ଡ୍ରାଗନର ସାମ୍ରାଜ୍ୟ ବିସ୍ତାର ଯୋଜନା : ୨୦୨୫ ସୁଦ୍ଧା ତାଇଓ୍ଵାନକୁ ନିଜ ସହିତ ମିଶାଇଦେବ ଚୀନ !

ଟୋକିଓ : ଚୀନର ଭବିଷ୍ୟତ ରଣନୀତି ସମ୍ପର୍କରେ ଏକ ଚିନ୍ତା କଲାଭଳି ବୟାନ ଦେଇଛନ୍ତି ଜାପାନର ପୂର୍ବତନ ବାୟୁସେନା ମୁଖ୍ୟ ଓରିଟା କୁନିଓ । ସେ କହିଛନ୍ତି ଯେ ଚୀନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଏସିଆରେ ନିଜର ବିସ୍ତାରବାଦୀ ନୀତିକୁ ଜାରି ରଖିବା ଓ ଏହା ମାଧ୍ୟମରେ ସମଗ୍ର ଏସିଆରେ ନିଜର ଆଧିପତ୍ୟ ବିସ୍ତାର କରିବା । ଏପରକି ଆସନ୍ତା ୨୦୨୫ ସୁଦ୍ଧା ଚୀନ ତାଇଓ୍ଵାନକୁ ନିଜ ସହିତ ମିଶାଇଦେବାକୁ ଯୋଜନା ପ୍ରସ୍ତୁତ କରିସାରିଛି । ଏହା ପରେ ଚୀନ ଜାପାନ ଅଧିନରେ ଥିବା ଦ୍ୱୀପପୁଞ୍ଜ ଓକିନାଓ୍ଵାକୁ ମଧ୍ୟ ନିଜ ସହ ମିଶାଇବାକୁ ଲକ୍ଷ୍ୟ ରଖିଛି ବୋଲି ସେ କହିଛନ୍ତି ।

କିନ୍ତୁ ଚୀନ ଏତିକିରେ ସନ୍ତୁଷ୍ଟ ହୋଇରହିବ ନାହିଁ, ୨୦୪୦ ସୁଦ୍ଧା ସମଗ୍ର ଦକ୍ଷିଣ ଚୀନ ସାଗରକୁ ନିଜର ଅଞ୍ଚଳ ବୋଲି ଘୋଷଣା କରିଦେବ । ଏହା ପରେ ଚୀନ ଭାରତର କିଛି ଅଞ୍ଚଳକୁ ନିଜ ସହ ମିଶାଇଦେବ ବୋଲି ମଧ୍ୟ ଆଉ କିଛି ଭବିଷ୍ୟବାଣୀ କରିଛନ୍ତି । ଚୀନ ରାଷ୍ଟ୍ରପତି ସି ଜିନିପିଂ ନିଜର ନୂଆବର୍ଷ ଅଭିଭାଷଣରେ ତାଇଓ୍ଵାନକୁ ଅଧିକାର କରିବା ବିଷୟରେ ପରୋକ୍ଷରେ ଉଲ୍ଲେଖ କରିଥିଲେ । ନିଜର ଅଭିଭାଷଣରେ ଚୀନ ରାଷ୍ଟ୍ରପତି କହିଥିଲେ ଯେ ଏହି ‘ସମସ୍ୟା’କୁ ପରବର୍ତ୍ତି ପିଢିକୁ ଲମ୍ବାଇବାର ସମ୍ଭାବନା ନାହିଁ । ସେ ଶାନ୍ତିପୂର୍ଣ୍ଣ ଉପାୟ କଥା କହୁଥିଲେ ମଧ୍ୟ ଆବଶ୍ୟକ ପଡ଼ିଲେ ବଳପ୍ରୟୋଗ ମଧ୍ୟ କରିବାକୁ ଚୀନ ପଛେଇବ ନାହିଁ ।

ଚୀନ ନିଜର ଏହି ୨୦୨୫ ଲକ୍ଷ୍ୟ ଉପରେ କାମ ଆରମ୍ଭ କରିସାରିଲାଣି । ତେବେ ଆଉ କିଛି ବିଶେଷଜ୍ଞଙ୍କ ମତରେ ଚୀନର ଏହି ଯୋଜନା ସେତେଟା ସହଜ ହେବ ନାହିଁ । କାରଣ ତାଇଓ୍ଵାନକୁ ନିଜ ସହ ମିଶାଇବା ପାଇଁ ଚୀନ ଏହି କ୍ଷୁଦ୍ର ଦେଶ ଉପରେ ଆକ୍ରମଣ କଲେ ଆମେରିକା ଚୀନ ଉପରେ ଆକ୍ରମଣ କରିବ । ଏହା ଫଳରେ ଚୀନ ଆମେରିକା ଉପରେ ପ୍ରତି ଆକ୍ରମଣ କରିବ । ଅନ୍ୟପକ୍ଷରେ ଜାପାନ, ଇଣ୍ଡୋନେସିଆ ମଧ୍ୟ ଚୁପ ହୋଇ ବସିବେ ନାହିଁ । ସେମାନେ ମଧ୍ୟ ଚୀନ ଉପରେ ମୌକା ଦେଖି ଆକ୍ରମଣ କରିବେ ।

ସମ୍ବନ୍ଧିତ ଖବର