ହିନ୍ଦୁ ତୀର୍ଥଯାତ୍ରୀଙ୍କୁ ମାନସରୋବରରେ ବୁଡ ପକାଇବାକୁ ଦେଉ ନାହିଁ ଚୀନ, ଜାଣନ୍ତୁ ପବିତ୍ର କୈଳାସ-ମାନସରୋବରର ମହିମା

ନୂଆଦିଲ୍ଲୀ : ଭାରତରୁ ପବିତ୍ର କୈଳାସ ମାନସରୋବର ଯାତ୍ରା କରୁଥିବା ତୀର୍ଥଯାତ୍ରୀମାନଙ୍କୁ ବୁଡ଼ ପକାଇବାକୁ ଚୀନ ସରକାର ସୁଯୋଗ ଦେଉନଥିବା ଅଭିଯୋଗ ହେଉଛି । ଲୋକମାନେ ବହୁକଷ୍ଟରେ ତିବ୍ଦତର ଏହି ପବିତ୍ର ମାତ୍ର ଦୂର୍ଗମ ସ୍ଥାନକୁ ଯାଉଥିବାବେଳେ ଚୀନ ସରକାର ଏପରି ମନୋବୃତ୍ତି ଯୋଗୁଁ ଯାତ୍ରୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ହିନ୍ଦୁ ତୀର୍ଥଯାତ୍ରୀମାନେ ଏବର୍ଷ ଦୁଇଟି ପଥ ଦେଇ କୈଳାସ-ମାନସରୋବର ଯାଉଛନ୍ତି । ଗୋଟିଏ ହେଲା ଉତ୍ତରାଖଣ୍ଡ ଦେଇ ଯାଇଥିବା ଲିପୁ-ଲେଖ ପାସ ଓ ସିକ୍କିମ ଦେଇ ଯାଇଥିବା ନାଥୁ-ଲା ପାସ୍‌ । ଗତ ବର୍ଷ ଚୀନ ସହିତ ଡୋକଲାମ ଗଣ୍ଡଗୋଳ ଯୋଗୁଁ ଚୀନ ନାଥୁ-ଲା ପାସ ବନ୍ଦ କରିଦେଇଥିଲା । କିନ୍ତୁ ଏ ବର୍ଷ ଏହା ଖୋଲାଯାଇଥିବା ପ୍ରାୟ ୨୦ ଦିନ ତଳେ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ ଘୋଷଣା କରିଥିଲେ । ଏହା ପରେ ଲୋକମାନେ ଏହି ଯାତ୍ରା ପାଇଁ ପଂଜୀକରଣ କରିଥିଲେ । କିନ୍ତୁ ଏବେ ବୁଡ଼ ପକାଇବାକୁ ଅନୁମତି ନ ମିଳିବା ଦ୍ୱାରା ଲୋକମାନେ ନିରାଶ ହଇଛନ୍ତି ।

ପବିତ୍ର କୈଳାସ-ମାନସରୋବରର ମହିମା

ହିନ୍ଦୁ, ଜୈନ, ବୁଦ୍ଧ ମାନଙ୍କ ପବିତ୍ର ତୀର୍ଥସ୍ଥଳୀ ହେଉଛି କୈଳାଶ ମାନସରୋବର । ହିନ୍ଦୁମାନଙ୍କ ବିଶ୍ୱାସ ଅନୁଯାୟୀ ଏହି ପର୍ବତ ହିଁ ଭଗବାନ ଶିବଙ୍କର ବାସସ୍ଥଳୀ । ଭାରତୀୟ ପୁରାଣ ଓ ଶାସ୍ତ୍ରରେ କୈଳାଶ ପର୍ବତର ମହିମା ବର୍ଣ୍ଣନା କରାଯାଇଛି । ମାନସରୋବର ଅର୍ଥାତ ମାନସ ଓ ସରୋବର । ମାନସର ଅର୍ଥ ହେଉଛି କଳ୍ପନା ଓ ସରୋବରର ଅର୍ଥ ହେଉଛି ହ୍ରଦ । ବିଶ୍ୱାସ କରାଯାଏ ମାନସରୋବର ପ୍ରଥମେ ସୃଷ୍ଟିକର୍ତ୍ତା ବ୍ରହ୍ମାଙ୍କ ପରିକଳ୍ପନାରୁ ଜାତ ହୋଇଥିଲା, ପରେ ଏହା ସାକାର ରୂପ ଗ୍ରହଣ କଲା । ଏହି ସରୋବରରେ ସ୍ନାନ କରି କୈଳାଶ ପର୍ବତ ପରିକ୍ରମା କଲେ ମନୁଷ୍ୟର ଜନ୍ମ ଜନ୍ମାନ୍ତର ପାପ ମୋଚନ ହେବା ସହ ମୃତ୍ୟପରେ ଶିବଲୋକ ପ୍ରାପ୍ତ ହୁଏ ବୋଲି ହିନ୍ଦୁ ପରମ୍ପରାରେ ବିଶ୍ୱାସ କରାଯାଏ । ପୂର୍ବରୁ ତିବ୍ଦତ ଦେଶ ଅଧିନରେ ଆସୁଥିଲା । ପୂର୍ବରୁ ଭାରତ ଓ ତିବ୍ଦତ ମଧ୍ୟରେ ସାଂସ୍କୃତିକ ଓ ଆଧ୍ୟାତ୍ମିକ ସଂପର୍କ ଥିବାରୁ ଭାରତୀୟ ତୀର୍ଥଯାତ୍ରୀମାନେ ସେଠାକୁ ନିର୍ବିଘ୍ନରେ ଯାଇପାରୁଥିଲେ । କିନ୍ତୁ ଗତ ଶତାବ୍ଦୀର ପଚାଶ ଦଶକରେ ଚୀନ ଦ୍ୱାରା ତିବ୍ଦତର ଅଧିକାର କରାଯିବା ପରେ କୈଳାଶ ମନସରୋବର ଯାତ୍ରା ଉପରେ କଟକଣା ଲଗାଇଲା । ତେବେ ପରେ ଭାରତ ସରକାରଙ୍କ ଆଲୋଚନା ପରେ ଚୀନ ଏଥିପାଇଁ ରାଜି ହୋଇଥିଲା ।

ସମ୍ବନ୍ଧିତ ଖବର