ଅରୁଣାଚଳକୁ ନେଇ ଚୀନ୍‌ର ନୂଆ ଚାଲ, ୩୦,୦୦୦ ମାନଚିତ୍ର ନଷ୍ଟ କଲା

ବେଜିଂ: ଅରୁଣାଚଳ ପ୍ରଦେଶକୁ ଚୀନ୍‌ ନିଜ ଅଂଚଳ ବୋଲି ଦର୍ଶାଇବାକୁ ପୁଣି ନୂଆ ଚାଲ୍‌ ଖେଳିଛି। ଚୀନ୍‌ରେ ଛପା ଯାଇଥିବା ଏକ ବିଶ୍ବ ମାନଚିତ୍ରରେ ଅରୁଣାଚଳକୁ ଭାରତର ଅଂଚଳ ଭାବେ ଦର୍ଶାଯାଇଥିବାରୁ ଚୀନ୍‌ ଏହି ମାନଚିତ୍ରକୁ ନଷ୍ଟ କରିଦେଇଛି। ପ୍ରାୟ ୩୦ ହଜାର ମାନଚିତ୍ର ବଜାରକୁ ଆସିବା ପୂର୍ବରୁ ଚୀନ୍‌ ଅଧିକାରୀମାନେ ଏହାକୁ ନଷ୍ଟ କରିଦେଇଥିବା ଚୀନ୍‌ ସରକାରୀ ଗଣମାଧ୍ୟମ ଗ୍ଲୋବାଲ୍‌ ଟାଇମ୍‌ସ ରିପୋର୍ଟରୁ ପ୍ରକାଶ। ଭାରତର ଉତ୍ତର ପୂର୍ବାଞ୍ଚଳରେ ଥିବା ଅରୁଣାଚଳ ପ୍ରଦେଶକୁ ଦକ୍ଷିଣ ତିବ୍ବତର ଏକ ଅଂଶ ବୋଲି ଚୀନ୍‌ ଦାବି କରିବା ସହ ସେଠାରେ ଭାରତର ଶାସନ ବ୍ୟବସ୍ଥାକୁ ବିରୋଧ କରିଆସୁଛି। ଏପରିକି ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗସ୍ତକୁ ମଧ୍ୟ ଚୀନ୍‌ ବିରୋଧ କରି ବିବୃତି ଜାରି କରିଥିଲା। ଅନ୍ୟପକ୍ଷରେ ଅରୁଣାଚଳ ପ୍ରଦେଶ ଭାରତର ଅଭିନ୍ନ ଅଙ୍ଗ ହୋଇଥିବାରୁ ଚୀନ୍‌ର ଦାବି ମୂଲ୍ୟହୀନ ଏବଂ ଅବାନ୍ତର ବୋଲି ଭାରତ କହିଆସିଛି। ଭାରତ ଏବଂ ଚୀନ୍‌ ମଧ୍ୟରେ ୩୪୪୮ କିମି ସୀମା ବିବାଦର ସମାଧାନ ପାଇଁ ୨୧ ଥର ଉଚ୍ଚସ୍ତରୀୟ ଆଲୋଚନା ହୋଇଥିଲେ ମଧ୍ୟ ଦୀର୍ଘସ୍ଥାୟୀ ସମାଧାନ ପାଇଁ କୌଣସି ପନ୍ଥା ବାହାରୁନାହିଁ। ଡୋକଲାମକୁ ନେଇ ଭାରତ ଏବଂ ଚୀନ୍‌ ପ୍ରାୟ ୭୨ ଦିନ ଧରି ମୁହାଁମୁହିଁ ସ୍ଥିତିରେ ରହିଥିଲେ ଏବଂ ଭାରତର ସଫଳ ରଣନୀତି ଯୋଗୁଁ ଚୀନ୍‌ ସେନା ପଛକୁ ହଟିବାକୁ ବାଧ୍ୟ ହୋଇଥିଲା। ତେବେ ଚୀନ୍‌ ଅରୁଣାଚଳ ସମେତ ଅନେକ କେତେକ ଅଂଚଳକୁ ନେଇ ବିବାଦ ଜାରି ରଖି ଭାରତ ଉପରେ ଚାପ ସୃଷ୍ଟି କରିବାକୁ ପ୍ରୟାସ ଜାରି ରଖିଛି। ଚୀନ୍‌ ନିଜର ବିସ୍ତାରବାଦୀ ନୀତି ସାବ୍ୟସ୍ତ କରିବା ପାଇଁ ତାଇୱାନକୁ ମଧ୍ୟ ନିଜର ଅଂଚଳ ବୋଲି ଦାବି କରୁଛି। ତାଇୱାନକୁ ଏକ ସ୍ବତନ୍ତ୍ର ରାଷ୍ଟ୍ରଭାବେ ବିଶ୍ବ ମାନଚିତ୍ରରେ ଦର୍ଶାଯାଇଥିବାରୁ ଚୀନ୍‌ ଅଧିକାରୀମାନେ ଏହା ବିରୋଧରେ ଲଗାତାର ଷଡ଼ଯନ୍ତ୍ର ଜାରି ରଖିଛନ୍ତି। ଆଞ୍ଚଳିକ ଶାନ୍ତି ଓ ସ୍ଥିରତା ପ୍ରତି ଧ୍ୟାନ ନଦେଇ ଚୀନ୍‌ ନିଜର ଆଧିପତ୍ୟ ଜାହିର କରିବାକୁ ପ୍ରୟାସ କରୁଥିବାରୁ ଭାରତ ସମେତ ବିଭିନ୍ନ ରାଷ୍ଟ୍ର ଏହାର କଡ଼ା ବିରୋଧ କରୁଛନ୍ତି।

ସମ୍ବନ୍ଧିତ ଖବର