ଚୌକିଦାର ଡରିବ ନାହିଁ କି ଶୋଇବ ନାହିଁ: ମୋଦୀ

ସୋଲାପୁର: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ରାଫେଲ ଅଭିଯୋଗର ଜବାବ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଏହି ପ୍ରସଙ୍ଗରେ କଂଗ୍ରେସକୁ ଘେରିଛନ୍ତି। ରାଫେଲ ନିର୍ମାତା ଡାସଲ୍‌ଟର ପ୍ରତିଦ୍ବନ୍ଦ୍ବୀ ୟୁରୋଫାଇଟର ପାଇଁ ଅଗସ୍ତା ୱେଷ୍ଟଲାଣ୍ଡ୍‌ର ଦଲାଲ ଖ୍ରିଷ୍ଟେନ୍‌ ମିସେଲ ଲବି କରୁଥିଲା ଏବଂ ଏଥିପାଇଁ କଂଗ୍ରେସ ରାଫେଲ ଚୁକ୍ତିରେ ବିଳମ୍ବ କରିଥିଲା କି ବୋଲି ମୋଦୀ ପ୍ରଶ୍ନ କରିଛନ୍ତି। ରାଫେଲ ଏବଂ ୟୁରୋଫାଇଟର ମାମଲାରେ ମିସେଲଙ୍କ ଭୂମିକା ସଂପର୍କିତ ନୂଆ ତଥ୍ୟ ସାମ୍ନାକୁ ଆସିଥିବାରୁ ଏ ବାବଦରେ କଂଗ୍ରେସକୁ ଜବାବ ଦେବାକୁ ହେବ ବୋଲି ମୋଦୀ କହିଛନ୍ତି। ‘ମିସେଲ ମାମା’ ସହିତ କଂଗ୍ରେସର କି ସଂପର୍କ ରହିଛି ତାହା ମଧ୍ୟ ସମସ୍ତଙ୍କୁ ଜଣାଇବାକୁ ପଡ଼ିବ ବୋଲି ସେ କହିଥିଲେ। ଏବେ ଚୋରମାନେ ଚୌକିଦାରକୁ ହଟାଇବାକୁ ଷଡ଼ଯନ୍ତ୍ର କରୁଛନ୍ତି। କିନ୍ତୁ ଚୌକିଦାର ଡରିବ ନାହିଁ କି ଶୋଇବ ନାହିଁ ବୋଲି ମୋଦୀ କହିଛନ୍ତି। ଘନ ଅନ୍ଧାରରେ ମଧ୍ୟ ଚୋରକୁ ଧରିବା ପାଇଁ ଚୌକିଦାର ପ୍ରୟାସ ଜାରି ରଖିବ ବୋଲି ସେ କହିଛନ୍ତି। ଏହାପରେ ମୋଦୀ ସମାବେଶରେ ଉପସ୍ଥିତ ଜନତାଙ୍କୁ ଆପଣ ଚୌକିଦାରଙ୍କୁ ସମର୍ଥନ କରୁଛନ୍ତି କି ବୋଲି ପ୍ରଶ୍ନ କରିଥିଲେ। ଏହାର ଜବାବରେ ଲେକେ ଚୌକିଦାରଙ୍କୁ ସମର୍ଥନ କରୁଥିବା କହିଥିଲେ।

ସମ୍ବନ୍ଧିତ ଖବର