ମାଲ୍‌ଓୟାର ଥିବା ଥମ୍ବ୍‌ ଡ୍ରାଇଭ୍‌ ନେଇ ଟ୍ରମ୍ପ୍‌ଙ୍କ ଫ୍ଲୋରିଡା ରିସର୍ଟରେ ପଶିଥିବା ଚୀନ୍‌ ମହିଳାଙ୍କୁ ଗିରଫ କଲେ ଆମେରିକୀୟ ଗୁଇନ୍ଦା

ଓ୍ଵାସିଂଟନ୍‌: କେତେଗୁଡ଼ିଏ ସେଲ୍‌ ଫୋନ୍‌ ଏବଂ ‘ମାଲ୍‌େଓ୍ଵର୍‌’ ଥିବା ଗୋଟାଏ ଥମ୍ବ୍‌ ଡ୍ରାଇଭ୍‌ ରଖିଥିବା ଜଣେ ଚୀନ୍‌ ମହିଳାଙ୍କୁ ଶନିବାର ଦିନ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌ଙ୍କର ଫ୍ଲୋରିଡାସ୍ଥିତ ମାର୍‌-ଆ-ଲାଗୋ ରିସର୍ଟରୁ ଗିରଫ କରାଯାଇଛି । ସେତେବେଳେ ରାଷ୍ଟ୍ରପିତି ସେଠାରେ ରହୁଥିଲେ ବୋଲି ମଙ୍ଗଳବାର ଦିନ ଅଦାଲତର କାଗଜପତ୍ରରୁ ଜଣାପଡ଼ିଛି।

ଫ୍ଲୋରିଡାର ପାମ୍‌ବିଚ୍‌ ଅନ୍ତର୍ଗତ ଫେଡେରାଲ୍‌ କୋର୍ଟଙ୍କ ଗିରଫଦାରି ଦଲିଲରୁ ଜଣାପଡ଼ିଛି ଯେ ଝାଙ୍ଗ୍‌ ୟୁଜିଙ୍ଗ୍‌ ନାମ୍ନା ସେ ମହିଳା ଶନିବାର ଦିନ ମାର୍‌-ଆ-ଲାଗୋକୁ ପ୍ରବେଶ କରିବାକୁ ଉଦ୍ୟମ କରିଥିଲେ। ପ୍ରଥମେ ନିଜକୁ ଜଣେ ସଦସ୍ୟା ବୋଲି ଦର୍ଶାଇ କହିଥିଲେ କି, ସେ ପୁଲ୍‌ ଆଡ଼କୁ ଯାଉଛନ୍ତି। କିନ୍ତୁ, ସେତେବେଳେ ସେ ସୁଇମ୍‌ସୁଟ୍‌ ପିନ୍ଧି ନ ଥିଲେ। ତା’ପରେ ସେ କହିଲେ କି, ସେ ଚୀନ୍‌-ଆମେରିକା ବନ୍ଧୁତାର ଗୋଟିଏ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସିଛନ୍ତି। କିନ୍ତୁ, ପ୍ରକୃତରେ ସେମିତି କୌଣସି କାର୍ଯ୍ୟକ୍ରମ ହେଉ ନ ଥିଲା।

ତାଙ୍କୁ ଅଟକ ରଖାଯିବା ପରେ ସେ ଆହୁରି ଗୋଟାଏ କାହାଣୀ ଫାନ୍ଦି କହିଲେ ଯେ ଚାର୍ଲସ୍‌ ନାମକ ଜଣେ ଚୀନ୍‌ ବନ୍ଧୁ କହିବାରୁ ସେ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ସାଙ୍ଘାଇରୁ ଆସିଛନ୍ତି। ତା’ଛଡ଼ା ଯୁକ୍ତରାଷ୍ଟ୍ର ଆମେରିକା-ଚୀନ୍‌ ଆର୍ଥିକ ସମ୍ପର୍କ ସଂକ୍ରାନ୍ତରେ ରାଷ୍ଟ୍ରପତିଙ୍କ ପରିବାରର ଜଣେ ସଦସ୍ୟଙ୍କ ସହ କଥାବାର୍ତ୍ତା କରିବାକୁ ଉଦ୍ୟମ କରିଥଲେ।

ମହିଳାଜଣକ ପାଖରେ ପିପଲ୍‌ସ୍‌ ରିପବ୍ଲିକ୍‌ ଅଫ୍‌ ଚାଇନାର ଦୁଇଟି ପାସ୍‌ପୋର୍ଟ ରଖିଥିଲେ ବୋଲି ଗୁଇନ୍ଦା ଅଧିକାରୀମାନେ କହିଛନ୍ତି। ଘଟଣାସ୍ଥଳରେ ତାଙ୍କଠାରୁ ସେମାନେ ୪ଟି ସେଲ୍‌ଫୋନ୍‌, ଗୋଟିଏ ଲାପ୍‌ଟପ୍‌ କମ୍ପ୍ୟୁଟର୍‌, ଗୋଟିଏ ଏକ୍ସଟର୍‌ନାଲ୍‌ ହାର୍ଡ ଡ୍ରାଇଭ୍‌ ଓ ମାଲ୍‌େଓ୍ଵର୍‌ ଥିବା ଗୋଟିଏ ଥମ୍ବ୍‌ ଡ୍ରାଇଭ୍‌ ଜବତ୍‌ କରିଥିଲେ।

ସମ୍ବନ୍ଧିତ ଖବର