ଉଇଘୁର ମୁସଲିମ ମାନଙ୍କୁ ଗୋପନ କ୍ୟାମ୍ପରେ ରଖାଯାଇଥିବା କଥା ସ୍ୱୀକାର କଲା ଚୀନ, କିନ୍ତୁ ଅତ୍ୟାଚାର ଖବରକୁ ଅସ୍ୱୀକାର

ବେଜିଂ : ପଶ୍ଚିମ ଚୀନରେ ବିଭିନ୍ନ ଗୋପନୀୟ କ୍ୟାମ୍ପରେ ଉଇଘୁର ମୁସଲିମମାନଙ୍କୁ ବନ୍ଦୀ କରାଯାଇ ସେମାନଙ୍କୁ ବଳପୂର୍ବକ ନିଜ ଧର୍ମ ଓ ପରମ୍ପରାକୁ ଭୁଲିବାକୁ ବାଧ୍ୟ କରାଯାଉଛି ବୋଲି ଜାତିସଂଘର ମାନବାଧିକାର ସଂସ୍ଥା ଅଭିଯୋଗ କରିଆସୁଛି । ପୂର୍ବରୁ ଅନେକ ଥର ଚୀନ ଏହାକୁ ଅସ୍ୱୀକାର କରିଆସିଛି । କିନ୍ତୁ ଏବେ ପ୍ରଥମ ଥର ପାଇଁ ଚୀନ ଏପରି କ୍ୟାମ୍ପ ଥିବା କଥା ସ୍ୱୀକାର କରିଛି । ତେବେ ଏଠାରେ ସ୍ଥାନୀୟ ଉଇଘୁର ଲୋକମାନଙ୍କୁ ଆଦର୍ଶ ନାଗରିକ ହେବା ପାଇଁ ତାଲିମ ଦିଆଯାଉଛି, ସେମାନଙ୍କ କୌଶଳ ବିକାଶ କରାଯାଉଛି ବୋଲି ଜିଜିଆଙ୍ଗ ସରକାରର ଅଧ୍ୟକ୍ଷ ସୋହରାତ ଜାକିର କହିଛନ୍ତି ।

ଗତ ଅଗଷ୍ଟମାସରେ ଜାତିସଂଘ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଥିଲା ଯେ ଚୀନ ପକ୍ଷରୁ ପ୍ରାୟ ୨୦ ଲକ୍ଷ ଓ୍ଵିଘର ଓ ମୁସଲିମ ସଂଖ୍ୟାଲଘୁଙ୍କୁ ଜବରଦସ୍ତି ବିଭିନ୍ନ ରାଜନୈତିକ କ୍ୟାମ୍ପରେ ରଖି ସେମାନେ ଯେପରି ଧର୍ମ ତଥା ରୀତିନୀତିକୁ ଭୁଲି କମ୍ୟୁନିଜିମକୁ ଗ୍ରହଣ କରିବେ ସେ ନେଇ ସେମାନଙ୍କୁ ଜବରଦସ୍ତି ଶିକ୍ଷା ଦିଆଯାଉଛି । ପଶ୍ଚିମ ଚୀନରେ ଥିବା ଜିଜିଆଙ୍ଗ ରାଜ୍ୟ ମୁସଲିମ ବହୁଳ ହୋଇଥିବାରୁ ସେଠାରେ ଇସ୍ଲାମିକ ଆନ୍ଦୋଳନ ଦିନକୁ ଦିନ ବଢିବାରେ ଲାଗିଛି । ବିଚ୍ଛିନ୍ନତାବାଦ ମଧ୍ୟ ବଢିଚାଲିଛି । ଏ ଅଂଚଳରେ ଆତଙ୍କବାଦ ମଧ୍ୟ ଦିନକୁ ଦିନ ବଢିଚାଲିଛି ବୋଲି ଚୀନ ସ୍ୱୀକାର କରିଛି । ଏହାକୁ ଦମନ କରିବାକୁ ଚୀନ ସେମାନଙ୍କ ଉପରେ ଏପରି ଅତ୍ୟାଚାର ଚଳାଇଛି ବୋଲି ଜାତିସଂଘ କହିଥିଲା ।

ସମ୍ବନ୍ଧିତ ଖବର