ନିୟନ୍ତ୍ରଣ ହରାଇ ଘୂରୁଛି ଚୀନ୍‌ ମହାକାଶ ଯାନ : ଖୁବ୍‌ ଶୀଘ୍ର ଭୂପୃଷ୍ଠରେ ଧକ୍କା ଖାଇବ!

ନୂଆଦିଲ୍ଲୀ : ଛଅ ବର୍ଷ ତଳେ ଚୀନ୍‌ ଅନ୍ତରୀକ୍ଷକୁ ଛାଡ଼ିଥିବା ମହାକାଶ ଗବେଷଣାଗାର(ଯାନ) ତିଆଗଙ୍ଗ-୧ ଦୀର୍ଘ ବର୍ଷେ ହେଲା ନିୟନ୍ତ୍ରଣ ହରାଇ ସାରିଛି। ସମ୍ପ୍ରତି ଏହାର କକ୍ଷପଥ ଅନିର୍ଦ୍ଦିଷ୍ଟ ରହିଥିବା ବେଳେ ଏହା ତୀବ୍ର ବେଗରେ ମହାକାଶରେ ଘୂରିବୁଲୁଛି। ତେବେ ଏହାର କାର୍ଯ୍ୟକାରିତାରେ ଲକ୍ଷ୍ୟକରାଯାଉଥିବା ଅସ୍ୱାଭାବିକ ଲକ୍ଷଣ ଯୋଗୁଁ ଚଳିତବର୍ଷର ଶେଷ ଭାଗକୁ କିମ୍ବା ୨୦୧୮ ପ୍ରାରମ୍ଭରେ ଏହା ଯେ କୌଣସି ସମୟରେ ଭୂପୃଷ୍ଠରେ ଧକ୍କା ଖାଇବାର ଆଶଙ୍କା ସୃଷ୍ଟି ହୋଇଛି।

ନିଜକୁ ଅନ୍ୟତମ ମହାଶକ୍ତି ଭାବେ ପରିଚୟ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଚୀନ୍‌ ତାହାର ବହୁ ପ୍ରତୀକ୍ଷିତ ତିଆଗଙ୍ଗ-୧କୁ ଛାଡ଼ିଥିଲା। ତେବେ ଗତବର୍ଷ ସେପ୍ଟେମ୍ବର ମାସରୁ ତାହା ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିବା ସମ୍ପର୍କରେ ଚୀନ୍‌ର ମହାକାଶ ଗବେଷଣାକାରୀମାନେ ବହୁ ତର୍ଜ୍ଜମା ପରେ ସ୍ପଷ୍ଟ କରିଛନ୍ତି। ତେଣୁ ଏହା ଅପ୍ରତ୍ୟାଶିତ ଭାବେ ଯେ କୌଣସି ସମୟରେ ପୃଥିବୀରେ ମାଡ଼ ହୋଇପାରେ ବୋଲି ସେମାନେ ଆଶଙ୍କା କରୁଛନ୍ତି। ତେବେ ପୃଥିବୀର ବାୟୁମଣ୍ଡଳ ଟପି ଆସିବାରେ ଯଦିଓ ଏହା କିଛି ମାତ୍ରାରେ କ୍ଷୟପ୍ରାପ୍ତ ହୋଇଯାଇଥିବ, ତେବେ ଏହାର ଧ୍ୱଂସାବଶେଷ ଗୁଡ଼ିକର ଭୂପୃଷ୍ଠରେ ପତନ ହିଁ ଚିନ୍ତାର କାରଣ ହୋଇଛି। ବାୟୁମଣ୍ଡଳର ଘର୍ଷଣରେ ଏହା ଜଳିଯିବାକୁ ଥିିଲେ ହେଁ ୧୦୦ କେଜିରୁ ଅଧିକ ଓଜନର ଅବଶେଷ ମଧ୍ୟ ଭୂପୃଷ୍ଠରେ ପିଟିହୋଇପାରେ। ସୌଭାଗ୍ୟବଶତଃ ଏହା କେଉଁ ମହାସାଗରରେ କିମ୍ବା ପାର୍ବତ୍ୟ ଅଞ୍ଚଳରେ ପଡ଼ିଲେ ବିଶେଷ କ୍ଷତିର ଆଶଙ୍କା ନାହିଁ। ମାତ୍ର ତାହା ନିୟନ୍ତ୍ରଣମୁକ୍ତ ହୋଇଥିିବାରୁ କୌଣସି ଜନବସତିରେ ପତନ ହିଁ ଆଲୋଚ୍ୟ ବିଷୟ ହୋଇଛି।

ସମ୍ବନ୍ଧିତ ଖବର