ଚୀନ୍ ସେନାର ଦାଦାଗିରି

ପୁଣି ଲଙ୍ଘିଲେ ଭାରତ ସୀମା: ବିରୋଧ ପରେ ଫେରିଗଲେ : ଅଗଷ୍ଟରେ ୩ ଥର ପଶିଥିଲେ

ନୂଆଦିଲ୍ଲୀ: ଭାରତ ଓ ଚୀନ୍‌ ମଧ୍ୟରେ ଏବେ ପୁଣି ଅରୁଣାଚଳକୁ ନେଇ ବିବାଦ ମୁଣ୍ଡ ଟେକିଛି। ଚୀନ୍‌ ସେନା ଆଜି ପୁଣି ଭାରତୀୟ ‌ସୀମା ଡେଇଁ ଭିତରେ ପଶିଥିଲେ। ଅରୁଣାଚଳ ପ୍ରଦେଶରେ ଥିବା ସୀମାରେ ସେମାନେ ଅତିକ୍ରମଣ କରିଥିଲେ। କିନ୍ତୁ ଭାରତୀୟ ସୁରକ୍ଷା ବାହିନୀ ବିରୋଧ କରିବା ପରେ ସେମାନେ ଫେରିଥିଲେ। ଅତିକ୍ରମଣ ଅଂଚଳରେ ଭାରତୀୟ ‌େସନା କୌଣସି କାରଣରୁ ଅନୁପସ୍ଥିତ ରହିଥିଲେ ଚୀନ୍‌ର ପିପୁଲ୍ସ ଲିବ‌େରସନ୍ ଅାର୍ମି ବଡ଼ ଅନର୍ଥ ଘଟାଇଥାନ୍ତେ ବୋଲି କୁହାଯାଉଛି। ତେବେ ଚୀନ୍‌ ସେନାର ଏଭଳି ଦାଦାଗିରିକୁ ଭାରତ ପ୍ରବଳ ନିନ୍ଦା କରିଛି।
ମିଳିଥିବା ସୂଚନା ମୁତାବକ, ଅରୁଣାଚଳ ପ୍ରଦେଶରେ ଥିବା ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍‌ଏସି) ନିକଟରେ ଭାରତୀୟ ସୁରକ୍ଷା କର୍ମୀ ମୁତୟନ ଥିଲେ। ଏହି ସମୟରେ ଚୀନ୍‌ର କିଛି ସେନା କର୍ମୀ ଭିତରେ ପଶିଥିଲେ। ତେବେ କ’ଣ ପାଇଁ ସେମାନେ ବାରମ୍ବାର ଏଭଳି କାଣ୍ଡ ଘଟାଉଛନ୍ତି, ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ୧୦ ଦିନ ତଳେ ଅନୁରୂପ ଭାବେ ଚୀନ୍‌ର ପିପୁଲ୍ସ ଲିବରେସନ୍ ଆର୍ମି ଭାରତୀୟ ‌ସୀମା ଲଙ୍ଘିଥିଲା। ଏହାକୁ ନେଇ ଦୁଇଦେଶ ମଧ୍ୟରେ ସମ୍ପର୍କ ତିକ୍ତ ହୋଇପାରେ ବୋଲି କୁହାଯାଉଛି।
ଉଲ୍ଲେଖଯୋଗ୍ୟ, ଗତବର୍ଷ ଡୋକଲାମ୍ ବିବାଦକୁ ନେଇ ଭାରତ ଓ ଚୀନ୍‌ ମଧ୍ୟରେ ସମ୍ପର୍କ ଖରାପ ହୋଇଥିଲା। ନିୟମିତ ଭାବେ ଉଭୟ ପରସ୍ପରକୁ ଧମକଚମକ ଦେଇଥିଲେ। କିନ୍ତୁ କିଛିଦିନ ପରେ ପୁଣି ଦୁଇଦେଶ ମଧ୍ୟରେ ସମ୍ପର୍କ ଭଲ ହୋଇଥିଲା। ସୀମା ଅଞ୍ଚଳରେ ସେଭଳି କୌଣସି ଅପ୍ରୀତିକର ଘଟଣା ଘଟିନଥିଲା। କିନ୍ତୁ ୧୦ ଦିନ ମଧ୍ୟରେ ଚୀନ୍‌ ସେନା ଦୁଇଥର ଭାରତୀୟ ସୀମା ମଧ୍ୟରେ ପ୍ରବେଶ କରିବା ଠିକ୍‌ ଲାଗୁନାହିଁ। ଏହା ପଛରେ ଚୀନ୍‌ର କିଛି ଭିନ୍ନ ଉଦ୍ଦେଶ୍ୟ ରହିଥାଇପାରେ ବୋଲି ଆଶଙ୍କା କରାଯାଉଛି। ଏହା ସତ୍ତ୍ବେ ଭାରତୀୟ ସେନା ଏଭଳି ମାମଲାକୁ ନିଜଆଡ଼ୁ ମିମାଂସା କରିଦେଇଛି। ସୂଚନାଥାଉ କି ଚଳିତବର୍ଷ ଅଗଷ୍ଟରେ ଚୀନ୍‌ର ସେନାମାନେ ୩ ଥର ଭାରତୀୟ ସୀମା ଅତିକ୍ରମ କରିଥିଲେ। ଅଗଷ୍ଟ ୬, ୧୩ ଓ ୧୫ ତାରିଖରେ ସେମାନେ ପ୍ରବେଶ କରିଥିଲେ। କିନ୍ତୁ ଭାରତ ପକ୍ଷରୁ ଆଇଟିବିପି ଯବାନ ସେମାନଙ୍କୁ ତଡ଼ିଦେଇଥିଲେ।

ସମ୍ବନ୍ଧିତ ଖବର