ଆଖିକୁ ଦେଖା ଯାଉଥିବା ସବୁ ଘଟଣା ସତ ନୁହେଁ! ଜାଣନ୍ତୁ ଗଛରେ ବନ୍ଧା ହୋଇ କାନ୍ଦୁଥିବା ଅବସ୍ଥାରେ ଉଦ୍ଧାର ହୋଇଥିବା ନାବାଳକ କିଏ?

ମୁମ୍ବାଇ: ଆଖିକୁ ଦେଖା ଯାଉଥିବା ସବୁ ଘଟଣା ସତ୍ୟ ନୁହେଁ। ଦେଖୁଥିବା ଘଟଣାର ପଛରେ ରହିଥିବା ବାସ୍ତବତାକୁ ପରୀକ୍ଷା ନକରି, ଘଟଣା ଠାରୁ ନିରାପଦ ଦୂରତ୍ୱରେ ରହି; ଘଟଣା ସଂପର୍କରେ କୌଣସି ପ୍ରକାରର ଶେଷ ସିଦ୍ଧାନ୍ତରେ ପହଞ୍ଚିଯିବା ବା ସେ ବାବଦରେ କୌଣସି ମତାମତ ଦେବା ହେଉଛି ମୁର୍ଖାମୀର ପରିଚାୟକ। ତାହା ପୁଣି ସୋସିଆଲ ମିଡିଆରେ! ଏହିପରି ଏକ ଘଟଣାର ଉଦାହାରଣ ଆଜି ଦେଖିବାକୁ ମିଳିଛି ମୁମ୍ବାଇରେ।

ମୁମ୍ବାଇର ଅନ୍ଧେରୀସ୍ଥିତ ଜୁହୁର ଏକ ବସ୍ତିରେ ଆଠ ବର୍ଷ ବୟସ୍କ ଜଣେ ନାବାଳକ ଉଲଗ୍ନ ଅବସ୍ଥାରେ ଏକ ଗଛରେ ବନ୍ଧାହୋଇ କାନ୍ଦୁଥିବା ବେଳେ ମୁମ୍ବାଇ ପୋଲିସ୍‌ ଓ ଅଗ୍ନିଶମ ସେବା ବିଭାଗ କର୍ମଚାରୀମାନେ ଆସି ସଂପୃକ୍ତ ନାବାଳକଟିକୁ ଉଦ୍ଧାର କରିବା ଘଟଣା ପରେ ଏବେ ସଂପୃକ୍ତ ଅଞ୍ଚଳରେ ଚାଲିଛି ଏହି ପ୍ରକାରର ଆଲୋଚନା।

ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ, ମୁମ୍ବାଇ ପୋଲିସ୍‌ ଆଜି ସକାଳୁ ଜୁହୁ ଅଞ୍ଚଳରେ ବସବାସ କରୁଥିବା ନିଶିଥ୍‌ ମେହେଟ୍ଟାଙ୍କ ଟୁଇଟର ହ୍ୟାଣ୍ଡଲିଂରୁ ଏକ ଆଲର୍ଟ ପାଇଲେ। ଆଲର୍ଟଟିରେ ଜଣେ ନାବାଳକ ଉଲଗ୍ନ ଅବସ୍ଥାରେ ଏକ ଗଛରେ ବନ୍ଧାହୋଇ କାନ୍ଦୁଥିବାର ଏକ ଫଟୋ ରହିଥିଲା ଏବଂ ଫଟୋ ତଳେ ଲେଖାଥିଲା, ଏହି ଅବସ୍ଥାରେ ନାବାଳକଟିକୁ ଦୁଇ ତିନି ଜଣ ଲୋକ ଗତ ପ୍ରାୟ ତିନି ଘଣ୍ଟା ଧରି ନିର୍ଯାତନା ଦେଉଛନ୍ତି। ତାକୁ ବଞ୍ଚାନ୍ତୁ! ନିଶିଥ୍‌ ତାଙ୍କର ଟୁଇଟ୍‌ଟିକୁ ଅଗ୍ନିଶମ ସେବା ବିଭାଗକୁ ମଧ୍ୟ ଟ୍ୟାଗ୍‌ କରିଦେଲେ। ଏ ଟୁଇଟର ବାର୍ତ୍ତା ପାଇବା ପରେ, ସମସ୍ତ ଜରୁରୀ କାର୍ଯ୍ୟକୁ ପଛରେ ପକାଇ ସଙ୍ଗେସଙ୍ଗେ ପୋଲିସ୍‌ ଓ ଅଗ୍ନିଶମ ବିଭାଗ କର୍ମଚାରୀମାନେ ଆସି ଘଟଣାସ୍ଥଳରେ ପହଞ୍ଚିଗଲେ ଓ ନାବାଳକଟିକୁ ଉଦ୍ଧାର କଲେ।

ତେବେ, ନାବଳକଟିକୁ ଉଦ୍ଧାର କରି ସାରିବାପରେ ପୋଲିସ୍‌ ଘଟଣା ପଛର ଯେଉଁ ଅସଲ ସତକୁ ଆବିଷ୍କାର କଲେ, ତାକୁ ଜାଣିବା ପରେ ମୁଣ୍ଡରେ ହାତ ଦେବା ବ୍ୟତୀତ ସେମାନଙ୍କ ନିକଟରେ ଅନ୍ୟ ବିକଳ୍ପ ନଥିଲା। ପୋଲିସ୍‌ ତଦନ୍ତରୁ ଜାଣିବାକୁ ପାଇଲା ଯେ, ନାବାଳକଟି ହେଉଛି ଜଣେ ପିତୃ ଛେଉଣ୍ଡ। ମା’ ପରଘରେ ବାଇଭାବେ କାମ କରି ତା’ର ଲାଳନପାଳନ କରିବା ସହ ନିଜ ପେଟରୁ କାଟି ତା’କୁ ସ୍କୁଲରେ ପାଠ ପଢ଼ାଏ। ଏକମାତ୍ର ଲକ୍ଷ୍ୟ ପାଠପଢ଼ି ବଡ଼ ହେବାପରେ ସେ କିଛି ଚାକିରିବାକିରି କରିବ ଏବଂ ତା’ର ଦୁଃଖ ଯିବ। ହେଲେ, ନାବାଳକଟି ବିଭିନ୍ନ ଦିନ ବିଭିନ୍ନ ପେଖନା କାଢ଼ି ସ୍କୁଲ ନଯାଇ ନିଜର ବାଳୁଙ୍ଗା ସାଙ୍ଗମାନଙ୍କ ସହ ଏଣେତେଣେ ବୁଲେ। ଆଜି ମଧ୍ୟ ସେହିପରି ପେଖନା କାଢ଼ି ସ୍କୁଲ ନ ଯିବାକୁ ବାହାନା କରିବାରୁ, ତା’ର ମା’ ତାକୁ ସ୍କୁଲ ଯିବାକୁ ବାଧ୍ୟ କରିବା ଉଦ୍ଦେଶ୍ୟରେ ତାଙ୍କ ବସ୍ତିର କୁଡ଼ିଆ ସମ୍ମଖରେ ଏକ ଗଛରେ ବାନ୍ଧି ଦେଇଥିଲେ। ଘଟଣାଟି ଥିଲା ଏତିକି। ବାସ୍‌…

ହେଲେ, ବସ୍ତି ଠାରୁ ବେଶ୍‌ ନିରାପଦ ଦୂରତ୍ୱରେ ଏକ ବହୁତଳ ବିଶିଷ୍ଟ ଆପାର୍ଟମେଣ୍ଟର ଏକ ଫ୍ଲାଟରେ ରହୁଥିବା ନୀଶିଥ ତାଙ୍କ ଫ୍ଲାଟ୍‌ର ଝରକା ବାଟେ ବାହାରର ଦୃଶ୍ୟକୁ ଉପଭୋଗ କରୁଥିବା ବେଳେ ନାବାଳକଟି ଗଛରେ ବନ୍ଧା ହୋଇଥିବା ଦେଖିବାକୁ ପାଇଲେ। ତହୁଁ ସେ ନିଜ ସ୍ମାର୍ଟ ଫୋନ୍‌ରେ ଆପାର୍ଟମେଣ୍ଟର ଝରକାବାଟେ ଫଟୋ ଉଠାଇ ସଙ୍ଗେସଙ୍ଗେ ଟୁଇଟ୍‌ କରିଦେଲେ। ନିଶିଥ୍‌ଙ୍କ ଟୁଇଟ୍‌ ପାଇ ଅଯଥା କାମରେ ନିକିମା ହେଲେ ପୋଲିସ୍‌ ଓ ଅଗ୍ନିଶମ ବିଭାଗ କର୍ମଚାରୀ। ଏଇସବୁ ଚକ୍କରରେ ଆଉ ସ୍କୁଲ ଯାଇ ପାରିଲାନି ନାବାଳକଟି। ତେବେ, ପ୍ରଶ୍ନ ଏତେସବୁ ପରେ ଲାଭ ମିଳିଲା କାହାକୁ, ଆଉ କ’ଣ?

ସମ୍ବନ୍ଧିତ ଖବର