ପାକିସ୍ତାନ ପାଇଁ ଚୀନ ଛାଡିଲା ଦୁଇଟି କ୍ରୁତ୍ରିମ ଉପଗ୍ରହ, ଉଦ୍ଦେଶ୍ୟ ଭାରତ ଉପରେ ନଜର ରଖିବା

ବେଜିଂ : ପାକିସ୍ତାନକୁ ପୁଣି ସାହାଯ୍ୟ କରିଛି ଚୀନ । ପାକିସ୍ତାନ ପାଇଁ ଦୁଇଟି କ୍ରୁତ୍ରିମ ଉପଗ୍ରହ ମହାକାଶକୁ ଛାଡ଼ିଛି ଚୀନ । ଏହା ଦ୍ୱାରା ପାକିସ୍ତାନ କେତେକ ବୈଜ୍ଞାନିକ ଗବେଷଣା କରିପାରିବ ବୋଲି କୁହାଯାଉଥିଲେ ମଧ୍ୟ ପ୍ରକୃତରେ ତାହା ଗୁପ୍ତଚର କାମ ରେ ଲାଗିବ ବୋଲି ସାମରିକ ବିଶେଷଜ୍ଞମାନେ ସଂଦେହ କରୁଛନ୍ତି । ଏହି ଦୁଇଟି ସାଟେଲାଇଟର ନାଁ ହେଉଛି ପିଆରଏସଏସ-୧ ଓ ପାକଟେସ-୧ଏ । ଏଗୁଡିକୁ ଚୀନର ଉତ୍ତର-ପଶ୍ଚିମରେ ଥିବା ଜିକୁଆନ ଉପଗ୍ରହ ପ୍ରକ୍ଷେପଣ କେନ୍ଦ୍ରକୁ ପଠାଯାଇଛି ବୋଲି ଚୀନର ସମ୍ବାଦ ସରବରାହ ସଂସ୍ଥା ଜିନୁହା କହିଛି । ଏହି ଦୁଇଟି ଉପଗ୍ରହ ମହାକାଶରେ ପ୍ରବେଶ କରିବାପରେ ସ୍ୱାଭାବିକ ଭାବେ କାମ କରୁଛନ୍ତି ବୋଲି ଜଣାଯାଇଛି । ଏଗୁଡ଼ିକର ଡେଣାରେ ଲାଗିଥିବା ସୋଲାର ସେଲ ମଧ୍ୟ କାମ କରିବା ଆରମ୍ଭ କଲାଣି । ଆହୁରି ମଧ୍ୟ ଏଥିରେ ଲାଗିଥିବା ଶକ୍ତିଶାଳୀ କ୍ୟାମେରା ମଧ୍ୟ କାମ ଆରମ୍ଭ କରିଦେଲାଣି । କୃଷି, ପାଣିପାଗ ଓ ଯୋଗାଯୋଗ ପାଇଁ ଏସବୁ ଉପଗ୍ରହ ବ୍ୟବହାର କରାଯିବ ବୋଲି କୁହାଯାଉଥିବାବେଳେ ଏହାର ଗୋପନ ଉଦ୍ଦେଶ୍ୟ ଭାରତ ଉପରେ ନଜର ରଖିବା ବୋଲି ସଂଦେହ କରାଯାଉଛି ।

ସମ୍ବନ୍ଧିତ ଖବର