ସାଧାରଣତନ୍ତ୍ର ଦିବସରେ ପ୍ରଥମ ଥର ପାଇଁ ପ୍ରଦର୍ଶିତ ହେବ ଶକ୍ତିଶାଳୀ ଚିନୁକ ଓ ଆପାଚେ ହେଲିକାପ୍ଟର

ନୂଆଦିଲ୍ଲୀ : ଆସନ୍ତା ଜାନୁଆରି ୨୬ ସାଧାରଣତନ୍ତ୍ର ଦିବସରେ ଆମେରିକା ନିର୍ମିତ ଲଢୁଆ ହେଲିକାପ୍ଟର ଚିନୁକ ଓ ଆପାଚେର ପ୍ରଦର୍ଶନ କରାଯିବ । ଗତବର୍ଷ ଏହି ଦୁଇଟି ହେଲିକାପ୍ଟର ଭାରତୀୟ ବାୟୁସେନାରେ ସାମିଲ ହୋଇଥିଲା । ପ୍ରଥମ ଥର ପାଇଁ ଭାରତୀୟ ଜନତା ଏହି ଦୁଇ ବିଶ୍ୱ ବିଖ୍ୟାତ ଲଢୁଆ ହେଲିକାପ୍ଟରକୁ ଦେଖିପାରିବେ ।
ମିଳିଥିବା ସୂଚନା ଅନୁସାରେ ସାଧାରଣତନ୍ତ୍ର ଦିବସ ପାଇଁ ଭାରତୀୟ ବାୟୁସେନା ପକ୍ଷରୁ ଚିନୁକ ଓ ଆପାଚେ ସହ ରାଫେଲ ବିମାନର ଏକ ମଡେଲ ମଧ୍ୟ ପ୍ରଦର୍ଶନ କରାଯିବ । ଏସବୁକୁ ମିଶାଇ ଭାରତୀୟ ବାୟୁସେନା ମୋଟ ୪୧ଟି ବିମାନ ଓ ୪ଟି ହେଲିକାପ୍ଟରର ପ୍ରଦର୍ଶନ କରିବ । ଏଗୁଡ଼ିକ ମଧ୍ୟରେ ରହିଛି ୧୬ଟି ଲଢୁଆ ବିମାନ, ୧୦ଟି ପରିବହନ ବିମାନ ଓ ୧୯ଟି ହେଲିକାପ୍ଟର ।

ଚିନୁକ ହେଭିଲିପ୍ଟ ହେଲିକାପ୍ଟର ବିଶ୍ୱର ସବୁଠାରୁ ଶକ୍ତିଶାଳୀ ହେଲିକାପ୍ଟର ମଧ୍ୟରୁ ଅନ୍ୟତମ । ଏହା ଉଭୟ ଆକ୍ରମଣ ଓ ପରିବହନ କାର୍ଯ୍ୟକ୍ରମରେ ବ୍ୟବହାର କରାଯାଇପାରିବ । ଅତ୍ୟନ୍ତ ଓଜନିଆ ଯୁଦ୍ଧ ସାମଗ୍ରୀ ଯେପରିକି ହେଭିମେସିନଗନ, ଆର୍ଟିଲାରୀ ଗନ ଆଦିକୁ ଏଥିରେ ବହନ କରିହେବ ।
ଟ୍ୟାଙ୍କ୍, ସାମରିକ ଗାଡିକୁ ଧ୍ୱଂସ କରିବାରେ ମାହିର ଥିବା ଆପାଚେ ପୂରା ବିଶ୍ୱରେ ବିଧ୍ୱଂସକାରୀ ହେଲିକପ୍ଟର ଭାବେ ଜଣାଶୁଣା ।ଏହି ହେଲିକପ୍ଟରରେ ୩୦ଏମଏମ ମେଶିନଗନ ସଂଯୁକ୍ତ ରହିଛି । ଯେଉଁଥିରୁ ଗୋଟିଏ ଥରରେ ୧୨୦୦ ରାଉଣ୍ଡ ପର୍ଯ୍ୟନ୍ତ ଗୁଳି ଚଳାଇ ଯାଇପାରିବ । ଏହାଛଡା ଏଥିରେ ଆଣ୍ଟି ଟ୍ୟାଙ୍କ୍ ହେଲଫାୟାର ମିସାଇଲ ରହିଛି ଯାହା ଶତ୍ରୁ ପକ୍ଷର ଟ୍ୟାଙ୍କକୁ ଥରକେ ନଷ୍ଟ କରିବାକୁ ସକ୍ଷମ ।

ସମ୍ବନ୍ଧିତ ଖବର