ଅରୁଣାଚଳ ସୀମାରେ ସୁନା ଖୋଜୁଛି ଚୀନ୍‌ : ଗଚ୍ଛିତ ସୁନା ଓ ହୀରାର ଆନ୍ତର୍ଜାତିକ ଅନୁମାନିକ ମୂଲ୍ୟ ୬ ହଜାର କୋଟି ଡଲାର

ପୁଣି ହେବ ଡୋକଲାମ ଭଳି ସ୍ଥିତି!

ବେଜିଂ: ଭାରତର ଅରୁଣାଚଳ ସୀମାକୁ ଲାଗି ରହିଥିବା ଅଂଚଳରେ ଏବେ ଚୀନ୍‌ ସୁନା ଖଣି ସନ୍ଧାନରେ ଖନନ ପ୍ରକ୍ରିୟା ଆରମ୍ଭ କରିଦେଇଛି। ଚୀନ ରାଷ୍ଟ୍ରପତି ଜି ଜିନପିଙ୍ଗ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶିଖର ବୈଠକକୁ ମାସେ ପୂରି ନଥିବା ବେଳେ ପୁଣିଥରେ ଦୁଇ ଦେଶ ମଧ୍ୟରେ ସୀମାକୁ ନେଇ ବିବାଦୀୟ ସ୍ଥିତି ସୃଷ୍ଟି ହୋଇଛି। ଅରୁଣାଚଳ ସୀମାକୁ ଲାଗି ରହିଥିବା ନିଜ ଅଞ୍ଚଳରେ ଚୀନ ଏବେ ଖନନ କାର୍ଯ୍ୟ ଆରମ୍ଭ କରିଦେଇଛି। ଏହି ଅଞ୍ଚଳରେ ବିପୁଳ ମାତ୍ରାରେ ସୁନା ଓ ହୀରା ରହିଥିବା ଚୀନ ସରକାର ସନ୍ଧାନ ପାଇଛନ୍ତି। ଏଠାରେ ଗଚ୍ଛିତ ଥିବା ସୁନା ଓ ହୀରାର ଆନ୍ତର୍ଜାତିକ ଅନୁମାନିକ ମୂଲ୍ୟ ୬ ହଜାର କୋଟି ଡଲାରରୁ ଊର୍ଦ୍ଧ୍ୱ ହେବ। ଯେଉଁଥିପାଇଁ ସୀମାରେ ପୁଣିଥରେ ଦୁଇ ଦେଶର ସେନା ସତର୍କ ହୋଇଛନ୍ତି।

ହଂକଂ ସ୍ଥିତ ସାଉଥ୍‌ ଚାଇନା ମଣ୍ଣିଂ ପୋଷ୍ଟ ନାମକ ଏକ ଖବର କାଗଜର ରିପୋର୍ଟ ମୁତାବକ, ଭାରତ ଚୀନ ସୀମାରେ ଥିବା ଲୁଂଝ କାଉଣ୍ଟିରେ ଚୀନ ଏହି ଖଣି ଖନନ କାର୍ଯ୍ୟ ଚଳାଇଛି। ସେପଟେ, ଦକ୍ଷିଣ ତିବ୍ଦତ ଦଖଲ କରିବାକୁ ଏହା ଚୀନର ଏକ ଚାଲ୍‌ ବୋଲି ମଧ୍ୟ କୁହାଯାଉଛି। ଏହି ଅଞ୍ଚଳରେ ଖଣି ଖନନ ବାହାନାରେ ଚୀନ ଯେଉଁଭଳି ଭାବରେ ନିର୍ମାଣ କାର୍ଯ୍ୟ ଜାରି ରଖିଛି ତାହା ଦକ୍ଷିଣ ଚୀନ ସାଗର ପରି ସ୍ଥିତି ଭବିଷ୍ୟତରେ ସୃଷ୍ଟି କରିବ ବୋଲି ଚର୍ଚ୍ଚା ହେଉଛି। ତିବ୍ଦତରେ  ଖଣିଖନନକୁ  ଚୀନ୍‌ର ବିଦେଶ ମନ୍ତ୍ରାଳୟର ପ୍ରବକ୍ତା ସୋମବାର ଏହାକୁ ସମର୍ଥନ କରିଛନ୍ତି। ସେ କହିଛନ୍ତି, ତିବ୍ଦତ ଚୀନର  ଅଂଶ, ତେଣୁ ସେଠାରେ ଖଣିଖନନ କରିବାରେ  କୌଣସି ଅସୁବିଧା ନାହିଁ।

ଉଲ୍ଳେଖଯୋଗ୍ୟ, ଦକ୍ଷିଣ ଚୀନ ସାଗରକୁ ନିଜର ବୋଲି ଦାବି କରି ଚୀନ ନିଜର ଆଧିପତ୍ୟ ବିସ୍ତାର କରିଆସିଛି। ସେଠାରେ ବିଭିନ୍ନ କୃତ୍ରିମ ଦ୍ୱୀପ ତିଆରି କରିବା ବାହାନାରେ ସାମରିକ ଘାଟି ନିର୍ମାଣ କରି ଅନ୍ୟ ରାଷ୍ଟ୍ରମାନଙ୍କୁ ଡରାଉଛି। ଅରୁଣାଚଳ ସୀମାରେ ଚୀନ ନିଜର ଆଧିପତ୍ୟ ବିସ୍ତାର କରିବାକୁ ସୀମାରେ ବେପରୁଆ ଖନନ କାର୍ଯ୍ୟ ସାଙ୍ଗକୁ ନିର୍ମାଣ କାର୍ଯ୍ୟ ଜାରି ରଖିଥିବାରୁ ଆଦିବାସୀ ସମ୍ପ୍ରଦାୟର ଲୋକଙ୍କ ଜୀବନଯାପନ ଓ ବନ୍ୟଜନ୍ତୁ ସଂରକ୍ଷଣ ନେଇ ପ୍ରଶ୍ନ ଉଠୁଛି। ପୂର୍ବରୁ ମଧ୍ୟ ଚୀନ ରାଷ୍ଟ୍ରପତି ଜିନ୍‌ପିଙ୍ଗ୍‌ କହି ସାରିଛନ୍ତି ଯେ, ଚୀନର ଗୋଟିଏ ଇଞ୍ଚ ସ୍ଥାନକୁ ବରବାଦ ହେବାକୁ ଦିଆଯିବ ନାହିଁ କି ସେଥିରେ କେହି ଆଧିପତ୍ୟ ଜାହିର କରିପାରିବେ ନାହିଁ।

ସମ୍ବନ୍ଧିତ ଖବର