ଶିଶୁ ଦୁଷ୍କର୍ମକାରୀକୁ ୩ ଥର ଆଜୀବନ କାରାଦଣ୍ଡ

ଅତିରିକ୍ତ ୨୬ ବର୍ଷ ଜେଲ୍‌

ଥିରୁବନନ୍ତପୁରମ୍‌ : ଦକ୍ଷିଣ କେରଳର କୋଲ୍ଲମ୍‌ ଜିଲ୍ଲାରେ ଜଣେ ୭ ବର୍ଷୀୟା ଶିଶୁକୁ ଦୁଷ୍କର୍ମ ପରେ ହତ୍ୟା କରାଯିବା ମାମଲାରେ  ଏକ ପୋକ୍‌ସୋ ଅଦାଲତ ଦୁଷ୍କର୍ମକାରୀକୁ ୩ ଥର ଆଜୀବନ କାରାଦଣ୍ଡ ଦେଇଛନ୍ତି ଏବଂ ଏହାବାଦ୍‌ ତାକୁ ଅତିରିକ୍ତ ୨୬ ବର୍ଷ କାରାଦଣ୍ଡାଦେଶ ମଧ୍ୟ ହୋଇଛି। ୨୭ ବର୍ଷୀୟ ରାଜେଶ ଯେଉଁ ଜଘନ୍ୟ ଅପରାଧ କରିଛି ସେଥିପାଇଁ ତାକୁ ମୃତ୍ୟୁଦଣ୍ଡ ହେବା ଉଚିତ୍‌ ଥିଲା, କିନ୍ତୁ ରାଜେଶର ବୟସକୁ ବିଚାରକୁ ନେଇ କୋର୍ଟ ତାକୁ ୩ଥର ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ୩ଟି ଯାକ କାରାଦଣ୍ଡ ତାକୁ ପୃଥକ୍‌ ଭାବେ ଭୋଗିବାକୁ ପଡ଼ିବ ବୋଲି କୋର୍ଟ କହିଛନ୍ତି। ଦୁଷ୍କର୍ମ, ହତ୍ୟା, ଅପହରଣ, ଅସ୍ବାଭାବିକ ଯୌନ ସମ୍ପର୍କ, ମୃତ ଶରୀରକୁ ଅସମ୍ମାନ ଏବଂ ପ୍ରମାଣ ନଷ୍ଟ କରିବା ମାମଲାରେ ତା ବିରୋଧରେ ଏହି ଦଣ୍ଡାଦେଶ ହୋଇଛି।
୨୦୧୭ ସେପ୍ଟେମ୍ବରରେ ଏହି ଜଘନ୍ୟ କାଣ୍ଡ ଘଟିଥିଲା। ରାଜେଶ ହେଉଛି ପୀଡ଼ିତାର ସମ୍ପର୍କୀୟ। ପୀଡ଼ିତାର ଜେ‌ଜେ ମା’ ତାକୁ ସ୍କୁଲ୍‌ ନେଇ ଯାଉଥିବା ସମୟରେ ରାଜେଶ ସେମାନଙ୍କୁ ଅଟକାଇଥିଲା ଏବଂ ପୀଡ଼ିତାକୁ ସ୍କୁଲ୍‌ରେ ନେଇ ଛାଡ଼ିଦେବ ବୋଲି କହିଥିଲା। ରାଜେଶର କଥାକୁ ବିଶ୍ବାସକୁ ନେଇ ପୀଡ଼ିତାର ଜେଜେ ମା’ ତାକୁ ତା’ ସାଥୀରେ ସ୍କୁଲ୍‌ ପଠାଇଥିଲେ। କିନ୍ତୁ ରାଜେଶ ଶିଶୁକୁ ସ୍କୁଲ୍‌ ନେବା ପରିବର୍ତ୍ତେ ଏକ ନିଛା‌ଟିଆ ସ୍ଥାନକୁ ନେଇ ଦୁଷ୍କର୍ମ କରିଥିଲା ଏବଂ ପରେ ତା’ ତଣ୍ଟି ଚିପି ତାକୁ ମାରିଦେଇଥିଲା। ଘଟଣାର ୨ ଦିନ ପରେ ପୀଡ଼ିତାର ମୃତ ଶରୀର ଉଦ୍ଧାର ହୋଇଥିଲା। ପୀଡ଼ିତାର ଘରଲୋକ ତାକୁ ଖୋଜି ନପାଇବାପରେ ପୁଲିସରେ ଖବର ଦେଇଥିଲେ। ରାଜେଶ ମଧ୍ୟ ସ୍କୁଲ୍‌ କର୍ତ୍ତୃପକ୍ଷଙ୍କ ବିରୋଧରେ ଆନ୍ଦୋଳନ କରି କହିଥିଲା ଯେ ପୀଡ଼ିତା ଏହିଠାରୁ ହିଁ ନିଖୋଜ ହୋଇଛି। ପ‌ରେ ସିସିଟିଭି ଫୁଟେଜ୍‌ ଯାଞ୍ଚରୁ ସତ ଜଣାପଡ଼ିବା ପରେ ରା‌ଜେଶ ଦୋଷ ସ୍ବୀକାର କରିଥିଲା।

ସମ୍ବନ୍ଧିତ ଖବର