ଚୀନ ଧୀରେ ଧୀରେ ପାକିସ୍ତାନକୁ ଗିଳିବାକୁ ବସିଛି : ଅନ୍ତର୍ଜାତୀୟ ରିପୋର୍ଟ

ଆମଷ୍ଟରଡାମ : ଚୀନ ଧୀରେ ଧୀରେ ପାକିସ୍ତାନକୁ ଗିଳିବାକୁ ବସିଛି ।  ଚୀନ-ପାକିସ୍ତାନ ଆର୍ଥିକ କରିଡର ବା ସିପିଇସି ମାଧ୍ୟମରେ ଚୀନ ପାକିସ୍ତାନରେ କୋଟି କୋଟି ଡଲାର ନିବେଶ କରୁଛି । ପାକିସ୍ତାନ ଭାବୁଛି ଯେ ଏହା ଦ୍ୱାରା ତାହାର ବିକାଶ ହେବ, କିନ୍ତୁ ପାକିସ୍ତାନ ଧୀରେ ଧୀରେ ଚୀନର ଏକ ଉପନବେଶରେ ପରିଣତ ହେବାର ଆଶଙ୍କା ଦେଖାଦେଲାଣି ବୋଲି ଆମଷ୍ଟରଡାମ ସ୍ଥିତ ୟୁରୋପିଆନ ଫାଉଣ୍ଡେସନ ଫର ସାଉଥ ଏସିଆନ ଷ୍ଟଡିଜ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି ।  ଏହି ରିପୋର୍ଟରେ କୁହାଯାଇଛି ଯେ ଆତଙ୍କବାଦକୁ ପ୍ରଶ୍ରୟ ଦେଉଥିବାରୁ ସମଗ୍ର ବିଶ୍ୱରେ ପାକିସ୍ତାନ ଏବେ ଏକଘରିଆ ହୋଇଯାଇଛି । ଏହାର ଫାଇଦା ନେଇ ଚୀନ ପାକିସ୍ତାନ ସହ ସମ୍ପର୍କକୁ ଅଧିକ ସୁଦୃଢ କରିଛି । ଚୀନ ସହ ନିବିଡ ସଂପର୍କ ଯୋଗୁଁ  ପାକିସ୍ତାନ ଭାବୁଛି ଯେ ଏହା ଦ୍ୱାରା ଭାରତକୁ  ପଦାନତ କରିହେବ । କିନ୍ତୁ ପ୍ରକୃତ କଥା ହେଉଛି ପାକିସ୍ତାନ ଏପର୍ଯ୍ୟନ୍ତ ଚୀନର ଗୋପନ ଉଦ୍ଦେଶ୍ୟକୁ ବୁଝିପାରିନାହିଁ । ଚୀନର ଉଦ୍ଦେଶ୍ୟ ହେଉଛି ପାକିସ୍ତାନକୁ  ସଂପୂର୍ଣ୍ଣ ଭାବେ ନିଜ ନିୟନ୍ତ୍ରଣକୁ ଆଣି ଏକ ଉପନିବେଶରେ ପରିଣତ କରିବା । ଏହି ରିପୋର୍ଟରେ ସିପିଇସିକୁ ମଧ୍ୟ ସମାଲୋଚନା କରାଯାଇଛି । ଏହି ପ୍ରକଳ୍ପରେ ଚୀନ ଯେତିକି ନିବେଶ କରୁଛି ତାହାକୁ ଚୀନ ଯେକୌଣସି ଉପାୟରେ ଆଦାୟ କରିବ । ଏହା ସହିତ ପାକିସ୍ତାନର କୋଣ ଅନୁକୋଣରେ ଚୀନ କମ୍ପାନିମାନେ ପ୍ରବେଶ କରିବାକୁ ଯୋଜନା ଚାଲିଛି । ପୂର୍ବରୁ କେତେକ ଆଫ୍ରିକୀୟ ଦେଶରେ ଚୀନ କରିଥିବା ନିବେଶ ଓ ତା ପରେ ଚୀନର କାର୍ଯ୍ୟକଳାପରୁ ଏହା ପ୍ରମାଣିତ ହୋଇସାରିଛି । ନିଜର ଅର୍ଥ ଫେରିପାଇବାକୁ ଚୀନ ଶକ୍ତି ପ୍ରୟୋଗ କରିବାକୁ ମଧ୍ୟ ପଛାଇବ ନାହିଁ ବୋଲି ଏହି ରିପୋର୍ଟରେ କୁହାଯାଇଛି ।

ସମ୍ବନ୍ଧିତ ଖବର