ଚୀନ୍‌ର ଚକ୍ରବ୍ୟୁହରେ ମାଳଦ୍ୱୀପ

ଏଫ୍‌ଡିଆଇ ବାହାନରେ ୧୭ ଦ୍ୱୀପ କବ୍‌ଜା, ଭାରତର ହସ୍ତକ୍ଷେପକୁ ଅପେକ୍ଷା

ନୂଆଦିଲ୍ଲୀ: ଭାରତ ମହାସାଗରର ଦ୍ୱୀପ ରାଷ୍ଟ୍ର ମାଳଦ୍ୱୀପ ଏବେ ବଡ଼ ଧରଣର ରାଜନୈତିକ ସଙ୍କଟ ଦେଇ ଗତି କରୁଛି । ଗୋଟିଏ ପଟେ ଆଭ୍ୟନ୍ତରୀଣ ସମସ୍ୟା ଚରମ ସ୍ଥିତିରେ ଥିବା ବେଳେ ଅନ୍ୟପଟେ ଚୀନ୍‌ର ବିସ୍ତାରବାଦୀ ଯୋଜନା ମାଳଦ୍ୱୀପକୁ ଏବେ ଅନିଶ୍ଚିତତା ଭିତରକୁ ନେଇଯାଇଛି । ଭାରତ ମହାସଗାରରେ ମାଳଦ୍ୱୀପର ୧୭ଟି ଦ୍ୱପକୁ ଚୀନ୍‌ ପ୍ରତ୍ୟକ୍ଷ ପୁଂଜି ନିବେଶ ଏବଂ ଆର୍ଥିକ ଜୋନ୍‌ ବାହାନରେ ନିଜ ନିୟନ୍ତ୍ରଣକୁ ନେଇଛି। ଚୀନ୍‌ ୪୦ ନିୟୁତ ଡଲାର ଖର୍ଚ୍ଚ କରିବାକୁ ପ୍ରତିଶ୍ରୁତି ଦେଇ ଗୋଟିଏ ପରେ ଗୋଟିଏ ଦ୍ୱୀପ କବ୍‌୍‌ଜା କରିଥିବା ବେଳେ ସମଗ୍ର ଅଂଚଳ ଖୁବ୍‌ଶୀଘ୍ର ଚୀନ୍‌ର ସାମରିକ ଜୋନ୍‌ ପାଲଟିଯିବା ଆଶଙ୍କା କରାଯାଉଛି । ପୂର୍ବ ରାଷ୍ଟ୍ରପତି ମହମ୍ମଦ ନସିଦ ଗଣମାଧ୍ୟମକୁ କହିଛନ୍ତି ଯେ ଚୀନ୍‌ର ପୁଂଜି ନିବେଶ ଆଉ ପୁଂଜି ଭିତରେ ସୀମିତ ହୋଇ ରହିବା ଭଳି ଦେଖାଯାଉନାହିଁ। ଏଭଳି ସ୍ଥିତିରେ ଭାରତ ମହାସାଗରର ସୁରକ୍ଷା ନେଇ ଭାରତ ମଧ୍ୟ ଯଥୋଚିତ ପଦକ୍ଷେପ ନେବା ଜରୁରୀ ବୋଲି ସେ କହିଛନ୍ତି । ବର୍ତ୍ତମାନର ସ୍ଥିତିରେ ମାଳଦ୍ୱୀପରେ ଗଣତନ୍ତ୍ରର ସୁରକ୍ଷା ପାଇଁ ଭାରତ ସାମରିକ ପଦକ୍ଷେପ ଗ୍ରହଣ ନକଲେ ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯିବ ବୋଲି ସେ ଆଶଙ୍କା ପ୍ରକାଶ କରିଛନ୍ତି। ଏହି ଦ୍ୱୀପ ରାଷ୍ଟ୍ରରେ ଏବେ ଅଶାନ୍ତିର ନିଆଁ ଜଳୁଛି। ରାଷ୍ଟ୍ରପତି ଅବଦୁଲ୍ଲା ୟମିନ ରାଷ୍ଟ୍ରରେ ଜରୁରୀ ପରିସ୍ଥିତି ଘୋଷଣା କରିବା ସହ ପ୍ରଧାନ ବିଚାରପତି ଓ ଅନ୍ୟ ବିଚାରପତିଙ୍କୁ ବନ୍ଦୀ କରି ରଖିଛନ୍ତି।

ଭାରତ ମହାସାଗରରେ ସଙ୍କଟ ବଢ଼ୁଛି
ମାଳଦ୍ୱୀପ କ୍ଷେତ୍ରରେ ନିଜ ବିସ୍ତାର ନୀତି କାର୍ଯ୍ୟକାରୀ କରିବାରେ ଚୀନ୍‌ ସଫଳ ହୋଇଥିବାରୁ ଭାରତ ମହାସାଗରରେ ସଙ୍କଟ ବଢ଼ିବାରେ ଲାଗିଛି। ଅବଦୁଲ୍ଲା ୟମିନ୍‌ ୨୦୧୩ରେ ଏକ ବିବାଦୀୟ ନିର୍ବାଚନ ପ୍ରକ୍ରିୟାରେ ରାଷ୍ଟ୍ରପତି ନିର୍ବାଚିତ ହେବା ପରଠାରୁ ଚୀନ୍‌ ସ୍ୱତନ୍ତ୍ର ଅର୍ଥନୈତିକ ଅଂଚଳ ବିକାଶ କରିବା ବାହାନାରେ ଗୋଟିଏ ପରେ ଗୋଟିଏ କ୍ଷୁଦ୍ର ଦ୍ୱୀପକୁ କବ୍‌୍‌ଜା କରିବା ଆରମ୍ଭ କରିଛି । କିନ୍ତୁ ୟମିନ କେବଳ ସାମୟିକ ନ୍ୟସ୍ତ ସ୍ୱାର୍ଥ ପାଇଁ ଚୀନ୍‌ର ଚାଲ୍‌କୁ ପ୍ରୋତ୍ସାହନ ଦେଇ ଚାଲିଥିବାରୁ ଏବେ ସ୍ଥିତି ଜଟିଳ ହୋଇଛି। ମାଳଦ୍ୱୀପ ସଙ୍କଟକୁ ଆଭ୍ୟନ୍ତରୀଣ ସଙ୍କଟ କହି ଚୀନ୍‌ ଭାରତର ହସ୍ତକ୍ଷେପକୁ ବନ୍ଦ କରବାକୁ ଚାପ ସୃଷ୍ଟି କରିବା ଆରମ୍ଭ କରିଛି । ଭାରତ ମଧ୍ୟ ବର୍ତ୍ତମାନର ସ୍ଥିତି ନେଇ କେବଳ କୂଟନୈତିକ କସରତରେ ସୀମିତ ରହିଛି । ସୂଚନାଯୋଗ୍ୟ ୨୦୧୬ରେ ମାଳଦ୍ୱୀପ ବ୍ରିଟେନ ରାଜଗୋଷ୍ଠୀରୁ ନିଜକୁ ପ୍ରତ୍ୟାହାର କରିନେଇଥିଲା। ଗଣତାନ୍ତ୍ରିକ ଅନୁଷ୍ଠାନଗୁଡ଼ିକୁ ସଙ୍କଟରେ ପକାଇଥିବାରୁ ମାଳଦ୍ୱୀପକୁ ରାଜ୍ୟଗୋଷ୍ଠୀରୁ ନିଲମ୍ବନ କରିବା ପାଇଁ ନଷ୍ପତ୍ତି ପରେ ୟମିନ ଏଭଳି ପଦକ୍ଷେପ ନେଇଥିଲେ। ଚୀନ୍‌ ଏବଂ ସାଉଦି ଆରବ ସହ ପୁଂଜି ଲଗାଣ ନେଇ କେତେକ ବିବାଦୀୟ ଚୁକ୍ତି କରିବା ପରେ ଏହାକୁ ମଧ୍ୟ ପ୍ରବଳ ବିରୋଧ କରାଯାଇଥିଲା। ଗତ ଡିସେମ୍ବରରେ ୟମିନ ବେଜିଂ ଗସ୍ତ କରି ରାଷ୍ଟ୍ରପତି ଜି ପିନ୍‌ପିଙ୍ଗଙ୍କ ସହ ପୁଂଜି ନିବେଶ ସଂକ୍ରାନ୍ତ ଆଲୋଚନା କରିଥିଲେ। ଏବେ ଚୀନ୍‌ ନିଜର ଅର୍ଥଶକ୍ତି ବଳରେ ମାଳଦ୍ୱୀପକୁ ଅସ୍ତ୍ର କରି ଭାରତ ମହାସାଗରରେ ଶକ୍ତି ବୃଦ୍ଧି କରିବାକୁ ଚାହୁଛି।

ଭାରତ ପାଖରେ ବିକଳ୍ପ କ’ଣ ?
ଗଣତାନ୍ତ୍ରିକ ଉପାୟରେ ୨୦୦୯ରେ ନିର୍ବାଚିତ ହୋଇଥିବା ମାଳଦ୍ୱୀପର ପ୍ରଥମ ରାଷ୍ଟ୍ରପତି ମହମ୍ମଦ ନସିଦ୍‌ କହିଛନ୍ତି ଯେ କେବଳ କୂଟନୈତିକ ଚାପ ୟମିନଙ୍କୁ ତାଙ୍କ ଏକଛତ୍ରବାଦୀ ନୀତିକୁ ପରିହାର କରିବାକୁ ବାଧ୍ୟ କରିପାରିବ ନାହିଁ। ଭାରତର ସାମରିକ ହସ୍ତକ୍ଷେପକୁ ଏଡ଼ାଇବା ପାଇଁ ଚୀନ୍‌ ଅତ୍ୟନ୍ତ କୌଶଳକ୍ରମେ ଏବେ ମାଳଦ୍ୱୀପ ରାଷ୍ଟ୍ରପତିଙ୍କ ପ୍ରତିନିଧି ସହ ଆଲୋଚନା କରିଛି। ଏ କ୍ଷେତ୍ରରେ ଭାରତର ଭୂମିକାକୁ ଗୌଣ କରିବା ପାଇଁ କୌଣସି ସୁଯୋଗ ଚୀନ୍‌ ହାତଛଡ଼ା କରୁନାହିଁ। ଭାରତ ସାମରିକ ହସ୍ତକ୍ଷେପ କଲେ ଭାରତ ମହାସାଗରରେ ଚୀନ୍‌ର କାୟାବିସ୍ତାର ଯୋଜନାକୁ ପ୍ରଚଣ୍ଡ୍‌ ଝଟ୍‌କା ଲାଗିବ। ତେଣୁ ଚୀନ୍‌ ଏହାକୁ ଏଡ଼ାଇବା ପାଇଁ ମାଳଦ୍ୱୀପ ମାମଲାରୁ ଭାରତକୁ ଦୂରେଇ ରଖିବାକୁ ଚାହୁଛି । ଏବେ ମାଳଦ୍ୱୀପରେ ସେନା ବାହିନୀ ନିୟନ୍ତ୍ରଣରେ ସମସ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନ ରହିଥିବାରୁ ଏକପ୍ରକାର ପରୋକ୍ଷ ସାମରିକ ଶାସନ ସ୍ଥାପିତ ହୋଇଛି। ଏଭଳି ସ୍ଥିତିରେ ଚୀନ୍‌ର ହାତବାରିସୀ ସାଜିଥିବା ରାଷ୍ଟ୍ରପତିଙ୍କୁ ସୁରକ୍ଷା ଦେଇ ଚୀନ୍‌ କେବଳ ନିଜର ଆଧିପତ୍ୟ ଚାହୁଛି। ଏ ବାବଦରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ରାଷ୍ଟ୍ରପତି ଡୋନାଲ୍‌୍‌ଡ ଟ୍ରମ୍ପ୍‌ଙ୍କ ସହ ଟେଲିଫୋନ୍‌ରେ ଆଲୋଚନା କରିଛନ୍ତି। ଉଭୟ ରାଷ୍ଟ୍ରର ମିଳିତ ପଦକ୍ଷେପ ଚୀନ୍‌ ପ୍ରଭାବକୁ ପ୍ରତିହତ କରିବାକୁ ସକ୍ଷମ ଥିଲେ ମଧ୍ୟ ଏ କ୍ଷେତ୍ରରେ ଭାରତ ସେଭଳି କୌଣସି ସଙ୍କେତ ଦେଇନାହିଁ।

ଏବେ କ’ଣ ଘଟୁଛି ?
ମାଳଦ୍ୱୀପରେ ଏବେ ଗଣତନ୍ତ୍ର ବିପନ୍ନ ହୋଇଛି । ଗତ ସପ୍ତାହରେ ମାଳଦ୍ୱୀପ ସୁପ୍ରିମ୍‌ କୋର୍ଟ ଏକ ଐତିହାସିକ ରାୟ ଦେଇ ୯ ଜଣ ବନ୍ଦୀ ରାଜନେତାଙ୍କୁ ଖଲାସ କରିବାକୁ ରାୟ ଦେଇଥିଲେ। ଏହା ସହିତ ୧୨ ଜଣ ସାଂସଦଙ୍କୁ ମଧ୍ୟ ସେମାନଙ୍କ ପଦବି ଫେରାଇ ଦେବାକୁ ରାୟରେ କହିଥିଲେ। ଏହି ୧୨ ସାଂସଦ ରାଷ୍ଟ୍ରପତି ୟମିନଙ୍କ ନୀତିକୁ ବିରୋଧ କରିବାରୁ ସେମାନଙ୍କୁ ପଦରୁ ହଟାଇ ଦିଆଯାଇଥିଲା। ସୁପ୍ରିମ୍‌ କୋର୍ଟଙ୍କ ଏହି ରାୟ କାର୍ଯ୍ୟକାରୀ ହୋଇଥିଲେ ବର୍ତ୍ତମାନର ସରକାର ସଂଖ୍ୟାଲଘୁ ପାଲଟିଯାଇଥାନ୍ତା। ତେବେ ୟମିନ ସୁପ୍ରିମ୍‌ କୋର୍ଟର ରାୟକୁ ଗ୍ରହଣ କରିବେ ନାହିଁ ବୋଲି ଘୋଷଣା କରିବା ସହ ସୁପ୍ରିମ୍‌ କୋର୍ଟକୁ ସେନା ପଠାଇ ଏହାକୁ ନିଜ ନିୟନ୍ତ୍ରଣକୁ ନେଇଛନ୍ତି। ପ୍ରଧାନ ବିଚାରପତିଙ୍କୁ ଗିରଫ କରାଯିବା ସହ ଜରୁରୀ ସ୍ଥିତି ଘୋଷଣା କରାଯାଇଛି । ରାଷ୍ଟ୍ରପତି ୟମିନଙ୍କ ଭାଇ ତଥା ପୂର୍ବ ରାଷ୍ଟ୍ରପତି ମୌମୁନ ଅବଦୁଲ ଗୟୁମ ଯିଏକି ଏହି ରାଷ୍ଟ୍ରକୁ ୩୦ ବର୍ଷ ଧରି ଶାସନ କରିଥିଲେ ତାଙ୍କୁ ମଧ୍ୟ ବନ୍ଦୀ କରାଯାଇଛି। ଗଣତନ୍ତ୍ରର ସୁରକ୍ଷା କରି ସେଠାରେ ଆଇନର ଶାସନ ଫେରାଇ ଆଣିବାକୁ ଭାରତ ମାଳଦ୍ୱୀପକୁ ଚେତାଇ ଦେଇଛି । ବର୍ତ୍ତମାନର ରାଷ୍ଟ୍ରପତିଙ୍କ କାର୍ଯ୍ୟକୁ ଆମେରିକା ମଧ୍ୟ କଡ଼ା ସମାଲୋଚନା କରିଛି । ଭାରତର ହସ୍ତକ୍ଷେପ ଲୋଡ଼ାଯାଇଥିବାରୁ ଚୀନ୍‌ର ଉଦ୍‌୍‌ବେଗ ବଢ଼ିଯାଇଛି। ପ୍ରାୟ ୪ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଏହି ମୁସ୍‌୍‌ଲିମ ରାଷ୍ଟ୍ରରେ ଗଣତନ୍ତ୍ରର ଭବିଷ୍ୟତ ବିପନ୍ନ ହୋଇପଡ଼ିଥିବାରୁ ଆଗକୁ କିଭଳି ପରିସ୍ଥିତି ହେବ ତାହା ଉପରେ ସମସ୍ତଙ୍କ ନଜର ରହିଛି ।

ସମ୍ବନ୍ଧିତ ଖବର