ଚୀନରେ ବଢୁଛି ନିରାମିଷ ଖାଦ୍ୟ ପ୍ରତି ଆଦର: ଖୋଲୁଛି ନୂଆ ନୂଆ ଶାକାହାରୀ ରେଷ୍ଟୁରାଣ୍ଟ୍‌

ବେଜିଂ: ଚୀନ ହେଉଛି ସବୁଠାରୁ ଅଧିକ ଗୋ,ଘୁଷୁରି ଏବଂ କୁକୁଡ଼ାମାଂସ ଖାଉଥିବା ରାଷ୍ଟ୍ର ଭାବେ ଜଣାଶୁଣା । ସବୁଠୁ ଅଧିକା ମାଂସାହାରୀଙ୍କ ଦେଶ ଭାବେ ପରିଚିତ ଚୀନରେ ବଢୁଛି ଶାକାହାରୀ ରେଷ୍ଟୁରାଣ୍ଟ୍‌ର ସଂଖ୍ୟା। ଗତ କିଛି ବର୍ଷ ଭିତରେ ଚୀନର ରେଷ୍ଟୁରାଣ୍ଟ ଇତିହାସକୁ ଲକ୍ଷ୍ୟ କଲେ ଦେଖିବାକୁ ମିଳେ ଯେ ଇତି ମଧ୍ୟରେ ଖୋଲିଛି ବହୁ ସଂଖ୍ୟାରେ  ଶାକାହାରୀ ରେଷ୍ଟୁରାଣ୍ଟ୍‌। ସେଠାରେ ମୁଖ୍ୟତଃ ସ୍ୱାସ୍ଥ୍ୟକର ମାଂସ ବିହୀନ, କାର୍ବନଯୁକ୍ତ ଏବଂ ପରିବେଶ ଅନୁକୁଳ ଖାଦ୍ୟ ମିଳୁଛି।

ସଂଙ୍ଘାଇର ହଂ ଲିଲି ନାମକ ଜଣେ  ଚିତ୍ରକର ୨୦୧୨ ମସିହାରୁ ଚୀନର ଭିନ୍ନ ସହରଗୁଡ଼ିକରେ ଥିବା ଶାକାହାରୀ ରେଷ୍ଟୁରାଣ୍ଟ୍‌ ସଂପର୍କରେ ସୂଚନା ସଂଗ୍ରହ କରିଛନ୍ତି। ସଂଘାଇ, ଚେନଗୁଡୁ, ଲାହ୍‌ସା, ହଙ୍ଗ୍‌କଙ୍ଗ୍‌ ଆଦି ସହରରେ ରହିଛି ବହୁ ମାଂସ ବିହୀନ ରେଷ୍ଟୁରାଣ୍ଟ୍‌। ହଂ ଲିଲି କହିଛନ୍ତି ଯେ ଏହି କିଛି ବର୍ଷ ମଧ୍ୟରେ ସେ ସନ୍ଧାନ କରିଥିବା ଶାକାହାରୀ ରେଷ୍ଟୁରାଣ୍ଟ୍‌ ସମୁଦାୟ କେତେ ସଂଖ୍ୟକ ଅଛି ତାହା କହିବା ଅସମ୍ଭବ। କାହିଁକି ନା, ଦିନକୁ ଦିନ ଏଭଳି ରେଷ୍ଟୁରାଣ୍ଟ୍‌ର ସଂଖ୍ୟା ବଢ଼ିବାରେ ଲାଗିଛି।

ନିକଟରେ ପ୍ରକାଶ ପାଇଥିବା ଏକ ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ପୂର୍ବାପେକ୍ଷା ଚୀନରେ ମାଂସର ଚାହିଦା କମିଛି। ଜାଣିବାକୁ ମିଳିଛି ଯେ ୨୦୧୪ ମସିହାରେ ୪୨.୪୯ ମିଲିୟନ୍‌ ଟନ୍ ଘୁଷୁରି ମାଂସ ବିକ୍ରି ହୋଇଥିବା ବେଳେ ୨୦୧୬ରେ ୪୦.୮୫ ମିଲିୟନ୍‌ ଟନ୍ ମାଂସ ବିକ୍ରି ହୋଇଥିଲା। ଏପରିକି ୨ ବର୍ଷ ତଳେ କମ୍‌ ମାଂସ ଖାଇବାକୁ ପରାମର୍ଶ ଦେଇ ଚୀନ ସରକାରଙ୍କ ପକ୍ଷରୁ ଏକ ଗାଇଡ୍‌ଲାଇନ୍‌ ମଧ୍ୟ ଜାରି କରାଯାଇଥିଲା।

ସମ୍ବନ୍ଧିତ ଖବର