ନିର୍ମଳାଙ୍କ ଅରୁଣାଚଳ ଗସ୍ତକୁ ଚୀନ୍‌ର ବିରୋଧ

ବେଜିଂ : ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଗତକାଲି ପ୍ରଥମ ଥର ପାଇଁ ଅରୁଣାଚଳ ପ୍ରଦେଶ ଗସ୍ତରେ ଯାଇଥିଲେ। ତେବେ ନିର୍ମଳାଙ୍କ ଏହି ଗସ୍ତରେ ଚୀନ୍‌ ଖୁବ୍‌ ବିବ୍ରତ ହୋଇପଡ଼ିଥିବା ଜଣାଯାଇଛି। ଅରୁଣାଚଳପ୍ରଦେଶକୁ ପୁଣି ବିବାଦୀୟ ଅଞ୍ଚଳ ବୋଲି ଚୀନ୍‌ ଦୋହରାଇବା ସହ ସେଠିକି ଭାରତୀୟ ପ୍ରତିରକ୍ଷା ମନ୍ତ୍ରୀଙ୍କ ଗସ୍ତ ଦୁଇ ଦେଶ ମଧ୍ୟରେ ଶାନ୍ତି ଏବଂ ସ୍ଥିରତା ବଜାୟ ରଖିବା ଦିଗରେ ଆଦୌ ସହାୟକ ହେବନି ବୋଲି କହିଛି।
ନିର୍ମଳା ଚୀନ୍‌ ସୀମା ସଂଲଗ୍ନ ଅରୁଣାଚଳର ଦୁର୍ଗମ ଅଞ୍ଜୌ ଜିଲ୍ଲାର ବିଭିନ୍ନ ସେନା ଘାଟି ବୁଲି ପ୍ରତିରକ୍ଷା ଏବଂ ସାମରିକ ପ୍ରସ୍ତୁତିି ଅନୁଧ୍ୟାନ କରିଥିଲେ। କୌଣସି ବି ଜରୁରୀ ପରିସ୍ଥିତିର ମୁକାବିଲା ପାଇଁ ସେନାବାହିନୀ କିପରି ସଜାଗ ରହିଛନ୍ତି, ତାହା ପରଖିଥିଲେ। ତେବେ ନିର୍ମଳାଙ୍କ ଗସ୍ତରେ ଚୀନ୍‌ ଖପା ହୋଇ ବିବାଦୀୟ ଅଞ୍ଚଳକୁ ନିର୍ମଳାଙ୍କ ଗସ୍ତ ଦୁଇ ଦେଶ ମଧ୍ୟରେ ଶାନ୍ତି ପ୍ରତିଷ୍ଠାରେ ପ୍ରତିବନ୍ଧକ ସାଜିବ ବୋଲି କହିଛି। ଚୀନ୍‌-ଭାରତ ସୀମାର ପୂର୍ବ ଭାଗରେ ବିବାଦ ରହିଥିବା ବେଳେ ଏହି ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳକୁ ନିର୍ମଳାଙ୍କ ଗସ୍ତକୁ ବିରୋଧ କରି ଚୀନ୍‌ ବିଦେଶ ମନ୍ତ୍ରାଳୟ ପ୍ରବକ୍ତା ହୁଆ ଚୁନିଂ ଏପରି ବୟାନ ରଖିଛନ୍ତି।
ଉଲ୍ଲେଖଯୋଗ୍ୟ, ଭାରତ ଏବଂ ଚୀନ୍‌ ମଧ୍ୟରେ ୩,୪୮୮ କିମି ପରିବ୍ୟାପ୍ତ ବାସ୍ତବ ନିୟନ୍ତ୍ରଣ ରେଖାକୁ ନେଇ ସୀମା ବିବାଦ ରହିଥିବା ବେଳେ ଏହାର ସମାଧାନ ଲାଗି ଉଭୟ ପକ୍ଷ ମଧ୍ୟରେ ସ୍ୱତନ୍ତ୍ର ଅଧିକାରୀଙ୍କ ଦ୍ୱାରା ୧୯ ଥର ଆଲୋଚନା ହୋଇସାରିଛି। ମାତ୍ର ସେଥିରୁ କୌଣସି ସୁଫଳ ମିଳିପାରିନି। ଅପରପକ୍ଷେ, ଚୀନ୍‌ ଅରୁଣାଚଳ ପ୍ରଦେଶକୁ ଦକ୍ଷିଣ ତିବ୍ଦତର ଏକ ଅଂଶ ଭାବେ ଦାବି କରୁଛି ଏବଂ ବାରମ୍ବାର ଏଠାକୁ ଭାରତର ବରିଷ୍ଠ ଅଧିକାରୀମାନଙ୍କ ଗସ୍ତକୁ ନେଇ ଲଗାତାର ଅସନ୍ତୋଷ ପ୍ରକାଶ କରୁଛି। ନିର୍ମଳାଙ୍କ ଗସ୍ତ ପରେ ଚୁନିଂ କଥାବାର୍ତ୍ତା ମାଧ୍ୟମରେ ଭାରତ ଏହି ସୀମା ବିବାଦର ସମାଧାନ ଲାଗି ସହଯୋଗର ହାତ ବଢ଼ାଇ ଏକ ସନ୍ତୁଳିତ ଉପାୟରେ କାର୍ଯ୍ୟ କରିବା ଉଚିତ୍‌ ବୋଲି ଗଣମାଧ୍ୟମକୁ କହିଛନ୍ତି।

ସମ୍ବନ୍ଧିତ ଖବର