ସିପିଇସି ଅନୁଦାନ ବନ୍ଦ କଲା ଚୀନ୍‌: ପାକ୍‌ ସେନା ନିୟନ୍ତ୍ରଣରେ ରହିବ ପ୍ରକଳ୍ପ

ନୂଆଦିଲ୍ଲୀ: ଦୁର୍ନୀତିକୁ ମୁଖ୍ୟ ପ୍ରସଙ୍ଗ କରିି ସିପିଇସି (ଚୀନ ପାକିସ୍ତାନ ଆର୍ଥିକ କରିଡର) ଅନ୍ତର୍ଗତ ପାକିସ୍ତାନରେ ୩ଟି ରାସ୍ତା ପ୍ରକଳ୍ପ କାର୍ଯ୍ୟ ଲାଗି ପାଣ୍ଠି ବନ୍ଦ କରିବାକୁ ନିକଟରେ ଚୀନ୍‌ ଶୁଣାଇଦେଇଛି। ଚୀନ୍‌ର ଏହି ପଦକ୍ଷେପ ପାକିସ୍ତାନକୁ ତୀବ୍ର ଝଟ୍‌କା ଦେଇଥିବାବେଳେ ଅସଲ କାରଣ କିନ୍ତୁ କେବଳ ଦୁର୍ନୀତି ନୁହେଁ ବୋଲି ଆଜି ଏକ ରିପୋର୍ଟରୁ ଜଣାଯାଇଛି। ଚୀନ୍‌ ଏହି ପ୍ରକଳ୍ପରେ ପାକିସ୍ତାନ ସେନାବାହିନୀର ସମ୍ପୃକ୍ତି ଚାହୁଁଛି ବୋଲି ଗ୍ଲୋବାଲ୍‌ ଥିଙ୍କ୍‌ ଟ୍ୟାଙ୍କ୍‌ ୟୁରୋପିଆନ ଫାଉଣ୍ଡେସନ ଫର ସାଉଥ ଏସିଆନ ଷ୍ଟଡିଜ୍‌(ଇଏଫଏସଏସ)ର ରିପୋର୍ଟରୁ ଜଣାଯାଇଛି। ଚୀନର ସୁରକ୍ଷା ପ୍ରସଙ୍ଗକୁ ନଜରରେ ରଖି ଚୀନ୍‌ ପାକ୍‌ ସେନାବାହିନୀ ସିପିଇସି ପ୍ରକଳ୍ପରେ ସାମିଲ ହେବାକୁ ଚାହୁଁଛି ବୋଲି ଉକ୍ତ ରିପୋର୍ଟରୁ ଜଣାଯାଇଛି। ଉଲ୍ଲେଖଯୋଗ୍ୟ ସିପିଇସି ଅନ୍ତର୍ଗତ ଏହି ୩ଟି ରାସ୍ତା ପ୍ରକଳ୍ପ ଲାଗି ଗତ ନଭେମ୍ବର ୨୦ ତାରିଖରେ ଜେଡବ୍ଲ୍ୟୁଜି (ଜଏଣ୍ଟ ଓ୍ଵାର୍କିଂ ଗ୍ରୁପ୍‌)ରେ ପାଣ୍ଠି ନିର୍ଦ୍ଧାରଣ ହୋଇଥିଲା। ତେବେ ଦୁର୍ନୀତି ପ୍ରସଙ୍ଗରେ ରାସ୍ତା ପ୍ରକଳ୍ପ ଲାଗି ପାଣ୍ଠି ବନ୍ଦ କରିବାକୁ ଚୀନ୍‌ ଘୋଷଣା କରିଥିବା ବେଳେ ଇଏଫଏସଏସ ରିପୋର୍ଟ କହୁଛି ପାକିସ୍ତାନୀ ସେନାବାହିନୀ ପ୍ରମୁଖ ଦାୟିତ୍ୱ ନେବାପାଇଁ ବେଜିଂ ଆଗ୍ରହ ପ୍ରକାଶ କରିଛି କାରଣ ପାକିସ୍ତାନରେ କ୍ଷମତାର କେନ୍ଦ୍ରବିନ୍ଦୁ ସେନାବାହିନୀ ବୋଲି ଚୀନ୍‌ ଭଲଭାବେ ଜାଣିଛି ଏବଂ ଏଥିଲାଗି ଏହି ପ୍ରକଳ୍ପ କାର୍ଯ୍ୟ ସେନାବାହିନୀ ହସ୍ତରେ ନ୍ୟସ୍ତ ହେଉ ବୋଲି ଚୀନ୍‌ ଚାହୁଁଛି। ସେନାବାହିନୀ ସାମିଲ ହେଲେ ଏହି ପ୍ରମୁଖ ଉଦ୍ୟମ ସଫଳପ୍ରଦ ହେବ ବୋଲି ଚୀନ୍‌ ଆଶା ପ୍ରକଟ କରିଛି।

ସମ୍ବନ୍ଧିତ ଖବର