ଜାତିସଂଘ ସଂକଳ୍ପନାମାକୁ ଚୀନ ପୁଣି ବିରୋଧ କରିବ

ମାସୁଦ୍‌ ଆଝାରକୁ ଆନ୍ତର୍ଜାତିକ ଆତଙ୍କବାଦୀ ଘୋଷଣା ପ୍ରସଙ୍ଗ:

ବେଜିଂ : ପାକିସ୍ତାନରେ ପରିଚାଳିତ ଆତଙ୍କବାଦୀ ସଂଗଠନ ଜୈସ-ଇ-ମହମ୍ମଦ(ଜେଇଏମ୍‌) ମୁଖ୍ୟ ମାସୁଦ୍‌ ଆଝାରକୁ ଜଣେ ଅନ୍ତର୍ଜାତୀୟ ଆତଙ୍କବାଦୀ ଘୋଷଣା ପ୍ରସଙ୍ଗରେ ଭାରତକୁ ପୁଣି ଥରେ ନିରାଶ ହେବାର ଆଶଙ୍କା ଦେଖାଦେଇଛି। ଚଳିତ ସପ୍ତାହରେ ଜାତି ସଂଘ ମାସୁଦ୍‌ ବିରୋଧରେ ଏଭଳି ଏକ ସଂକଳ୍ପନାମା ଜାରି କରିବାକୁ ଥିବା ବେଳେ ଚୀନ୍‌ ଏହାକୁ ପୁଣି ବିରୋଧ କରିବ ବୋଲି ଜଣାଯାଇଛି।
ଗତବର୍ଷ ଭାରତୀୟ ସେନା ଘାଟି ଉପରେ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ଥିବା ମାସୁଦ୍‌କୁ ଜଣେ ଅନ୍ତର୍ଜାତୀୟ ଆତଙ୍କବାଦୀ ଭାବେ ବିବେଚନା କରିବା ଲାଗି ଭାରତ ପକ୍ଷରୁ ବାରମ୍ବାର ଉଦ୍ୟମ ଜାରି ରହିଥିବା ବେଳେ ବିଶେଷ କରି ଚୀନ୍‌ ତାହାକୁ ଭଣ୍ଡୁର କରିଦେଉଛି। ମାସୁଦ୍‌ ବିରୋଧରେ ଏଭଳି ଘୋଷଣାନାମା ପାଇଁ ଜାତିସଂଘ ସୁରକ୍ଷା ପରିଷଦର ୧୨୬୭ କମିଟିରେ ତଥାପି ସହମତି ହୋଇନାହିଁ ବୋଲି ଚୀନ ବୈଦେଶିକ ମନ୍ତ୍ରାଳୟ ଦାବି କରୁଛି। ଗତ ବର୍ଷ ମାର୍ଚ୍ଚରେ ମଧ୍ୟ ମାସୁଦ୍‌ ବିରୋଧରେ ଭାରତର ଆବେଦନକୁ ଭିଟୋ କ୍ଷମତା ଥିବା ଚୀନ୍‌ ବିରୋଧ କରିବା ପରେ ତାହା ନାକଚ ହୋଇଯାଇଥିଲା। ସୁରକ୍ଷା ପରିଷଦର ଅନ୍ୟ ସମସ୍ତ ୧୪ ସଦସ୍ୟ ଭାରତର ପ୍ରସ୍ତାବ ସପକ୍ଷରେ ଥିବା ବେଳେ ଏକମାତ୍ର ଚୀନ ହିଁ ବିରୋଧ କରିଥିଲା। ତେବେ ଗତ ଜାନୁଆରିରେ ମାସୁଦ୍‌କୁ ଆନ୍ତର୍ଜାତିକ ଆତଙ୍କବାଦୀ ଭାବେ ବିବେଚନା କରିବାକୁ ଫ୍ରାନ୍ସ ଓ ବ୍ରିଟେନ୍‌ ସମର୍ଥନରେ ଆମେରିକା ପୁଣି ପ୍ରସ୍ତାବ ରଖିଛି। ମାତ୍ର ଚୀନ୍‌ ଏହି ପ୍ରସ୍ତାବ ଉପରେ ବିଚାର କରିବା ଲାଗି ସମୟ ସୀମାକୁ ଗତ ଅଗଷ୍ଟ ଯାଏ ଟାଳିଦେବା ସହ ବିଚାର ଅବଧିକୁ ଆଉ ତିନି ମାସ ବଢ଼ାଇ ଦେଇଥିଲା। ତେବେ ଏହି ବର୍ଦ୍ଧିତ ଅବଧି ଆସନ୍ତା ଗୁରୁବାର ସରୁଥିବା ବେଳେ ସେହି ପ୍ରସ୍ତାବକୁ ଚୀନ୍‌ ପୁଣି ବିରୋଧ କରିବ ବୋଲି ସୂଚନା ଦେଇଛି।

ସମ୍ବନ୍ଧିତ ଖବର