ମୁକ୍ତ ହେଲା ଚୀନ ସେନା ଦ୍ୱାରା ବନ୍ଦୀ ଭାରତୀୟ ଯୁବକ, କରୋନା ସଂଦେହରେ ଏକାନ୍ତବାସରେ ରଖିଲା ଭାରତୀୟ ସେନା

ନୂଆଦିଲ୍ଲୀ : ଚୀନ ସେନା ଦ୍ୱାରା ଗତ ମାର୍ଚ୍ଚ ୨୩ଠାରୁ ବନ୍ଦୀ ରଖାଯାଇଥିବା ଅରୁଣାଚଳ ପ୍ରଦେଶର ଜଣେ ୨୧ ବର୍ଷୀୟ ଭାରତୀୟ ଯୁବକକୁ ଛାଡ଼ିଦେଇଛନ୍ତି । ସେମାନେ ତାହାକୁ ଭାରତୀୟ ସେନା ହାତରେ ଦେଇଛନ୍ତି । ଏ ସଂପର୍କରେ ଭାରତୀୟ ସେନା ପକ୍ଷରୁ ସ୍ପଷ୍ଟ କରାଯାଇଛି ।

ଏହି ଯୁବକର ନାଁ ହେଉଛି ଟୋକଲେ ସିନକମ । ମାର୍ଚ୍ଚ ୨୩ ରେ ସେ ନିଜ ଗାଁର ଅନ୍ୟ ଦୁଇଯୁବକ ଗାମସି ଚାଦର, ରୋନ୍ୟା ନାଡେଙ୍କ ସହ ଭାରତ-ଚୀନ ସୀମା ମାକ-ମୋହାନ ଲାଇନ ଅଞ୍ଚଳରେ ମାଛ ମାରିବାକୁ ଓ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରିବାକୁ ଯାଇଥିଲେ । ଏହି ସମୟରେ ଚୀନ ସୈନିକମାନେ ସିନକମଙ୍କୁ ଧରି ନେଇଥିଲେ । ତେବେ ଅନ୍ୟ ଦୁଇ ଯୁବକ ଘଟଣାସ୍ଥଳରୁ ଖସିପଳାଇବାକୁ ସକ୍ଷମ ହୋଇଥିଲେ ।
ଏହି ଘଟଣା ଜଣା ପଡ଼ିବା ପରେ ଭାରତୀୟ ସେନା ପକ୍ଷରୁ ଏକ ତଲାସୀ ଅଭିଯାନ ଆରମ୍ଭ କରାଯାଇଥିଲା ଓ ଚୀନ ସେନା ସହ ଯୋଗାଯୋଗ କରାଯାଇଥିଲା । ଏହା ପରେ ହିଁ ଚୀନ ସେନା ସିନକମକୁ ଛାଡ଼ିବାକୁ ରାଜି ହୋଇଥିଲା ।

ତେବେ ଚୀନ ସେନାର ହସ୍ତାନ୍ତର ପରେ ଭାରତୀୟ ସେନା ପକ୍ଷରୁ ତାକୁ କ୍ୱାରାଣ୍ଟାଇନ ବା ଏକାନ୍ତବାସରେ ରଖାଯାଇଛି । କରୋନା ସଂକ୍ରମଣ ସଦେହରେ ତାକୁ ଏକାନ୍ତବାସରେ ରଖାଯାଇଛି ।

ସମ୍ବନ୍ଧିତ ଖବର