ପାକ୍‌ ଅଧିକୃତ କଶ୍ମୀର ମଧ୍ୟଦେଇ ଚୀନ୍‌- ପାକିସ୍ତାନ ମଧ୍ୟରେ ଆରମ୍ଭ ହେଲା ବସ୍‌ସେବା; ବିପଦରେ ଭାରତର ସାର୍ବଭୌମତ୍ୱ!

ନୂଆଦିଲ୍ଲୀ: ଭାରତର ତୀବ୍ର ବିରୋଧ ଓ ପ୍ରତିବାଦ ସତ୍ତ୍ୱେ ସୋମବାର ମଧ୍ୟରାତ୍ର ଠାରୁ ପାକ୍‌ ଅଧିକୃତ କଶ୍ମୀର (ପିଓକେ) ମଧ୍ୟ ଦେଇ ପାକିସ୍ତାନ ଓ ଚୀନ୍‌ ମଧ୍ୟରେ ଘରୋଇ ବସ୍‌ ସେବା ଆରମ୍ଭ ହୋଇଛି। ଏହି ବସ୍‌ ସେବା ଚୀନ୍‌ ପାକିସ୍ତାନ ଇକୋନମିକ୍‌ କରିଡର (ସିପିଇସି) ଯୋଜନା ଅଧୀନରେ ଆରମ୍ଭ କରାଯାଇଥିବା ଉଭୟ ଦେଶ ପକ୍ଷରୁ କୁହାଯାଇଛି।

ପାକିସ୍ତାନୀ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଏହି ବସ୍‌ ଲାହୋରର ଗୁଲବର୍ଗ ଟର୍ମିନଲରୁ ଚୀନ୍‌ର ଜିଆନ୍‌ଜିଙ୍ଗ୍‌ ପର୍ଯ୍ୟନ୍ତ ଯାତ୍ରା କରିବ। ଏବଂ ଯାତ୍ରା ଅବଧି ୩୬ ଘଣ୍ଟା ରହିବା ସହ ବସ୍‌ ପାକ୍‌ ଅଧିକୃତ କଶ୍ମୀର (ପିଓକେ) ମଧ୍ୟ ଦେଇ ଯାତ୍ରା କରିବ।

ପୂର୍ବରୁ ଏହି ପ୍ରସ୍ତାବିତ ବସ୍‌ ଯାତ୍ରା ଉପରେ ପ୍ରତିକ୍ରିୟା ରଖି ଭାରତୀୟ ବୈଦେଶିକ ମନ୍ତ୍ରାଳୟର ପ୍ରବକ୍ତା ରଭିଶ କୁମାର କହିଥିଲେ ଯେ ପାକ୍‌ ଅଧିକୃତ କଶ୍ମୀର (ପିଓକେ)ରୁ ଚୀନ୍‌ ମଧ୍ୟରେ ଆରମ୍ଭ ହେବାକୁ ଥିବା ଏହି ବସ୍‌ ଯାତ୍ରା ଭାରତର ସାର୍ବଭୌମତ୍ୱକୁ ଉଲ୍ଲଂଘନ କରିବ। ସେଥିପାଇଁ ଭାରତୀୟ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଉଭୟ ଚୀନ୍‌ ଓ ପାକିସ୍ତାନ ନିକଟରେ ଏହି ପ୍ରସ୍ତବିତ ବସ୍‌ ଯାତ୍ରା ନେଇ ତୀବ୍ର ଓ ଦୃଢ଼ ବିରୋଧ କରାଯିବା ସହ ଏହାକୁ ବନ୍ଦ ରଖିବା ପାଇଁ କୁହା ଯାଇଥିଲା। ହେଲେ, ଉଭୟ ଚୀନ୍‌ ଓ ପାକିସ୍ତାନ, ଭାରତର ବିରୋଧ ଓ ପ୍ରତିବାଦ ପ୍ରତି ଭୃକ୍ଷେପ ନକରି ତଥାକଥିତ ଚୀନ୍‌ ପାକିସ୍ତାନ ଇକୋନମିକ୍‌ କରିଡର (ସିପିଇସି) ଯୋଜନା ଅଧୀନରେ ସୋମବାର ମଧ୍ୟରାତ୍ରରୁ ପାକ୍‌ ଅଧିକୃତ କଶ୍ମୀର (ପିଓକେ) ମଧ୍ୟ ଦେଇ ପାକିସ୍ତାନ ଓ ଚୀନ୍‌ ମଧ୍ୟରେ ଘରୋଇ ବସ୍‌ ସେବା ଆରମ୍ଭ କରିଛନ୍ତି।

ଏପରିସ୍ଥିତିରେ ଭାରତ ପରବର୍ତ୍ତୀ ପଦକ୍ଷେପ କ’ଣ ଗ୍ରହଣ କରୁଛି, ତାହାକୁ ଦେଖିବା ପାଇଁ ଦେଶବାସୀ ଅପେକ୍ଷା କରି ରହିଛନ୍ତି।

ସମ୍ବନ୍ଧିତ ଖବର