ଡୋକଲାମ୍‌ରେ ଚୀନ୍‌ ଦାଦାଗିରି : ମୁହଁତୋଡ଼ ଜବାବ ଦେବ ଭାରତ

ସେନାମୁଖ୍ୟ,ଏନ୍‌ଏସ୍‌ଏଙ୍କ ଗୋପନ ଭୁଟାନ୍‌ ଗସ୍ତ:ପ୍ରତିରକ୍ଷା, ସହଯୋଗ ପାଇଁ ଦ୍ୱିପାକ୍ଷିକ ଆଲୋଚନା

ନୂଆଦିଲ୍ଲୀ: ନିକଟରେ ବିବାଦୀୟ କ୍ଷେତ୍ର ଡୋକ୍‌ଲାମ୍‌ରେ ଚୀନ୍‌ ନିଜର ଦାଦାଗିରି ପୁଣି ଆରମ୍ଭ କରିଛି। ବ୍ୟାପକ ସୈନ୍ୟବଳ ଠୁଣ ସହ ସ୍ଥାୟୀ ନିର୍ମାଣ କରି ଭାରତର ଚିନ୍ତା ବଢ଼ାଇଦେଇଛି। ତେବେ ଏହାକୁ ପ୍ରତିହତ କରିବା ପାଇଁ ଭାରତ ମଧ୍ୟ ଆବଶ୍ୟକ ରଣନୀତି ପ୍ରସ୍ତୁତ କରିଛି। ଭୁଟାନ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ଚୀନ୍‌କୁ ପଛଘୁଞ୍ଚା କରାଇବା ଲାଗି ଯୋଜନା ହୋଇଛି। ଏଥି ପାଇଁ ଭାରତୀୟ ସେନା ମୁଖ୍ୟ ଜେନେରାଲ ବିପିନ ରାଓ୍ଵତ, ଏନ୍‌ଏସ୍‌ଏ ଅଜିତ ଡୋଭାଲ ଓ ବୈଦେଶିକ ସଚିବ ବିଜୟ ଗୋଖଲେ ଗୋପନରେ ଭୁଟାନ ଗସ୍ତ କରିି ଫେରିଛନ୍ତି। ୬ ଓ ୭ ତାରିଖରେ ଭାରତର ଏହି ତିନି ପ୍ରତିନିଧି ଡୋକ୍‌ଲାମ୍‌ ନିକଟ ପଠାର କ୍ଷେତ୍ରରେ ଚୀନ୍‌ ନିର୍ମାଣ କରୁଥିବା ସ୍ଥାୟୀ ଘାଟି ସବୁ ନିରୀକ୍ଷଣ କରିଛନ୍ତି। ତେବେ ଭୁଟାନ୍‌ ସହାୟତାରେ ଏହି ଡୋକ୍‌ଲାମ୍‌ ବିବାଦର ସମାଧାନ ପାଇଁ ସେମାନେ ରଣନୀତି ସ୍ୱରୂପ ଭୁଟାନ୍‌ ସହ ଦ୍ୱିପାକ୍ଷିକ ପ୍ରତିରକ୍ଷା ଓ ସହଯୋଗ ସମ୍ପର୍କରେ ଆଲୋଚନା କରିଛନ୍ତି।

ସୂଚନା ଥାଉ କି, ଗତବର୍ଷ ଜୁନ୍‌ ମାସରେ ଡୋକ୍‌ଲାମ୍‌ର ବିବାଦୀୟ ତ୍ରିକୋଣଭୂମି ଅଞ୍ଚଳରେ ଚୀନ୍‌ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ପରେ ଏହାକୁ ଭାରତ ବିରୋଧ କରିଥିଲା। ଫଳରେ ଜୁନ୍‌ ୧୬ ତାରିଖରେ ଉଭୟ ଦେଶର ସେନାଙ୍କ ମଧରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ସୀମାରେ ଦୀର୍ଘ ୭୩ ଦିନ ଏଭଳି ପରିସ୍ଥିତି ଲାଗି ରହିବା ପରେ କୂଟନୈତିକ ଆଲୋଚନା ପରେ ଅଗଷ୍ଟ ୨୩ ତାରିଖରେ ଚୀନ୍‌ ସେନା ପଛକୁ ହଟିଥିଲେ। ଡୋକ୍‌ଲାମ୍‌ ବିବାଦ ପରେ ଚଳିତ ମାସରେ ଭାରତୀୟ ଶୀର୍ଷ ଅଧିକାରୀଙ୍କ ଏହା ପ୍ରଥମ ଡୋକ୍‌ଲାମ୍‌ ଗସ୍ତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୌହାଟୀଠାରେ ଏକ ବ୍ୟାବସାୟିକ ସମ୍ମିଳନୀରେ ଭୁଟାନ୍‌ ପ୍ରଧାନମନ୍ତ୍ରୀ ସେରିଙ୍ଗ ତୋବ୍‌ଗେଙ୍କ ସହ ଆଲୋଚନା କରିବା ପରେ ଭାରତୀୟ ପ୍ରତିନିଧି ଡୋକ୍‌ଲାମ୍‌ ଗସ୍ତ କରିଥିବା ଜଣାପଡ଼ିଛି। ତେବେ ଉଭୟ ଦେଶ ଏହି ଗସ୍ତ ସମ୍ବନ୍ଧୀୟ ତଥ୍ୟକୁ ଗୋପନ ରଖିଥିବା ବେଳେ ଭୁଟାନ୍‌ ପ୍ରତିନିଧିଙ୍କ ସହ ଆଲୋଚନାର ସକରାତ୍ମକ ପ୍ରଭାବ ପଡ଼ିଥିବା କୁହାଯାଉଛି।

ଉଲ୍ଲେଖ ଥାଉ କି, ଏହି କ୍ଷେତ୍ରକୁ ନେଇ ଚୀନ୍‌ ଓ ଭୁଟାନ୍‌ ମଧ୍ୟରେ ସୀମା ବିବାଦ ଲାଗି ରହିଥିବା ବେଳେ ସେହି ଅଞ୍ଚଳରେ ଭାରତର ବି ଅଂଶ ରହିଛି। ୨୦୧୨ ମସିହାରୁ ଚୀନ୍‌ ଓ ଭୁଟାନ୍‌ ମଧ୍ୟରେ ଏନେଇ ଚୁକ୍ତି ପାଇଁ ଉଭୟ ଦେଶର ପ୍ରତିନିଧିଙ୍କ ମଧ୍ୟରେ ୨୦ରୁ ଅଧିକ ଥର ଆଲୋଚନା ହୋଇସାରିଥିବା ସତ୍ତ୍ୱେ କୌଣସି ସୁଫଳ ମିଳିପାରିନାହିଁ। ଚୀନ୍‌ ସହ ଭୁଟାନ୍‌ର କୌଣସି କୂଟନୈତିକ ସମ୍ବନ୍ଧ ନଥିବାରୁ ଭାରତର ଜଣେ ଉତ୍ତମ ପଡ଼ୋଶୀ ଭାବେ ଭୁଟାନ୍‌କୁ ସବୁବେଳେ ଉଭୟ କୂଟନୈତିକ ଓ ପ୍ରତିରକ୍ଷା କ୍ଷେତ୍ରରେ ଭାରତ ସହଯୋଗ କରିଆସିଛି। ଚୀନ୍‌ ମଧ୍ୟରେ ଥିବା ସୀମା ବିବାଦ ସମ୍ପର୍କରେ ଭୁଟାନ ପ୍ରତିନିଧି ଭାରତୀୟ ପ୍ରତିପକ୍ଷଙ୍କୁ ଜଣାଇବା ସହ ଡୋକ୍‌ଲାମ୍‌ ତ୍ରିକୋଣଭୂମି ଥିମ୍ପୂ ଅଞ୍ଚଳରେ ଶାନ୍ତି ସ୍ଥାପନ ପାଇଁ ଭାରତ ଚେଷ୍ଟା ଜାରି ରଖିବାକୁ ଅନୁରୋଧ କରିଥିବା ଖବର ମିଳିଛି।

ସମ୍ବନ୍ଧିତ ଖବର