୧୦୦୦ କିମିର ଟନେଲ୍‌ ପ୍ରସ୍ତୁତ କରି ବ୍ରହ୍ମପୁତ୍ର ନଦୀରୁ ଜଳ ଶୋଷିବା କଥାକୁ ଅସ୍ୱୀକାର କଲା ଚୀନ

ବେଜିଂ: ଅରୁଣାଚଳ ପ୍ରଦେଶରୁ ଖୁବ୍‌ କମ୍‌ ଦୂରତାରେ ପ୍ରବାହିତ ହେଉଥିବା ବ୍ରହ୍ମପୁତ୍ର ନଦୀ ଜଳକୁ ଚୀନ ୧୦୦୦ କିଲୋମିଟରର ଦୀର୍ଘ ଏକ ବୃହତ ଭୂତଳ ଟନେଲ୍‌ ନିର୍ମାଣ କରି ଜିନଜିଆଙ୍ଗ ପ୍ରଦେଶକୁ ନେବା ଯୋଜନା କରୁଛି ବୋଲି ଉଠିଥିବା ପ୍ରସଙ୍ଗକୁ ଚୀନ ଅସ୍ୱୀକାର କରିଛି। ତେବେ ହଙ୍ଗକଙ୍ଗରୁ ପ୍ରକାଶିତ ସାଉଥ୍‌ ଚାଇନା ମର୍ଣ୍ଣିଙ୍ଗ ପୋଷ୍ଟରେ ପ୍ରକାଶ ପାଇଛି ଯେ ବିଶ୍ୱର ସବୁଠାରୁ ଦୀର୍ଘ ଟନେଲ୍‌ ନିର୍ମାଣ କରିବା ପାଇଁ ଚୀନର ଇଞ୍ଜିନିୟରମାନେ ସରକାରଙ୍କୁ ପ୍ରସ୍ତାବ କରିଛନ୍ତି।

‘ଏହା ମିଥ୍ୟା, ପ୍ରକାଶ ପାଇଥିବା ଖବର ଗୁଜବ ଅଟେ,’ ବୋଲି ଚୀନର ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର ହୁଆ ଚୁଇଙ୍ଗ୍‌ ଗଣମାଧ୍ୟମକୁ ଜଣାଇଛନ୍ତି। ସେ ଆହୁରି ବି କହିଛନ୍ତି ଯେ ଚୀନ ସୀମାରେ ଥିବା ନଦୀର ଜଳ ଆବଣ୍ଟନ ସମସ୍ୟା ନେଇ ପୂର୍ଣ୍ଣ ସହଯୋଗ କରିବ।

ରିପୋର୍ଟ ମୁତାବକ, ନିକଟରେ ଶୁଣିବାକୁ ମିଳିଥିଲା ଯେ ବ୍ରହ୍ମପୁତ୍ର ନଦୀରୁ ପ୍ରବାହିତ ହେଉଥିବା ଜଳକୁ ଏକ ୧୦୦୦ କିଲୋମିଟର ଦୀର୍ଘ ଟନେଲ୍‌ ପ୍ରସ୍ତୁତ କରି ଚୀନ ନିଜ ଦେଶର ସବୁଠାରୁ ବଡ଼ ପ୍ରଶାସନିକ ଡିଭିଜନ ଜିନଜିଆଙ୍ଗ ପ୍ରଦେଶରେ ଥିବା ମରୁଭୂମି ଏବଂ ଜଳହୀନ ଅଞ୍ଚଳକୁ ଜଳ ଯୋଗାଣ କରିବ। ଏଠାରେ ଜଣାଇ ଦେଉଛୁ କି, ଦକ୍ଷିଣ ତିବ୍ଦତରେ ଥିବା ୟାର୍ଲଙ୍ଗ ସ୍ତାଙ୍ଗପୋ ନଦୀ ପ୍ରବାହିତ ହୋଇ ଭାରତରେ ପ୍ରବେଶ କରିବା ପରେ ବ୍ରହ୍ମପୁତ୍ର ଭାବେ ନାମିତ ହୋଇଛି । ପୂର୍ବରୁ ଏହି ୟାର୍ଲଙ୍ଗ ନଦୀ ଉପରେ ଚୀନ ଅନେକଗୁଡ଼ିଏ ଡ୍ୟାମ ନିର୍ମାଣ କରିସାରିଛି। ମାତ୍ର ଏ ସଂପର୍କରେ ଚୀନ ବର୍ତ୍ତମାନ ମତ ଦେଇଛି ଯେ ଜଳ ସଞ୍ଚିତ କରି ରଖିବା ପାଇଁ ଏ ପର୍ଯ୍ୟନ୍ତ କୌଣସି ଡ୍ୟାମ୍‌ ପ୍ରସ୍ତୁତ ହୋଇନାହିଁ।

ଯଦି ଚୀନ ଏହି ଟନେଲ୍‌ ନିର୍ମାଣ କରେ ତେବେ ତିବ୍ଦତରୁ ବାହାରି ଭାରତର ଉତ୍ତର-ପୂର୍ବ ରାଜ୍ୟ ଏବଂ ଆସାମ୍‌ ଦେଇ ବଙ୍ଗୋପ ସାଗରରେ ମିଶିଥିବା ବ୍ରହ୍ମପୁତ୍ର ଏକ ପ୍ରକାର ଶୁଷ୍କ ହୋଇଯିବ। ଏହା ଫଳରେ ଭାରତର ଏକ ବିରାଟ ଅଂଶରେ ଜନଜୀବନ ପ୍ରଭାବିତ ହେବ।

ସମ୍ବନ୍ଧିତ ଖବର