ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ୍ ପ୍ରଯୁକ୍ତିର କମାଲ୍: ମଣିଷ କି ରୋବର୍ଟ ନୁହେଁ, କିନ୍ତୁ ୨୪ ଘଣ୍ଟା ନ୍ୟୁଜ୍ ପଢ଼ିପାରୁଛି ଏହି ଆଙ୍କର୍

ବେଜିଂ: ଆପଣ ଯଦି ଭାବୁଥାଆନ୍ତି, ଆପଣ ଜଣେ ସାମ୍ବାଦିକ; ସେଥିରେ ପୁଣି ବୈଦ୍ୟୁତିକ ଗଣମାଧ୍ୟମରେ ସମ୍ବାଦ ପାଠକ (ନ୍ୟୁଜ୍ ଆଙ୍କର); ଆପଣ ଯେପରି ଭାବେ ସମ୍ବାଦ ପରିବେଷଣ କରନ୍ତି ତା’ର ଅନ୍ୟ ବିକଳ୍ପ ନାହିଁ! ସେଥିପାଇଁ ଆପଣଙ୍କ ଚାକିରି ଯିବାର ଭୟ ମଧ୍ୟ ନାହିଁ! ତେବେ, ସାବଧାନ! କାରଣ ଆପଣଙ୍କର ବିକଳ୍ପ ପ୍ରସ୍ତୁତ ହୋଇସାରିଲାଣି। ପଡ଼ୋଶୀ ରାଷ୍ଟ୍ର ଚୀନର ସରକାରୀ ଗଣମାଧ୍ୟମ ସଂସ୍ଥା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ୍ ପ୍ରଯୁକ୍ତି ମାଧ୍ୟମରେ ତିଆରି କରିଛି ଭର୍ଚୁଆଲ୍ ନ୍ୟୁଜ ରିଡର।

ଚୀନ୍ ଏବେ ଆଉ ଏହି କ୍ଷେତ୍ରରେ ନିଜ ପାରଦର୍ଶିତା ସାବ୍ୟସ୍ତ କରିଛି । ପ୍ରଥମ ଥର କରି ଚୀନରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ୍ ବେସ୍ଡ ନ୍ୟୁଜ୍ ଆଙ୍କର ପ୍ରସ୍ତୁତ କରାଯାଇଛି । ଚୀନର ନ୍ୟୁଜ୍ ଏଜେନ୍ସି ଜିନହୁଆ ଏଥିପାଇଁ ଚୀନର ସର୍ଚ୍ଚ ଇଞ୍ଜିନ୍ ସୋଗୁ ସହ ପାର୍ଟନରସିପ୍ କରିଛି । ଏହି ଏଆଇ ନ୍ୟୁଜ୍ ଆଙ୍କର ଖବର ପଢ଼ିବା ସହ ଏହାର ଉଚ୍ଚାରଣ ମଧ୍ୟ ମଣିଷଙ୍କ ଭଳି କରିପାରୁଛି। ଏହି ନ୍ୟୁଜ୍ ଆଙ୍କର ଦୁନିଆର ପ୍ରଥମ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ୍ ବେସ୍ଡ ଆଙ୍କର । ରିପୋର୍ଟ ମୁତାବକ ଏହି ନ୍ୟୁଜ୍ ଆଙ୍କର ୨୪ ଘଣ୍ଟା କାମ କରିବା ପାଇଁ ସକ୍ଷମ । ଖାସ୍ କଥା ହେଉଛି କି ଏହି ଭର୍ଚୁଆଲ୍ ନ୍ୟୁଜ୍ ଆଙ୍କର ମଧ୍ୟରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢିବାର କ୍ଷମତା ରହିଛି । ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସକୁ ବ୍ୟବହାର କରି ଫଟୋ ଏବଂ ମଣିଷର ସ୍ୱରକୁ ମିଳାଇ ସମ୍ପୁର୍ଣ୍ଣ ଅସଲି ମଣିଷ ଭଳି ଭାବଭଙ୍ଗୀ ଦେଇଥାଏ ଏହି ଆଙ୍କର।

ଏହି ଭର୍ଚୁଆଲ୍ ନ୍ୟୁଜ୍ ଆଙ୍କରର ଓଠର ଭାବଭଙ୍ଗୀ ପାଇଁ ମେସିନ୍ ଲର୍ଣ୍ଣିଙ୍ଗ୍ ପ୍ରୋଗ୍ରାମର ବ୍ୟବହାର କରାଯାଇଛି । ତେବେ ଯଦି ଧ୍ୟାନର ସହ ଦେଖିବେ ତ ଆଙ୍କରର ଲିପ୍ସିଙ୍ଗ୍ ଟିକେ ନକଲି ଲାଗିବ। ଏହି ଏଆଇ ନ୍ୟୁଜ୍ ଆଙ୍କର ଇଂରାଜୀ ଏବଂ ମେଣ୍ଡେରିନ୍ ଭାଷାରେ ନ୍ୟୁଜ୍ ପଢିବା ପାଇଁ ସକ୍ଷମ ଅଟନ୍ତି । ଏହି ଆଙ୍କରକୁ ଟିଭି ଏବଂ ୱେବ୍ ପେଜ୍ ପାଇଁ କାମ କରୁଥିବା ଦେଖିବାକୁ ମିଳିବ । ଯଦି ଆପଣ ଏହାକୁ ଏକ ରୋବୋର୍ଟ ଭାବୁଛନ୍ତି ତେବେ ଆମେ ଆପଣଙ୍କୁ କହିରଖୁଛୁ ଯେ ଏହା କେବଳ ଏକ ଭର୍ଚୁଆଲ୍ ନ୍ୟୁଜ୍ ଆଙ୍କର । ତେବେ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ମାଇକଲ୍ ବୁଲରିଜଙ୍କ ମତରେ ଏହି ନ୍ୟୁଜ୍ ଆଙ୍କର ଅସଲି ଦେଖିବାକୁ ଚେଷ୍ଟା କରେ କିନ୍ତୁ ଏଥିରେ କୌଣସି ବିବିଧତା ନଥିବାରୁ ଲୋକେ ଏହାକ ଅଧିକରୁ ଅଧିକ ସମୟ ଦେଖିବାକୁ ପସନ୍ଦ କରିବେ ନାହିଁ । କିନ୍ତୁ ଏହା ମାନିବାକୁ ପଡ଼ିବ ଯେ ଗ୍ଲୋବାଲ୍ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ୍ ସିନ୍ଥେସିସରେ ଏହା ଏକ ପ୍ରକାରର କ୍ରାନ୍ତି ଆଣିଦେଇଛି।

ସମ୍ବନ୍ଧିତ ଖବର