ଆମେରିକା ମାଡ଼ରେ ଚୀନ୍‌ ଭାରତମୁହାଁ:ବାଣିଜ୍ୟ ଯୁଦ୍ଧ ଭାରତ-ଚୀନ୍‌ ସମ୍ପର୍କକୁ ନୂଆ ଦିଗ ଦେଇପାରେ

ନୂଆଦିଲ୍ଲୀ: ଆମେରିକା ଏବଂ ଚୀନ୍‌ ମଧ୍ୟରେ ଚାଲିଥିବା ବାଣିଜ୍ୟ ଯୁଦ୍ଧ ଯୋଗୁଁ ଚୀନ୍‌ କମ୍ପାନି ଗୁଡ଼ିକ ଆମେରିକା ବଜାରରେ ପ୍ରବେଶ କରିବା କଷ୍ଟକର ହୋଇ ପଡ଼ିଛି। ଚୀନ୍‌ର କମ୍ପାନି ଗୁଡ଼ିକ ଆମେରିକା ବଜାରରେ ସେମାନଙ୍କ ସାମଗ୍ରୀ ବିକ୍ରି କରିବାରେ ଅସୁବିଧାର ସମ୍ମୁଖୀନ ହେଉଥିବାରୁ ଏବେ ଭାରତ ଭଳି ବିଶାଳ ଜନସଂଖ୍ୟା ବିଶିଷ୍ଟ ବଜାର ଉପରେ ନଜର ପକାଇବା ଆରମ୍ଭ କରିଦେଇଛନ୍ତି। ଏଥିଯୋଗୁଁ ଅତୀତରେ ଥିବା ଚୀନ୍‌ ଏବଂ ଭାରତର ତିକ୍ତ ସମ୍ପର୍କ ମଧ୍ୟ ଏବେ ମଧୁର ହେବାର ସୁଯୋଗ ସୃଷ୍ଟି କରିଛି।
ନିକଟରେ ଭାରତ ଏବଂ ଚୀନ୍‌ ମଧ୍ୟରେ ହୋଇଥିବା ଉଚ୍ଚସ୍ତରୀୟ ଦ୍ୱିପାକ୍ଷିକ ବୈଠକରେ ଦୁଇଦେଶ ମଧ୍ୟରେ ସମ୍ପର୍କରେ ସୁଧାର ଆଣିବା ଲାଗି ଆଲୋଚନା ମଧ୍ୟ ହୋଇଥିବା କୁହାଯାଉଛି। ଏପରିକି ଭାରତ ଏବଂ ଚୀନ୍‌ର ସମ୍ପର୍କରେ କୌଣସି ତୃତୀୟ ପକ୍ଷ ଯେଭଳି ବ୍ୟାଘାତ ନ ପହଞ୍ଚାଇ ପାରିବ ତାହା ଉପରେ ଚୀନ୍‌ ଗୁରୁତ୍ୱ ଦେଇଛି।
କେବଳ ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ଙ୍କ ସହିତ ଚୀନ୍‌ର ସମ୍ପର୍କ ଇତିମଧ୍ୟରେ ଖରାପ ହୋଇନାହିଁ, ମାଲେସିଆ ରାଷ୍ଟ୍ରପତି ମହାଥିର ମହମ୍ମଦ ମଧ୍ୟ ଚୀନ୍‌ର ଓ୍ଵାନ ରୋଡ୍‌ ଓ୍ଵାନ ବେଲ୍‌ଟ (ଓବିଓଆର୍‌) ପ୍ରକଳ୍ପ ପ୍ରତି ଆଗ୍ରହ ନଦେଖାଇବାରୁ ଚୀନ୍‌ ଏବେ ଭାରତ ଭଳି ପଡ଼ୋଶୀ ଦେଶ ସହିତ ଭଲ ସମ୍ପର୍କ ରଖିବାକୁ ଉଦ୍ୟମ ଆରମ୍ଭ କରିଦେଇଛି।
ଏଭଳି ପରିସ୍ଥିତି ଭାରତ ପାଇଁ ମଧ୍ୟ ଚୀନ୍‌ ସହିତ ଭଲ ସମ୍ପର୍କ ରଖି କିଛି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ହାସଲ କରିବା ବାଟ ଖୋଲିବ ବୋଲି ଆଶା କରାଯାଉଛି। ବିଶେଷକରି ଏହି ମୌକାରେ ଭାରତକୁ ଆଣବିକ ଶକ୍ତି ଯୋଗାଣ (ଏନ୍‌ଏସ୍‌ଜି) ଗୋଷ୍ଠୀର ସଦସ୍ୟତା ପ୍ରଦାନ ଏବଂ ଜୈଶ-ଇ- ମହମ୍ମଦର ନେତା ମାସୁଦ ଆଝାରଙ୍କୁ ଆତଙ୍କବାଦୀ ଘୋଷଣା ପାଇଁ ଚୀନ୍‌ କରି ଆସୁଥିବା ବିରୋଧରୁ କ୍ଷାନ୍ତ ରହିପାରେ।
ଉହାନଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଚୀନ୍‌ ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ୍‌ଙ୍କ ମଧ୍ୟରେ ଅଣଆନୁଷ୍ଠାନିକ ବୈଠକ ପରେ ଦୁଇ ଦେଶ ମଧ୍ୟରେ ଏକ ଉଚ୍ଚ ଅଧିକାରୀସ୍ତରୀୟ ବୈଠକ ହୋଇଥିଲା।

ଏହି ବୈଠକରେ ଚୀନ୍‌ର ଅଧିକାରୀମାନେ ଭାରତ ସହିତ ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ଉପରେ ଗୁରୁତ୍ୱ ଦେଇଥିଲେ। ଭାରତ ଓ ଚୀନ୍‌ ମଧ୍ୟରେ ତୃତୀୟ ପକ୍ଷ ଅଯଥା ପଶିପାରନ୍ତି ବୋଲି ଚୀନ୍‌ର ଅଧିକାରୀମାନେ ଏହି ଅବସରରେ ଆଶଙ୍କା ବ୍ୟକ୍ତ କରିଥିଲେ। ଏଥିରୁ ଏହି ସୂଚନା ମିଳିଥିଲା ଯେ, ଆମେରିକା ସହିତ ଭାରତର ସମ୍ପର୍କରେ ଉନ୍ନତି ଆସିଲେ ମଧ୍ୟ ଭାରତ ତାହାର ପଡ଼ୋଶୀ ଦେଶ ସହିତ ଉତ୍ତମ ସମ୍ପର୍କ ସ୍ଥାପନରୁ ବିଚ୍ୟୁତ ହେବା ଉଚିତ ନୁହେଁ। ଆଗାମୀ ଦିନରେ ଭାରତ ଏବଂ ଚୀନ୍‌ ମଧ୍ୟରେ ୨+୨ ବୈଠକ ହେବାର ରହିଛି। ଏହି ବୈଠକ ଭାରତ ଏବଂ ଚୀନ୍‌ ମଧ୍ୟରେ ପ୍ରତିରକ୍ଷା ଭଳି ଦ୍ୱିପାକ୍ଷିକ ସହଯୋଗକୁ ଆହୁରି ବଢ଼ାଇବ ବୋଲି ଆଶା ରଖାଯାଇଛି।
ଭାରତ ମହାସାଗରରେ ଚୀନ୍‌ ନିଜର ଆଧିପତ୍ୟ ବିସ୍ତାର କରିବାକୁ ଚାହୁଛି। ତେଣୁ ଭାରତ ସହିତ ଆମେରିକାର ସମ୍ପର୍କ ବୃଦ୍ଧି ଚୀନ୍‌ ପାଇଁ ଚିନ୍ତାର କାରଣ ହେବା ସ୍ୱାଭାବିକ। ଆମେରିକା ଏବଂ ଚୀନ୍‌ ମଧ୍ୟରେ ଚାଲିଥିବା ବାଣିଜ୍ୟ ଯୁଦ୍ଧ ଯଦିଓ ବିଶ୍ୱ ଅର୍ଥନୀତି ପାଇଁ ଚିନ୍ତାର କାରଣ ପାଲଟିଛି, ଭାରତ ଏବଂ ଚୀନ୍‌ ମଧ୍ୟରେ ସମ୍ପର୍କରେ ଏହା କିଛିଟା ନୂଆ ଖିଅ ଯୋଡ଼ିବ ବୋଲି ଆଶା କରାଯାଉଛି।

ସମ୍ବନ୍ଧିତ ଖବର