ଚୀନ୍‌କୁ ନଜର: ଭାରତ-ଭିଏତନାମ ପ୍ରଥମ ନୌସମରାଭ୍ୟାସ

ନୂଆଦିଲ୍ଲୀ: ଏସୀୟ ପ୍ରଶାନ୍ତ ଅଂଚଳରେ ଚୀନ୍‌ର ଦାଦାଗିରିକୁ ରୋକିବା ପାଇଁ ଭାରତ ଏବେ ଭିଏତନାମ ସହ ହାତ ମିଳାଇଛି ଏବଂ ଉଭୟ ରାଷ୍ଟ୍ର ମଧ୍ୟରେ ପ୍ରଥମ ମିଳିତ ନୌସମରାଭ୍ୟାସ ଆସନ୍ତାକାଲିଠାରୁ ଆରମ୍ଭ ହେବ। ଆସନ୍ତାମାସରେ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଭିଏତନାମ ଗସ୍ତରେ ଯିବାକୁ ଥିବା ବେଳେ ଏହା ପୂର୍ବରୁ ବଡ଼ ଧରଣର ନୌସମରାଭ୍ୟାସ ଦୁଇ ଦେଶର ରଣନୀତିକ ସଂପର୍କକୁ ଅଧିକ ସୁଦୃଢ଼ କରିବ। ମେ ୨୫ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି ସମରାଭ୍ୟାସରେ ଭାରତର ଅତ୍ୟାଧୁନିକ ଯୁଦ୍ଧପୋତଗୁଡ଼ିକୁ ସାମିଲ କରାଯାଇଛି। ଭିଏତନାମକୁ ଭାରତ ପ୍ରତିରକ୍ଷା କ୍ଷେତ୍ରରେ ଜଣେ ଭଲ ସହଯୋଗୀ ଭାବେ ଗ୍ରହଣ କରିଛି ଏବଂ ଆଗକୁ ଦୁଇ ଦେଶ ମିଳିତ ସାମରିକ କାର୍ଯ୍ୟକ୍ରମ ଜାରି ରଖିବେ। ଭିଏତନାମ ସେନା ମୁଖ୍ୟ ମଧ୍ୟ ଆାଗାମୀ ଦିନରେ ଭାରତ ଗସ୍ତରେ ଆସିବେ ବୋଲି ଜଣାପଡ଼ିଛି । ଦକ୍ଷିଣ ଚୀନ୍‌ ସାଗରରେ ଚୀନ୍‌ର ଏକଚାଟିଆ ଆଧିପତ୍ୟ ବିସ୍ତାରକୁ ରୋକିବା ପାଇଁ ଆମେରିକା ନେତୃତ୍ୱରେ ଅଘୋଷିତ ମେଣ୍ଟ ଆରମ୍ଭ ହୋଇଥିବା ବେଳେ ଏବେ ଭାରତ-ଭିଏତନାମ ହାତ ମିଳାଇଥିବାରୁ ଚୀନ୍‌ର ଚିନ୍ତା ବଢ଼ିଯାଇଛି । ଭିଏତନାମ ଯୁଦ୍ଧ ବିମାନ ପାଇଲଟଙ୍କୁ ଭାରତ ସୁଖୋଇ-୩୦ ଉଡ଼ାଣ ପ୍ରଶିକ୍ଷଣ ଦେବ ବୋଲି ମଧ୍ୟ ଜଣାପଡ଼ିଛି ।

ସମ୍ବନ୍ଧିତ ଖବର