୨୮ ପ୍ରକାର ଭାରତୀୟ ଔଷଧ ଉପରୁ ଆମଦାନି କର ଉଠାଇଲା ଚୀନ୍‌

ନୂଆଦିଲ୍ଲୀ: ମେ’ ପହିଲାରୁ କ୍ୟାନ୍‌ସର୍‌ ଔଷଧ ସମେତ ପ୍ରାୟ ୨୮ ପ୍ରକାର ଔଷଧ ଉପରୁ ଆମଦାନି ଟିକସ ଉଠାଇ ଦେଇଥିବା କଥା ଗୁରୁବାର ଦିନ ଚୀନ୍‌ କହିଛି। ଏହି ଏ ଭଳି ପଦକ୍ଷେପ ଫଳରେ ଏହି ଔଷଧ ସବୁ ଚୀନ୍‌କୁ ରପ୍ତାନି କରିବାରେ ଭାରତ ସମର୍ଥ ହୋଇ ପାରିବ।

ଭାରତସ୍ଥିତ ଚୀନ୍‌ର ରାଷ୍ଟ୍ରଦୂତ ଲୁଓ ଝାଓହୁଇ ଟୁଇଟ୍‌ କରି କହିଛନ୍ତି: ମେ’ ୧ ତାରିଖରୁ ସମସ୍ତ କ୍ୟାନ୍‌ସର୍‌ ଔଷଧ ସମେତ ୨୮ ପ୍ରକାରର ଔଷଧ ଉପରେ ଚୀନ୍‌ ଆମଦାନି ଶୁଳ୍କ ଉଠାଇ ଦେଇଛି। ଭାରତୀୟ ଔଷଧ କମ୍ପାନି ଏବଂ ଚୀନ୍‌କୁ ଔଷଧ ରପ୍ତାନିକାରୀଙ୍କ ପାଇଁ ଏହା ସୁସମ୍ବାଦ। ମୋର ବିଶ୍ୱାସ ଭବିଷ୍ୟତରେ ଏହା ଚୀନ୍‌ ଓ ଭାରତ ମଧ୍ୟରେ ଥିବା ବ୍ୟାବସାୟିକ ଅସନ୍ତୁଳନ କମାଇବାରେ ସହାୟକ ହେବ।

ଚୀନ୍‌ ସହ ଦେଖା ଦେଇଥିବା ବାଣିଜ୍ୟିକ ଅସନ୍ତୁଳନ କମାଇବା ନିମନ୍ତେ ସୂଚନା ଓ ପ୍ରଯୁକ୍ତିବିଦ୍ୟା, ଔଷଧ ଏବଂ କୃଷି ଆଦି କ୍ଷେତ୍ରରେ ଅଧିକ ବିପଣନ ସୁବିଧା ଦେବାକୁ ଭାରତ ବରାବର ଦାବି କରି ଆସୁଥିବାରୁ ଚୀନ୍‌ର ଏହି ପଦକ୍ଷେପ ଗୁରୁତ୍ୱପୂର୍ଣ୍ଣ ବୋଲି ବିଚାର କରିବାକୁ ହେବ।

ଅର୍ଥ ନୈତିକ ସମ୍ପର୍କ, ବାଣିଜ୍ୟ, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଷୟରେ ଭାରତ ଓ ଚୀନ୍‌ର ମିଳିତ ଦଳ ବୈଠକରେ ବାଣିଜ୍ୟିକ ଅସନ୍ତୁଳନ କଥା ପୁଙ୍ଖାନୁପୁଙ୍ଖ ଆଲୋଚିତ ହୋଇଥିଲା। ବ୍ୟାବସାୟିକ ବ୍ୟବଧାନ ବିଷୟରେ ଚୀନ୍‌ ଦୃଷ୍ଟି ଦେବ ବୋଲି ପ୍ରତିଶ୍ରୁତି ମଧ୍ୟ ଦେଇଥିଲା।

ଏପ୍ରିଲ୍‌-ଅକ୍ଟୋବର ୨୦୧୭-୧୮ ସୁଦ୍ଧା ଚୀନ୍‌ ଓ ଭାରତ ମଧ୍ୟରେ ବ୍ୟବସାୟିକ ତାରତମ୍ୟ ଥିଲା ୩୬. ୭୩ ବିଲିୟନ୍‌ ଡଲାର୍‌। ୨୦୧୬-୧୭ରେ ଏହି ପାର୍ଥକ୍ୟ ଥିଲା ୫୧ ବିଲିୟନ୍‌ ଡଲାର୍‌।

ବାଣିଜ୍ୟ ପ୍ରତିଷ୍ଠାନ ଆରମ୍ଭ କରିବାର ସମୟସୀମାକୁ ଅଧା କମାଇ ଦେଇ ଚୀନ୍‌ ବ୍ୟାବସାୟିକ ପରିବେଶର ଆହୁରି ଉନ୍ନତି କରିବ ବୋଲି ସେ କହିଛନ୍ତି।

ବାହାର ବିଶ୍ୱ ପାଇଁ ଚୀନ୍‌ର ଦ୍ୱାର ଆହୁରି ପ୍ରଶସ୍ତ ଭାବେ ଉନ୍ମୁକ୍ତ ହେବ। ଭାରତୀୟ ବ୍ୟବସାୟୀମାନଙ୍କୁ ସ୍ୱାଗତ କରୁଛୁ ବୋଲି ସେ ପୁଣି କହିଛନ୍ତି।
ଭାରତ ମଧ୍ୟ ଚୀନ୍‌ର ବିନିଯୋଗ ଚାହୁଁଛି। ବାଣିଜ୍ୟିକ ତାରତମ୍ୟ ହ୍ରାସ କରିବା ପାଇଁ ଏବଂ ବିନିଯୋଗ ବୃଦ୍ଧି କରାଇବା ପାଇଁ ଚୀନ୍‌ ଭାରତରେ ଇଣ୍ଡଷ୍ଟ୍ରି ପାର୍କ ସ୍ଥାପନ କରିବାକୁ ରାଜି ହୋଇଛି।

ସମ୍ବନ୍ଧିତ ଖବର