ବାରମ୍ବାର ତାଗିଦ ସତ୍ତ୍ୱେ ସୁଧୁରୁନି ଚୀନ୍‌ : ଅଗଷ୍ଟ ମାସରେ ଚୀନ ସେନା ୩ ଥର ଭାରତୀୟ ସୀମା ଭିତରକୁ ଅନୁପ୍ରବେଶ କରିଥିଲା

ନୂଆଦିଲ୍ଲୀ: ଗତ ଅଗଷ୍ଟ ମାସରେ ଚୀନ ସେନା ୩ ଥର ଭାରତୀୟ ସୀମା ଭିତରକୁ ଅନୁପ୍ରବେଶ କରିଛନ୍ତି ବୋଲି ଏକ ରିପୋର୍ଟରୁ ଜଣାଯାଇଛି। ଏଏନ୍‌ଆଇ ନ୍ୟୁଜ୍‌ ଏଜେନ୍ସି ପକ୍ଷରୁ ଏହି ଖବର ପରିବେଷଣ କରାଯାଇଛି। ରିପୋର୍ଟ ଅନୁଯାୟୀ ପୂର୍ବ ଲଦାଖର ଡେମ୍‌ଚୋକ ନିକଟରେ ଚୀନ୍‌ ସେନାବାହିନୀର କିଛି ଯବାନ ଓ ଅଧିକାରୀ ଭାରତୀୟ ସୀମା ଭିତରକୁ ପ୍ରବେଶ କରିଥିଲେ।

ଚୀନ୍‌ର ପିପୁଲ୍ସ ଲିବରେସନ୍‌ ଆର୍ମି(ପିଏଲ୍‌ଏ) ଏଥିସହ ଉତ୍ତରାଖଣ୍ଡର ନିକଟରେ ଭାରତୀୟ ସୀମା ଭିତରକୁ ୪ କିଲୋମିଟର ପର୍ଯ୍ୟନ୍ତ ପଶିଥିଲେ ବୋଲି ଖବର ମିଳିଛି। ଚୀନ ସେନା ପ୍ରକୃତ ନିୟନ୍ତ୍ରଣ ରେଖା ଟପି ଭାରତ ଭିତରକୁ ଆସିଥିଲେ ବୋଲି ଜଣାପଡ଼ିଛି।

ଅଗଷ୍ଟ ମାସରେ ଲଦାଖର ଡେମ୍‌ଚୋକ୍‌ ଅଞ୍ଚଳରେ ଚୀନ ସେନା ଭାରତୀୟ ସୀମା ଭିତରକୁ ପ୍ରବେଶ କରି ପ୍ରାୟ ୩୦୦ ମିଟର ପରେ ୪ଟି ତମ୍ବୁ ପକାଇଥିଲେ। ସେମାନେ ସୀମାନ୍ତ ଅଞ୍ଚଳରେ ଲୁଟପାଟ କରୁଥିବା ଯାଯାବରମାନଙ୍କୁ ଧରିବା ଲାଗି ତମ୍ବୁ ପକାଇ ରହିଥିଲେ ବୋଲି ସୂଚନା ମିଳୁଛି।

ଏହାପରେ ଭାରତୀୟ ସେନା ପକ୍ଷରୁ ପିିଏଲ୍‌ଏର ଲୋକାଲ କମାଣ୍ଡରଙ୍କୁ ଏ ନେଇ ସୂଚନା ଦିଆଯିବା ପରେ ତମ୍ବୁ ହଟିଥିଲା। ତେବେ ଚୀନ୍‌ ସେନା ନିୟମିତ ଏତାଦୃଶ କାର୍ଯ୍ୟକଳାପରେ ଲିପ୍ତ ବୋଲି ଜଣାପଡ଼ିଛି। ୨୦୧୭ ମସିହାରେ ପିଏଲ୍‌ଏ ୪୨୬ ଥର ଭାରତୀୟ ସୀମା ଭିତରକୁ ପ୍ରବେଶ କରିଥିବା ବେଳେ ୨୦୧୬ରେ ଏହି ସଂଖ୍ୟା ୨୭୩ ଥିଲା। ଉଲେଖଯୋଗ୍ୟ କି ଚୀନ-ଭାରତ ସୀମା ଦୀର୍ଘ ୪୦୦୦ କିଲୋମିଟର ଧରି ଲମ୍ବିଛି।

ସମ୍ବନ୍ଧିତ ଖବର