ମୁହାଁମୁହିଁ ପାଇଁ ପ୍ରସ୍ତୁତି, ଲଦାଖ ସୀମାରେ ଚୀନ୍‌ର ବିମାନଘାଟି ସଂପ୍ରସାରଣ

ସମଗ୍ର ଗଲୱାନ୍‌ ଘାଟିକୁ ନିଜର ଦାବି କଲା ଚୀନ୍‌, ୧୯୬୨ କଥ‌ା ହେଜାଇଲା

ବେଜିଂ: ଚୀନ୍‌ରୁ ବ୍ୟାପିଥିବା କରୋନା ସଂକ୍ରମଣ ପାଇଁ ଏବେ ସମଗ୍ର ବିଶ୍ବ ଭୟାନକ ସଙ୍କଟ ଦେଇ ଗତି କରୁଛି। ଏଭଳି ପରିସ୍ଥିତିରେ ଏବେ ଚୀନ୍‌ ନିଜ ଦୋଷ ଲୁଚାଇବାକୁ ନୂଆ ଷଡ଼ଯନ୍ତ୍ର ଆରମ୍ଭ କରିଦେଇଛି। ଭାରତର ଲଦାଖ ସ୍ଥିତ ଗଲୱାନ ଘାଟିକୁ ଚୀନ୍‌ ପୁଣି ଥରେ ନିଜ ଅଂଚଳ ବୋଲି ଘୋଷଣା କରିବା ସୈନ୍ୟ ମୁତୟନ ବଢ଼ାଇ ଚାଲିଛି ଏବଂ ଏହି ଅଂଚଳରୁ ଦୂରେଇ ରହିବାକୁ ଭାରତକୁ ଚେତାବନୀ ଦେଇଛି।

ଚୀନ୍‌ର ସରକାରୀ ଖବରକାଗଜ ଲ ଟାଇମ୍ସରେ କୁହାଯାଇଛି ଯେ ଭାରତ ଚୀନ୍‌ ଅଂଚଳରେ ଅତିକ୍ରମଣ କରି ବିବାଦ ସୃଷ୍ଟି କରିଛି। ଭାରତକୁ ଧମକ ଦେଇ ଚୀନ୍‌ କହିଛି, ଏବେ ବିଶ୍ବରେ ଚୀନ୍‌ର କୂଟନୈତିକ ସ୍ଥିତି ସୁଦୃଢ଼ ରହିଛି ଏବଂ ଭାରତର ଜିଡିପିଠାରୁ ଚୀନ୍‌ ଜିଡିପି ୫ ଗୁଣ ରହିଛି। ଚୀନ୍‌ର ଶକ୍ତିକୁ ନେଇ ଭାରତର ଧାରଣା ବଦଳିବା ଆବଶ୍ୟକ ଏବଂ ଚୀନ୍‌ ୧୯୬୨ ତୁଳନାରେ ଏବ ଅନ୍ତର୍ଜାତୀୟ ସ୍ତରରେ ଅଧିକ ମଜବୁତ ରହିଛି । ଭାରତ ତୁରନ୍ତ ଗଲୱାନ ଅଂଚଳରୁ ସେନା ପ୍ରତ୍ୟାହାର ନକଲେ ସ୍ଥିତି ବିଗିଡ଼ିବ ଏବଂ ଡୋକଲାମଠାରୁ ଏହା ଅଧିକ ଜଟିଳ ହେବ ବୋଲି ଗ୍ଲୋବାଲ୍‌ ଟାଇମ୍ସ କହିଛି।

ରନ୍‌ୱେରେ ଯୁଦ୍ଧ ବିମାନର ଉପସ୍ଥିତିଏନ୍‌ଏସ୍‌ଏ, ସିଡିଏସ୍‌ଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା

ନୂଆଦିଲ୍ଲୀ: ଚୀନ୍‌ ଏବେ ଲଦାଖ୍‌ ନିକଟରେ ନିଜର ବାୟୁସେନା ଘାଟିକୁ ସଂପ୍ରସାରଣ କରିବା ସହ ଏହାକୁ ନୂଆ ରୂପ ଦେଇଛି। ଏହି ଏୟାରବେସ୍‌ର ରନ୍‌ୱେରେ ଚୀନ୍‌ ଯୁଦ୍ଧ ବିମାନ ରଖିଥିବା ମଧ୍ୟ ଦେଖିବାକୁ ମିଳିଛି। ଏହି ବିମାନଘାଟି ପେଙ୍ଗୟୋଙ୍ଗ ହ୍ରଦ୍‌ଠାରୁ ମାତ୍ର ୨ ଶହ କିମି ଦୂରରେ ଅବସ୍ଥିତ । ଏହି ଘାଟିରେ ଥିବା ଯୁଦ୍ଧ ବିମାନ ହେଉଛି ଚୀନ୍‌ ନିର୍ମିତ ଜେ-୧୧ ଓ ଜେ-୧୬। ଏହି ବିମାନଗୁଡ଼ିକ ରୁଷ୍‌ ନିର୍ମିତ ସୁଖୋଇ ୨୭ ବିମାନ ସହ ସମକକ୍ଷ। ସ୍ୟାଟେଲାଇଟ୍‌ ଫଟୋରୁ ଉକ୍ତ ଘାଟିରେ ୪ଟି ଯୁଦ୍ଧ ବିମାନ ରହିଥିବା ଦେଖିବାକୁ ମିଳିଛି। ଏହି ବିମାନଘାଟିର ସଂପ୍ରସାରଣ କାର୍ଯ୍ୟ ନିକଟରେ ସଂପୂର୍ଣ୍ଣ ହୋଇଥିବା ପ୍ରକାଶ। ୧୪୦୨୨ ଫୁଟ ଉଚ୍ଚତାରେ ଥିବା ନାଗରି ଗୁନ୍ସା ବିମାନ ଘାଟିରେ ଚୀନ୍‌ ଏବେ ଅଧିକ ସକ୍ରିୟ ହୋଇଉଠିଥିବାରୁ ଭାରତୀୟ ବାୟୁସେନା ମଧ୍ୟ ଚୀନ୍‌ର ପ୍ରତ୍ୟେକ ଗତିବିଧି ଉପରେ ନଜର ରଖିଛି। ଲଦାଖରେ ଚୀନ୍‌ ଦୀର୍ଘକାଳୀନ ସମସ୍ୟା ସୃଷ୍ଟି କରିବାକୁ ଯୋଜନା କରି ସୁଚିନ୍ତିତ ରଣନୀତିରେ ଆଗକୁ ବଢ଼ୁଥିବାରୁ ଭାରତ ମଧ୍ୟ ତା’ର ରଣନୀତି ବଦଳାଇଛି। ଉପଗ୍ରହ ମାଧ୍ୟମରେ ଚୀନ୍‌ର ସାମରିକ କାର୍ଯ୍ୟକଳାପ ଉପରେ ସତର୍କ ନଜର ରଖାଯାଉଛି। ଚୀନ୍‌ ସହ ସୀମା ବିବାଦ ଜଟିଳ ହେଉଥିବାରୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏ ବାବଦରେ ସିଡିଏସ୍‌ ବିପିନ ରାୱତ ଓ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଅଜିତ ଡୋଭାଲଙ୍କ ସହ ଆଲୋଚନା କରିଛନ୍ତି। ପ୍ରକୃତ ନିୟନ୍ତ୍ରଣ ରେଖାରେ ସୁରକ୍ଷା ସ୍ଥିତି ସଂପର୍କରେ ପ୍ରଧାନମନ୍ତ୍ରୀ ଅବଗତ ହେବା ସହ ସେନା ମୁତୟନ ଓ ଅନ୍ୟ ରଣନୀତି ଉପରେ ଆଲୋଚନା କରିଛନ୍ତି।

ସମ୍ବନ୍ଧିତ ଖବର