ସାମ୍ବାଦିକ ଜମାଲ୍‌ ଖସୋଗିଙ୍କ ହତ୍ୟା ଅନ୍ତରାଳରେ ସାଉଦି ଯୁବରାଜ: ସିଆଇଏ

ଓ୍ଵାସିଂଟନ୍‌: ସାମ୍ବାଦିକ ଜମାଲ୍‌ ଖସୋଗିଙ୍କ ହତ୍ୟା ଘଟନା ଅନ୍ତରାଳରେ ସାଉଦିର କ୍ଷମତାଶାଳୀ ଯୁବରାଜ ମହମ୍ମଦ ବିନ୍‌ ସଲମନ୍‌ଙ୍କ ଭୂମିକା ରହିଥିବା କଥା ଯୁକ୍ତରାଷ୍ଟ୍ର ଆମେରିକାର ସେଣ୍ଟ୍ରାଲ୍‌ ଇଣ୍ଟେଲିଜେନ୍‌ସ୍‌ ଏଜେନ୍‌ସି (ସିଆଇଏ) ଚୂଡ଼ାନ୍ତ କରିଥିବା କଥା ଶୁକ୍ରବାର ଦିନ ଆମେରିକାର ଗଣମାଧ୍ୟମ ପ୍ରକାଶ କରିଛନ୍ତି।

ଯୁକ୍ତରାଷ୍ଟ୍ର ଆମେରିକାର ତଦନ୍ତ ଫଳାଫଳ ଗୋଟିଏ ଦିନ ପୂର୍ବରୁ ସାଉଦି ପ୍ରୋଜେକ୍ୟୁଟର୍‌ମାନେ ଦେଇଥିବା ଫଳାଫଳର ବିରୋଧାଭାସ କରୁଛି। ଏହି ଜଘନ୍ୟ ନରହତ୍ୟାରେ ଯୁବରାଜ ସମ୍ପୃକ୍ତ ନୁହନ୍ତି ବୋଲି ସେମାନେ କହିଥିଲେ।

ପ୍ରଥମେ ଏ ଖବର ପ୍ରକାଶ କରିଥିବା ‘ଦି ଓ୍ଵାସିଂଟନ୍‌ ପୋଷ୍ଟ୍‍’ କହିଛି, ସରକାରୀ ବିମାନରେ ୧୫ ଜଣ ସାଉଦୀ ଏଜେଣ୍ଟ୍‌ ଇସ୍ତାନ୍‌ବୁଲ୍‌ ଯାଇ ସାଉଦୀ କନ୍‌ସୁଲେଟ୍‌ରେ ଖସୋଗିଙ୍କୁ ହତ୍ୟା କରିଛନ୍ତି।

ତୁର୍କୀୟ ଭାବି ପତ୍ନୀଙ୍କୁ ବିବାହ କରିବାକୁ ଆବଶ୍ୟକ ଦଲିଲ ପତ୍ର ଆଣିବାକୁ ଖସୋଗି କନ୍‌ସୁଲେଟ୍‌କୁ ଯାଇଥିଲେ।

କିନ୍ତୁ, ସାଉଦି ଆରବ ସିଆଇଏ ରିପୋର୍ଟକୁ ତୁରନ୍ତ ଅସ୍ୱୀକାର କରିଛି। ପୂର୍ବରୁ ସାଉଦି ଆରବ ଅକ୍ଟୋବର ୨ ତାରିଖର ଏହି ନରହତ୍ୟା ସଂକ୍ରାନ୍ତରେ ବିବୃତି ବଦଳାଇ ଚାଲିଥିଲା। ପ୍ରଥମେ କୁହାଯାଇଥିଲା- ଖସୋଗିଙ୍କ ଅବସ୍ଥିତି ବିଷୟରେ ସେମାନେ କିଛି ଜାଣି ନାହାନ୍ତି। ପରେ କହିଲେ ଯୁକ୍ତିତର୍କରୁ ମୁଥ ମରାମରି ହୋଇ ତାଙ୍କର ମୃତ୍ୟୁ ଘଟିଛି।

ପୁଣି ଗୁରୁବାର ଦିନ କୁହାଗଲା ଖସୋଗିଙ୍କୁ ବୁଝାଇଶୁଝାଇ ଫେରାଇ ଆଣିବାକୁ ୧୫ ଜଣିଆ ସଦସ୍ୟ ବିଶିଷ୍ଟ ସ୍କ୍ଵାଡ୍‌ ଇସ୍ତାନବୁଲ୍‌ ଯାଇଥିଲେ। କିନ୍ତୁ, ତାହା ବିଫଳ ହେବାରୁ ତାଙ୍କୁ ହତ୍ୟା କରି ତାଙ୍କ ଶବକୁ ଖଣ୍ଡ ଖଣ୍ଡ କରି ଦିଆଯାଇଥିଲା।

ସମ୍ବନ୍ଧିତ ଖବର