ଚୀନ୍‌ର ନିଜସ୍ୱ ତିଆରି ବିମାନବାହୀ ପୋତର ସାମୁଦ୍ରିକ ପରୀକ୍ଷଣ

ବେଜିଙ୍ଗ୍‌: ଆଜି ଚୀନ୍‌ର ନିଜସ୍ୱ ନିର୍ମିତ ବିମାନବାହୀ ପୋତକୁ ସମୁଦ୍ରରେ ପରୀକ୍ଷାମୂଳକ ଭାବେ ଚଳା ଯାଉଛି। ବିବାଦୀୟ ଜଳରାଶିରେ ଚୀନ୍‌ ନୌସେନାର ଉପସ୍ଥିତିକୁ ଦୃଢ଼ ତଥା ଆଧୁନିକିକରଣ କରାଯିବା ଅଭିଯାନର ଏହା ଏକ ଐତିହାସିକ ପଦକ୍ଷେପ ବୋଲି କୁହାଯାଉଛି।

୫୦ ହଜାର ମେଟ୍ରିକ୍‌ ଟନ୍‌ ଓଜନବିଶିଷ୍ଟ ଏହି ପୋତ ଲିଆଓନିଙ୍ଗ୍‌ ପ୍ରଦେଶରେ ଥିବା ଦାଲିଆନ୍‌ ସିପ୍‌ବିଲ୍‌ଡିଙ୍ଗ୍‌ ଇଣ୍ଡଷ୍ଟ୍ରି ଘନ କୁହୁଡ଼ି ଭରା ସକାଳ, ପ୍ରାୟ ୭ଟା ବେଳେ, କେତେକ ଟଗ୍‌ବୋଟ୍‌ ସହାୟତାରେ ପରିସର ଛାଡ଼ି ଥିଲା। ପରେ ତାହା ନିଜ ପ୍ରପ୍ୟୁଲ୍‌ସନ୍‌ ବ୍ୟବହାର କରି ସମୁଦ୍ର ମଧ୍ୟକୁ ପ୍ରବେଶ କରିଥିଲା।

ଏ ପୋତଟି ଦେଶ ଦ୍ୱିତୀୟ ବିମାନବାହୀ ପୋତ ହେବାକୁ ଯାଉଛି। ପ୍ରଥମ ଥର ପାଇଁ ଏହାର ନକ୍‌ସା ଏବଂ ସମ୍ପୂର୍ଣ୍ଣ କାର୍ଯ୍ୟ ଚୀନ୍‌ରେ କରାଯାଇଛି। ଏହା ୨୦୨୦ ଭିତରେ ନୌସେନାରେ ଯୋଗ ଦେବ।

ପୋତଟିର ପ୍ରପ୍ୟୁଲ୍‌ସନ୍‌ ସିଷ୍ଟମ୍‌ର ବିଶ୍ୱସ୍ତତା ଏବଂ ସମାର୍ଥ୍ୟ ଜାଣିବା ପାଇଁ ଏହି ପରୀକ୍ଷଣ କରାଯାଉଥିବା ପ୍ରକାଶ।

ନାମିତ ହୋଇ ନ ଥିବା ଏହି ପୋତଟି ଗତବର୍ଷ ଏହି ସମୟରେ ଲଞ୍ଚ୍‌ କରାଯାଇଥିଲେ ମଧ୍ୟ ଏଥିରେ ଅସ୍ତ୍ରଶସ୍ତ୍ର ଏବଂ ଅନ୍ୟାନ୍ୟ ସିଷ୍ଟମ୍‌ ଖଞ୍ଜା ଯାଉଥିଲା।

୨୦୧୨ରେ ସୋଭିଏତ୍‌ ୟୁନିୟନ୍‌ ନିର୍ମିତ ଏବଂ ଚୀନ୍‌ରେ ପ୍ରସ୍ତୁତ ବିମାନବାହୀ ପୋତ ‘ଲିୟାଓନିଙ୍ଗ୍‌’ ନୌସେନାରେ ସାମିଲ ହେବା ପରେ ଚୀନ୍‌ ନିଜସ୍ୱ ଜ୍ଞାନକୌଶଳରେ ପ୍ରଥମ ଥର ପାଇଁ ଏହି ପୋତ ନିର୍ମାଣ କରିଛି।

ସମ୍ବନ୍ଧିତ ଖବର