ସୁପ୍ରିମକୋର୍ଟରେ ହାଜର ହେଲେ ମୁଖ୍ୟ ଶାସନ ସଚିବ : ଏସ୍‌ପିଭି ପାଣ୍ଠିରୁ ୨କୋଟି ଟଙ୍କା ଅନ୍ୟ ଉଦ୍ଦେଶ୍ୟରେ ଖର୍ଚ୍ଚ ହୋଇଥିବା ସ୍ୱୀକାର କଲେ

ନୂଆଦିଲ୍ଲୀ : ଏସ୍‌ପିଭି(ସ୍ପେସାଲ ପର୍ପୋଜ ଭେହିକିଲ) ପାଣ୍ଠିରୁ ୨ କୋଟି ଟଙ୍କା ଅନ୍ୟ ଉଦ୍ଦେଶ୍ୟରେ ବ୍ୟୟ କରାଯାଇଥିବା ଆଜି ରାଜ୍ୟ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ସୁପ୍ରିମକୋର୍ଟରେ ସ୍ୱୀକାର କରିଛନ୍ତି। ସୁପ୍ରିମକୋର୍ଟରେ ବିଚାରପତି ଏମ.ବି.ଲୋକୁର ଓ ଦୀପକ ଗୁପ୍ତାଙ୍କ ଖଣ୍ଡପୀଠରେ ବ୍ୟକ୍ତିଗତ ଭାବେ ହାଜର ହୋଇ ରାୟଗଡ଼ା ଓ କଳାହାଣ୍ଡି ଜିଲ୍ଲାରେ ନିୟମଗିରି ଖଣି ପାଇଁ ଗଠନ ହୋଇଥିବା ଏସ୍‌ପିଭି ପାଣ୍ଠିର ବିନିଯୋଗ ସମ୍ପର୍କରେ ସଚିବ ଶ୍ରୀ ପାଢୀ ତଥ୍ୟ ଉପସ୍ଥାପନ କରିଛନ୍ତି। ନିୟମଗିରି ପାଇଁ ଏସ୍‌ପିଭି ପାଣ୍ଠିରେ ମୋଟ ୨୦ କୋଟି ଟଙ୍କା ଜମା ହୋଇଥିବା ବେଳେ ସୁଧ ଆକାରରେ ଉକ୍ତ ପାଣ୍ଠିରେ ୭କୋଟି ଟଙ୍କା ବୃଦ୍ଧି ହୋଇଛି। ରାଜ୍ୟ ସରକାର ଏହି ପାଣ୍ଠିରୁ ମୋଟ ୧୮ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ଯେଉଁଥିରୁ ୨ କୋଟି ଟଙ୍କା ଅନ୍ୟ ଉଦ୍ଦେଶ୍ୟରେ ବ୍ୟୟ କରାଯାଇଛି। ଅନ୍ୟ ଅର୍ଥରେ ଖର୍ଚ୍ଚ ହୋଇଥିବା ଟଙ୍କାକୁ ପୁଣିଥରେ ରାଜ୍ୟ ସରକାର ଏସପିଭି ପାଣ୍ଠିରେ ସାମିଲ କରିବେ ବୋଲି ସଚିବ ଶ୍ରୀ ପାଢୀ ଖଣ୍ଡପୀଠଙ୍କୁ ଅବଗତ କରିଥିଲେ। ଏହାବ୍ୟତୀତ ଉକ୍ତ ପାଣ୍ଠିର ବଳକା ଅର୍ଥକୁ କିଭଳି ଖର୍ଚ୍ଚ କରାଯିବ ସେଥିପାଇଁ ରାଜ୍ୟ ସରକାର ଯୋଜନା ପ୍ରସ୍ତୁତ କରିବେ ବୋଲି ସେ କହିଥିଲେ। ତେବେ କୋର୍ଟଙ୍କ ନିର୍ଦ୍ଦେଶ ମୁତାବକ, ସେହି ଟଙ୍କାକୁ ଆଦିବାସୀ କଲ୍ୟାଣ କାର୍ଯ୍ୟରେ ବିଭଳି ବିନିଯୋଗ କରାଯାଇପାରିବ ତାହାର ଏକ ପ୍ରସ୍ତାବ ମଧ୍ୟ ଶ୍ରୀ ପାଢୀ ଖଣ୍ଡପୀଠଙ୍କ ନିକଟରେ ଦାଖଲ କରିଥିଲେ। ତେବେ ଉକ୍ତ ପାଣ୍ଠିକୁ ଆଦିବାସୀ ଅଞ୍ଚଳମାନଙ୍କରେ ପାଣି ସମସ୍ୟା ଦୂରକରିବା ତଥା ଛାତ୍ରାବାସ ନିର୍ମାଣ ଭଳି ଭିତ୍ତିଭୂମି ପ୍ରକଳ୍ପ ପାଇଁ ବିନିଯୋଗ କରାଯାଇପାରିବ ବୋଲି ଖଣ୍ଡପୀଠଙ୍କୁ ଉତ୍ତର ଦେଇଥିଲେ। ଏହା ପୂର୍ବରୁ ରାଜ୍ୟ ସରକାରଙ୍କ ପକ୍ଷରୁ ବରିଷ୍ଠ ଓକିଲ ରାକେଶ ଦ୍ୱିବେଦୀ ଏସପିଭି ପାଣ୍ଠି ବାବଦରେ ହୋଇଥିବା ସମସ୍ତ ଖର୍ଚ୍ଚର ବିବରଣୀ ସତ୍ୟପାଠ ଆକାରରେ ଖଣ୍ଡପୀଠଙ୍କ ନିକଟରେ ଦାଖଲ କରିସାରିଛନ୍ତି। ଅନ୍ୟ ଅର୍ଥରେ ଖର୍ଚ୍ଚ ହୋଇଥିବା ୨ କୋଟି ଟଙ୍କାର ମଧ୍ୟ ସମସ୍ତ ବିବରଣୀ କୋର୍ଟଙ୍କୁ ପ୍ରଦାନ କରାଯାଇଛି। ଉଲ୍ଲେଖଯୋଗ୍ୟ, ୨୦୦୯ ମସିହାରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ, ଓଡ଼ିଶା ମାଇନିଂ କର୍ପୋରେସନ ଓ ବେଦାନ୍ତ ଦ୍ୱାରା ନିୟମଗିରି ଖଣି ଅନ୍ତର୍ଗତ ସେହି ଅଞ୍ଚଳର ଆଦିବାସୀମାନଙ୍କ ବିକାଶ ପାଇଁ ଏସପିଭି ପାଣ୍ଠିର ଗଠନ ନିମନ୍ତେ ଚୁକ୍ତି ହୋଇଥିଲା। ଚୁକ୍ତି ମୁତାବକ, ବେଦାନ୍ତ ୨୦ କୋଟି ଟଙ୍କା ଏହି ପାଣ୍ଠିରେ ଜମା କରିଥିଲା।

ସମ୍ବନ୍ଧିତ ଖବର