ଲଦାଖ ସୀମାରେ ଚୀନର ବଙ୍କର ନିର୍ମାଣ, ଅଧିକ ସୈନ୍ୟ ପଠାଇଲା ଭାରତ

ଲଦାଖ : ଅନ୍ତର୍ଜାତୀୟ ସୀମାରେ ଚୀନର କାର୍ଯ୍ୟକଳାପ ବଢିଚାଲିଛି । ସିକ୍କିମଠାରୁ ଆରମ୍ଭ କରି ଲଦାଖ ଓ ପିଓକେ ପର୍ଯ୍ୟନ୍ତ ଚୀନର ସଂଦେହଜନକ ଗତିବିଧି ଭାରତ ପାଇଁ ଚିନ୍ତାର ବିଷୟ ହୋଇଛି । ତେବେ ଲଦାଖରେ ଚୀନ ପକ୍ଷରୁ କରାଯାଇଥିବା କେତେକ କାରସାଦି ଜଣାପଡ଼ିବା ପରେ ଭାରତୀୟ ସେନା ସକ୍ରିୟ ହୋଇଉଠିଛି ।

ମିଳିଥିବା ସୂଚନା ଅନୁସାରେ ଲଦାଖର ପାଙ୍ଗଗୋଂ ସେ ହ୍ରଦ ନିକଟରେ ଥିବା ଫିଙ୍ଗର ଅଞ୍ଚଳରେ ଚୀନ ସେନା ପକ୍ଷରୁ ଏକ ବଙ୍କର ଓ ଗୋପନ ସୁଡ଼ଙ୍ଗ ତିଆରି କରାଯାଇଥିବା ଭାରତୀୟ ସେନା ଜାଣିବାକୁ ପାଇଛି । ବିଗତ ପ୍ରାୟ ୮ ବର୍ଷ ଧରି ଭାରତୀୟ ସେନା ଫିଙ୍ଗର ୫ ଅଂଚଳରେ ପାଟ୍ରୋଲିଂ କରିଆସୁଛନ୍ତି । ସେହିପରି ଚୀନ ସେନା ଫିଙ୍ଗର ୩ ଅଂଚଳରେ ପାଟ୍ରୋଲିଂ କରେ । କିନ୍ତୁ ଚୀନ ସେନା ପକ୍ଷରୁ ଫିଙ୍ଗର ୩ ଓ ୪ ଅଞ୍ଚଳରେ ବଙ୍କର ତିଆରି କରାଯାଉଛି । ଭାରତୀୟ ସେନାରୁ ଗତିବିଧିକୁ ଅଟକାଇବାକୁ ଚୀନ ଏହା କରିଥିବା କୁହାଯାଉଛି । ନିର୍ମିତ ବଙ୍କର ଗୁଡ଼ିକରେ ଶତାଧିକ ଚୀନ ସେନା ରହିଥିବା ଭାରତୀୟ ସେନା ଜାଣିପାରିଛି । ଏହାକୁ ଦେଖି ଭାରତୀୟ ସେନା ମଧ୍ୟ ଏହି ଅଂଚଳରେ ଅଧିକରୁ ଅଧିକ ସୈନ ଠୁଳ କରିବାରେ ଲାଗିଛି ।

ଗୋଟିଏ ପଟେ ପାକିସ୍ତାନ ପକ୍ଷରୁ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଙ୍ଘନ, କଶ୍ମୀରରେ ଆତଙ୍କବାଦୀ ମାମଲା ବଢିବା ଓ ସେପଟେ ଚୀନର ଗତିବିଧି ଏକ ବଡ଼ ଷଡ଼ଯନ୍ତ୍ର ଆଡ଼କୁ ଇସାରା କରୁଛି ବୋଲି ବିଶେଷଜ୍ଞମାନେ କହିଛନ୍ତି ।

ସମ୍ବନ୍ଧିତ ଖବର