ଆଇନ ଛାତ୍ରୀ ଦୁଷ୍କର୍ମ ମାମଲାରେ ସ୍ୱାମୀ ଚିନ୍ମୟାନନ୍ଦଙ୍କୁ ଗିରଫ କଲା ୟୁପି ପୁଲିସ

ଲକ୍ଷ୍ନୌ : ଆଇନ ଛାତ୍ରୀ ଦୁଷ୍କର୍ମ ମାମଲାରେ ପୂର୍ବତନ ବିଜେପି ଏମପି ସ୍ୱାମୀ ଚିନ୍ମୟାନନ୍ଦଙ୍କୁ ଶୁକ୍ରବାରଦିନ ପୁଲିସ ତାଙ୍କ ଆଶ୍ରମରୁ ଗିରଫ କରିବା ସହ ତାଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇଦିଆଯାଇଛି । ତେବେ ପୁଲିସ ତାଙ୍କ ବିରୋଧରେ ଦୁଷ୍କର୍ମ ମାମଲା (ଆଇପିସିର ଧାରା ୩୭୬) ଲଗାଇବା ବଦଳରେ ଧାରା ୩୭୬ ଗ ଲଗାଇଥିବା ଅଭିଯୋଗ ହେଉଛି । କ୍ଷମତାପ୍ରାପ୍ତ ପଦବୀର ଫାଇଦା ଉଠାଇ ଯୌନ ସଂପର୍କ ରଖିବା ଅପରାଧ ପାଇଁ ଆଇପିସିର ଧାରା ୩୭୬ଗ ଲଗାଯାଇଥାଏ । ଧାରା ୩୭୬ ପାଇଁ ୭ ବର୍ଷରୁ ଅଧିକ ଏପରିକି ଆଜୀବନ କାରାଦଣ୍ଡର ବ୍ୟବସ୍ଥା ଥିବାବେଳେ ଧାରା ୩୭୬ଗ ପାଇଁ ୭ ବର୍ଷର ଜେଲଦଣ୍ଡର ବ୍ୟବସ୍ଥା ରହିଛି । ଚିନ୍ମୟାନନ୍ଦ ନିଜର ଦୋଷ ସ୍ୱୀକାର କରିଥିବା ପୁଲିସ କହିଛି । ଏହାସହିତ ତାଙ୍କ ଆଶ୍ରମ ଦିବ୍ୟଧାମକୁ ଏସଆଇଟି ପକ୍ଷରୁ ସିଲ କରିଦିଆଯାଇଛି ।

ଗତ ସପ୍ତାହରେ ଏସଆଇଟି ଚିନ୍ମୟାନନ୍ଦଙ୍କ ଶୟନ କକ୍ଷକୁ ବୁଲିଦେଖିବା ସହ ବିଭିନ୍ନ ପ୍ରମାଣ ସଂଗ୍ରହ କରିଥିଲା । ଏହା ସହିତ ସଂପୃକ୍ତ ଛାତ୍ରୀଙ୍କୁ ମଧ୍ୟ ଜେରା କରାଯାଇଥିଲା । ତାଙ୍କ ପାଖରେ ଯାହାବି ପ୍ରମାଣ ରହିଛି ତାହାକୁ ପ୍ରଦାନ କରିବାକୁ ଏସଆଇଟି ପକ୍ଷରୁ ଛାତ୍ରୀଙ୍କୁ କୁହାଯାଇଥିଲା । ଏହା ପରେ ଛାତ୍ରୀଜଣକ ଏକ ପେନଡ୍ରାଇଭ ଦେଇଥିଲେ । ସେହିପରି ଏସଆଇଟି ପକ୍ଷରୁ ଚିନ୍ମୟାନନ୍ଦଙ୍କୁ ଦୀର୍ଘ ସାତ ଘଣ୍ଟା ଧରି ଜେରା କରାଯାଇଥିଲା ।

ସମ୍ବନ୍ଧିତ ଖବର