ବୁଦ୍ଧଙ୍କ ବିରୁଦ୍ଧରେ ଚୀନ୍‌ର ଯୁଦ୍ଧ ଘୋଷଣା! କମ୍ୟୁନିଷ୍ଟ ଚୀନ୍‌ରେ ଆଉ ନିର୍ମାଣ କରାଯାଇ ପାରିବ ନାହିଁ ବୁଦ୍ଧ ମୂର୍ତ୍ତି

ବେଜିଂ (ଚୀନ୍‌): ବୁଦ୍ଧଙ୍କ ବିରୋଧରେ ଯୁଦ୍ଧ ଘୋଷଣା କରିଛି ଚୀନ୍‌! ହଁ; ଶୁଣିବାକୁ କିଛିଟା କିଛିଟା ଉଦ୍ଭଟ ଲାଗୁଥିଲେ ମଧ୍ୟ ଘଟଣାଟି ସତ। ଚୀନ୍‌ର ସର୍ବସାଧାରଣ ସ୍ଥାନମାନଙ୍କରେ ଏଣିକି ବୁଦ୍ଧଙ୍କର ଆଉ ବଡ଼ ବଡ଼ ସୁଉଚ୍ଚ ପ୍ରତିମୂର୍ତ୍ତି ନିର୍ମାଣ କରାଯାଇ ପାରିବ ନାହିଁ। ଏହା ଉପରେ ଶାସନ କ୍ଷମତାରେ ଥିବା ଚୀନ୍‌ର କମ୍ୟୁନିଷ୍ଟ ସରକାର ପ୍ରତିବନ୍ଧକ ଲଗାଇବା ସହ ଏହି ପ୍ରତିବନ୍ଧକକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ଚୀନ୍‌ର ଆଞ୍ଚଳିକ ସରକାରମାନଙ୍କୁ ଲିଖିତ ନିର୍ଦ୍ଦେଶ ଦେଇଥିବା ଚୀନ୍‌ର ସରକାରୀ ଗଣମାଧ୍ୟମ ପ୍ରକାଶ କରିଛି। ଯଦି କେଉଁଠି

ଏହି ନିୟମର ବିରୁଦ୍ଧାଚରଣ ହୁଏ, ତେବେ ସେ କ୍ଷେତ୍ରରେ ନିର୍ମାଣାଧୀନ ମୂର୍ତ୍ତିକୁ ଭାଙ୍ଗିଦେବା ପାଇଁ ସୁଦ୍ଧା ଆଞ୍ଚଳିକ ସରକାରକୁ କ୍ଷମତା ପ୍ରଦାନ କରାଯାଇଛି।
ବୌଦ୍ଧଧର୍ମ (ବୁଦ୍ଧିଜିମ୍‌) ଓ ଚୀନ୍‌ର ଦେଶୀୟ ଧର୍ମ (ଟାଓଜିମ୍‌) ହେଉଛି ଚୀନ୍‌ର ସରକାରୀ ମାନ୍ୟତା ପ୍ରାପ୍ତ ଧର୍ମ। କମ୍ୟୁନିଷ୍ଟ ଚୀନ୍‌ରେ ଏହି ଦୁଇ ଧର୍ମର ସହସ୍ରାଧିକ ମନ୍ଦିର ଉପାସନା ସ୍ଥଳ ରହିଛି। ତେବେ, କମ୍ୟୁନିଷ୍ଟ ପାର୍ଟି ଅଫ୍‌ ଚୀନ୍‌ର ପ୍ରତିଷ୍ଠାତା ମାଓ ଜିଡଙ୍ଗ୍‌ଙ୍କ ସମୟରେ ୧୯୬୬ର ୭୬ ମଧ୍ୟରେ ସଂଘଟିତ ସଂସ୍କୃତିକ ବିପ୍ଲବ ସମୟରେ ଏହା ଅନେକ ଘାତପ୍ରତିଘାତର ସାମନା କରି ଆସିଛି।

ତେବେ, ବର୍ତ୍ତମାନ ସମୟରେ ଚୀନ୍‌ରେ ବୌଦ୍ଧଧର୍ମ (ବୁଦ୍ଧିଜିମ୍‌) ଓ ଚୀନ୍‌ର ଦେଶୀୟ ଧର୍ମ (ଟାଓଜିମ୍‌)ର ବ୍ୟାପକ ବ୍ୟବସାୟୀକରଣ ଚାଲିଥିବା ଅଭିଯୋଗ କରି ଚୀନ ସରକାର ଏହି ପ୍ରତିବନ୍ଧକ ଲଗାଇଛନ୍ତି ବୋଲି ଚୀନ୍‌ର ସରକାରୀ ସମ୍ବାଦପତ୍ର ‘ଗ୍ଲୋବାଲ୍‌ ଟାଇମସ୍‌’ ପ୍ରକାଶ କରିଛି। ବିରାଟ ବିରାଟ ବୁଦ୍ଧ ପ୍ରତିମା ନିର୍ମଣ ଆଳରେ ସର୍ବସାଧାରଣ ସ୍ଥାନକୁ ଜବରଦଖଲ କରାଯିବା ସହ ବ୍ୟବସାୟ ପାଇଁ ବ୍ୟବହାର କରାଯାଉଛି ବୋଲି ଅଭିଯୋଗ ହୋଇଛି। ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ବୌଦ୍ଧଧର୍ମ ଭାରତରୁ ଯାଇ ଚୀନ୍‌ରେ ନିଜର କାୟା ବିସ୍ତାର କରିଥିଲା। ଚୀନ୍‌ର ଏକ ପ୍ରାଚୀନ ଓ ପ୍ରମୁଖ ଧର୍ମ ହେଉଛି ବୌଦ୍ଧଧର୍ମ। ଚୀନ୍‌ରେ ବୌଦ୍ଧ ଧର୍ମାବଲମ୍ବୀଙ୍କ ସଂଖ୍ୟା ୨୦୦ ମିଲିୟନରୁ ଅଧିକ। ଚୀନ୍‌ରେ ୩୩, ୫୦୦ରୁ ଅଧିକ ବୌଦ୍ଧ ମନ୍ଦିର ରହିଛି।

ସମ୍ବନ୍ଧିତ ଖବର