ଭାରତକୁ ଲାଗିଥିବା ସୀମାରେ ଅତ୍ୟାଧୁନିକ ସତର୍କତା ଉପକରଣ ଖଞ୍ଜୁଛି ଚୀନ

ନୂଆଦିଲ୍ଲୀ: ଭାରତକୁ ଲାଗିଥିବା ସୀମାରେ ନିଜର ପ୍ରହରା ବ୍ୟବସ୍ଥାକୁ ଆହୁରି ବଢାଇଦେଇଛି ଚୀନ । ଭାରତପଟୁ ସମ୍ଭାବ୍ୟ ବିପଦର ମୁକାବିଲା ଲାଗି ଚୀନ ପକ୍ଷରୁ ଅତ୍ୟାଧୁନିକ ପ୍ରଯୁକ୍ତିର ମଧ୍ୟ ସହାୟତା ନିଆଯାଉଛି । ଚୀନ ସମ୍ବାଦପତ୍ର ଗ୍ଲୋବାଲ ଟାଇମ୍ସରେ ପ୍ରକାଶିତ ଏକ ଖବର ଅନୁସାରେ ଚୀନ ସେନା ଏକ ଉପଗ୍ରହ ଭିତ୍ତିକ ସତର୍କ ବ୍ୟବସ୍ଥା ବା ସାଟେଲାଇଟ୍‌ ଓ୍ଵାର୍ଣିଂ ସିଷ୍ଟମର ସ୍ଥାପନା ଲାଗି ଯୋଜନା ଚାଲିଛି । ଏହା ଦ୍ୱାରା ଭାରତ ପକ୍ଷରୁ ହେବାକୁ ଥିବା ଯେକୌଣସି କାର୍ଯ୍ୟକଳାପକୁ ଆଗୁଆ ଜାଣିପାରିବ ଚୀନ ସେନା । ଦୁର୍ଗମ ଅଂଚଳ ଯେଉଁଠାରେ ପାଟ୍ରୋଲିଂ କରିବା କଷ୍ଟକର ସେଠାରେ ଏହା ବେଶ ଉପଯୋଗୀ ହୋଇପାରିବ । କେବଳ ଏତିକି ନୁହେଁ ଚୀନ-ଭାରତ ସୀମାରେ ସ୍ଥିତ ତିବ୍ଦତ ଉପତ୍ୟାକାରେ ଏକ ପାଙ୍ଗଙ୍ଗ୍‌ ହ୍ରଦରେ ଚୀନ ପକ୍ଷରୁ ଦ୍ରୁତଗାମୀ ପାଟ୍ରୋଲିଂ ବୋଟ ମୃତୟନ କରାଯାଇଛି । ବରଫକୁ କାଟି ମଧ୍ୟ ଏହା ଆଗକୁ ବଢିପାରିବ । ଏହି ବୋଟ୍‌ ଘଣ୍ଟା ପ୍ରତି ୪୦ କିଲୋମିଟର ବେଗରେ ଯାଇପାରିବ । ଅନ୍ୟପକ୍ଷରେ ମ୍ୟାଁମାର ଓ ପାକିସ୍ତାନକୁ ଲାଗିଥିବା ସୀମାରେ ମଧ୍ୟ ସୁରକ୍ଷାକୁ କଡାକଡି କରିଛି ଚୀନ ସେନା ।ଏହା ସହିତ ସୀମାନ୍ତ ଅଂଚଳରେ ସାମରିକ ଭିତ୍ତିଭୂମିକୁ ସୁଦୃଢ କରୁଛି ଚୀନ । ଭାରତ ସହିତ ଚୀନର ସୀମା ବିବାଦ ଦିନକୁ ଦିନ ବଢୁଥିବାରୁ ଚୀନ ଏହି ପଦକ୍ଷେପ ନେଇଛି ।

ସମ୍ବନ୍ଧିତ ଖବର