିଖରେ ଜଗଦମ୍ବିକା ପାଲ୍‌ ମୁଖ୍ୟମନ୍ତ୍ରୀ ରୂପେ ଶପଥ ଗ୍ରହଣ କରିଥିଲେ। ପାଲ୍‌ଙ୍କୁ ସଂଖ୍ୟାଗରିଷ୍ଠତା ଦେବାପାଇଁ ଫେବ୍ରୁଆରି ୨୪ ପର୍ଯ୍ୟନ୍ତ ସମୟ ଦିଆଯାଇଥିଲା। କିନ୍ତୁ ସେ ଶପଥ ଗ୍ରହଣ କରିବାର ଠିକ୍‌ ଦିନକ ପରେ ଆହ୍ଲାବାଦ୍‌ ହାଇକୋର୍ଟ ରାଜ୍ୟପାଳଙ୍କ ନିଷ୍ପତ୍ତି ରଦ୍ଦ କରିଦେବାରୁ ପାଲ୍‌ ମୁଖ୍ୟମନ୍ତ୍ରୀ ପଦରୁ ହଟି ଯାଇଥିଲେ। ଜଗଦମ୍ବିକା ମାତ୍ର ଗୋଟିଏ ଦିନ ପଦରେ ରହି ସବୁଠାରୁ କମ୍‌ ଦିନର ମୁଖ୍ୟମନ୍ତ୍ରୀ ହୋଇଛନ୍ତି।

ସତୀଶ ପ୍ରସାଦ ସିଂହ, ଗୋଟିଏ ସପ୍ତାହ :

ସତୀଶ ପ୍ରସାଦ ସିଂହ ବିହାରର ସବୁଠାରୁ ତରୁଣ ମୁଖମନ୍ତ୍ରୀ ଭାବେ ୧୯୬୮ ମସିହା ଜାନୁଆରି ୨୭ ତାରିଖରେ ଶପଥ ଗ୍ରହଣ କରିଥିଲେ। କେବଳ ଗୋଟିଏ ସପ୍ତାହ ପାଇଁ ସେ ବିହାରର ମୁଖ୍ୟମନ୍ତ୍ରୀ ହୋଇଥିଲେ। ୧୯୬୮ ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ତଥା ପ୍ରଥମ ଅଣ-କଂଗ୍ରେସ ମୁଖ୍ୟମନ୍ତ୍ରୀ ମହାମାୟା ପ୍ରସାଦ ସିହ୍ନାଙ୍କ ବିରୋଧରେ କଂଗ୍ରେସ ନେତୃତ୍ୱରେ ଏକ ୧୫୫ ସଦସ୍ୟ ବିଶିଷ୍ଟ ଦଳ ବିଦ୍ରୋହ କରିଥିଲେ। କିନ୍ତୁ ସିହ୍ନା ଏହି ବିଦ୍ରୋହରୁ ବର୍ତ୍ତି ପାରିନଥିଲେ। ଉକ୍ତ ବିଦ୍ରୋହୀଗୋଷ୍ଠୀ ସଂଯୁକ୍ତ ସୋସିଆଲିଷ୍ଟ ପାର୍ଟି ନେତା ବିପି ମଣ୍ଡଳଙ୍କୁ ସିହ୍ନାଙ୍କ ଉତ୍ତରାଧିକାରୀ ଭାବେ ମନୋନୀତ କରିଥିଲେ। ଜଣେ ସାଂସଦ ଭାବେ ସିହ୍ନା ସର୍ବସମ୍ମତିକ୍ରମେ ମନୋନୀତ ହୋଇଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ଭାବେ ତାଙ୍କୁ ନିଯୁକ୍ତି ଦେବାପାଇଁ ବିଧାନ ପରିଷଦର ସଦସ୍ୟ ଭାବେ ତାଙ୍କ ନାମ ସୁପାରିସ କରିବାର ଥିଲା। ତେଣୁ ଏହି ସମୟରେ କଂଗ୍ରେସ ଏବଂ ଏହାର ସହଯୋଗୀ ଦଳ ସତୀଶ ପ୍ରସାଦ ସିଂହଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ବାଛିଥିଲେ। ସିଂହ ଏହାପରେ ଫେବ୍ରୁଆରି ୨ ତାରିଖରେ ମଣ୍ଡଳଙ୍କ ନାମ ବିଧାନ ପରିଷଦର ସଦସ୍ୟ ରୂପେ ସୁପାରିସ କରି ସ୍ୱେଚ୍ଛାକୃତ ଭାବେ ତାଙ୍କୁ ନିଜ ପଦ ଦେଇଥିଲେ। ଏହାପରେ ଫେବ୍ରୁଆରି ୫ ତାରିଖରେ ମଣ୍ଡଳ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ।

ଏସ୍‌ସି ମାରକ୍‌, ୧୩ ଦିନର ମୁଖ୍ୟମନ୍ତ୍ରୀ : ମେଘାଳୟରେ ବରିଷ୍ଠ କଂଗ୍ରେସ ନେତା ଏସ୍‌ସି ମାରକ୍‌ ୧୯୯୮ ମସିହା ଫେବ୍ରୁଆରି ୨୭ ତାରିଖରେ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଥିଲେ। କିନ୍ତୁ ତାଙ୍କ କଂଗ୍ରେସ ନେତୃତ୍ୱାଧୀନ ମେଣ୍ଟ ଭାଙ୍ଗିଯିବା ପରେ ମିଳିତ ସଂସଦୀୟ ମଞ୍ଚ ନେତା ବିବି ଲିଙ୍ଗ୍‌ଡ଼ୋ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହୋଇଥିଲେ। କିନ୍ତୁ ଏହାପୂର୍ବରୁ ମାରକ୍‌ ଫେବ୍ରୁଆରି ୧୯୯୩ରୁ ୧୯୯୮ ପର୍ଯ୍ୟନ୍ତ ସଫଳ ମୁଖ୍ୟମନ୍ତ୍ରୀ ଭାବେ ପାଞ୍ଚବର୍ଷର କାର୍ଯ୍ୟକାଳ ସମ୍ପାଦନ କରିଥିଲେ।

ଜାନକୀ ରାମଚନ୍ଦ୍ରନ୍‌, ୨୩ ଦିନ :

୧୯୮୭ ମସିହା ଡିସେମ୍ବର ୨୪ ତାରିଖରେ ତାମିଲନାଡ଼ୁର ତତ୍କାଳୀନ ମୁଖ୍ୟମନ୍ତ୍ରୀ ଏମ୍‌ଜି ରାମଚନ୍ଦ୍ରନ୍‌ଙ୍କ ପରଲୋକ ହେବାପରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ବିବାଦ ଦେଖାଦେଇଥିଲା। ସେତେବେଳେ ମୁଖ୍ୟମନ୍ତ୍ରୀ ଦୌଡ଼ରେ ଥିଲେ ଏମ୍‌ଜିଆରଙ୍କ ପତ୍ନୀ ଜାନକୀ ରାମଚନ୍ଦ୍ରନ୍‌ ଏବଂ ଏଆଇଏଡିଏମ୍‌କେ ନେତ୍ରୀ ଜେ ଜୟଲଳିତା। ତେବେ ପାଖାପାଖି ୯୭ ଏଆଇଏଡିଏମ୍‌କେ ବିଧାୟକ ଜାନକୀଙ୍କ ପ୍ରାର୍ଥୀତ୍ୱକୁ ସମର୍ଥନ କରି ଏକ ରାଜିନାମା ସ୍ୱାକ୍ଷର କରି ରାଜ୍ୟପାଳ ଏସଏଲ ଖୁରାନାଙ୍କ ପାଖରେ ଦାଖଲ କରିବାପରେ ୧୯୮୮ ଜାନୁଆରି ୭ ତାରିଖରେ ଜାନକୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। ଜାନୁଆରି ୨୮ ତାରିଖରେ ତାଙ୍କୁ ସଂଖ୍ୟାଗରିଷ୍ଠତା ପ୍ରମାଣ କରିବାକୁ କୁହାଯାଇଥିଲା କିନ୍ତୁୁ ଦୁର୍ଭାଗ୍ୟବଶତଃ ଆସ୍ଥା ଭୋଟ୍‌ ଦିନ ରାଜ୍ୟ ବିଧାନସଭାରେ ପ୍ରବଳ ହୋ-ହଲ୍ଲା ହୋଇଥିଲା ବିଧାୟକମାନେ ନିଜ ନିଜ ମଧ୍ୟରେ ପ୍ରବଳ ମାରିପଟ୍‌ ହୋଇଥିଲେ। ପ୍ରଥମ ଥର ପାଇଁ ତାମିଲନାଡ଼ୁ ଇତିହାସରେ ପୁଲିସ ବିଧାନସଭାରେ ପଶି ବିଧାୟକମାନଙ୍କ ଉପରେ ଲାଠିଚାର୍ଜ କରିଥିଲା। ଏହାପରେ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ଉକ୍ତ ସରକାର ଭାଙ୍ଗି ଦେଇଥିଲେ ଏବଂ ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି କରିଥିଲେ।

ସିଏଚ ମହମ୍ମଦ କୋୟା, ୪୫ ଦିନ :

ଆଇୟୁଏମ୍‌ଏଲ (ଇଣ୍ଡିଆନ ୟୁନିଅନ ମୁସଲିମ୍‌ ଲିଗ୍‌) ନେତା ସିଏଚ୍‌ ମହମ୍ମଦ କୋୟା ମାତ୍ର ୪୫ ଦିନ ପାଇଁ କେରଳ ମୁଖ୍ୟମନ୍ତ୍ରୀ ଥିଲେ। ୧୯୭୯ ମସିହା ଅକ୍ଟୋବର ୧୨ ତାରିଖରେ କେରଳ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା କୋୟା ମାତ୍ର ୪୫ ଦିନ ପାଇଁ ମୁଖ୍ୟମନ୍ତ୍ରୀ ପଦରେ ରହି ରାଜ୍ୟର ସବୁଠାରୁ କମ୍‌ ଦିନର ମୁଖ୍ୟମନ୍ତ୍ରୀ ହୋଇଥିଲେ ଏବଂ ପରେ ରାଜ୍ୟରେ ମିଳିତ ବାମ ମେଣ୍ଟ ସରକାର ଗଠନ ହେବାପରେ ସେ ଉପମୁଖ୍ୟମନ୍ତ୍ରୀ ହୋଇଥିଲେ।

ସମ୍ବନ୍ଧିତ ଖବର