ଭାଟିକାନ୍‌ରେ ସିଗାରେଟ୍‌ ନିଷିଦ୍ଧ

ଭାଟିକାନ୍‌ ସିଟି: ଏଣିକି ଭାଟିକାନ୍‌ ସିଟିରେ ଆଉ ସିଗାରେଟ୍‌ ମିଳିବନାହିଁ। ସିଗାରେଟ୍‌ ମଣିଷର ସ୍ୱାସ୍ଥ୍ୟ ପାଇଁ ହାନିକାରକ। ଏହା ଯୋଗୁଁ ସାରା ବିଶ୍ୱରେ ବାର୍ଷିକ ସତୁରି ଲକ୍ଷ ମଣିଷଙ୍କ ପ୍ରାଣ ଯାଉଛି। ତେଣୁ, ପୋପ୍‌ ଫ୍ରାନ୍‌ସିସ୍‌ଙ୍କ ନିର୍ଦେଶରେ, ଏହାର ବିକ୍ରି ବନ୍ଦ କରିବା ପାଇଁ ଭାଟିକାନ୍‌ ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି। ଏହା ଦ୍ୱାରା ଭାଟିକାନ୍‌ ସିଟିରେ ଥିବା ଶୁଳ୍‌କ-ମୁକ୍ତ ଦୋକାନ ଓ ସୁପର୍‌ମାର୍କେଟ୍‌ଗୁଡ଼ିକ ବାର୍ଷିକ ୧.୧ କୋଟି ଡଲାର୍‌ର ଲାଭରୁ ବଞ୍ଚିତ ହେବେ। ତଥାପି, ପୋପ୍‌ଙ୍କ ନିଷ୍ପତ୍ତିକୁ ସ୍ୱାଗତ କରାଯାଇଛି।

ପୋପ୍‌ ଧୂମପାନ କରନ୍ତିନାହିଁ। ତେବେ, ଭାଟିକାନ୍‌ର ବହୁ କର୍ମଚାରୀ ଧୂମପାନ କରନ୍ତି। ଭାଟିକାନ୍‌ର କର୍ମଚାରୀ ସଂଖ୍ୟା ପ୍ରାୟ ପାଞ୍ଚ ହଜାର। ସେଠାରେ ସର୍ବାଧିକ ବିକ୍ରି ହେଉଥିବା ଦ୍ୱିତୀୟ ସାମଗ୍ରୀ ହେଉଛି ସିଗାରେଟ୍‌। ପ୍ରଥମ ସ୍ଥାନରେ ଅଛି ବାଷ୍ପୀୟ ତୈଳ ଇନ୍ଧନ। ଭାଟିକାନ୍‌ର ସମସ୍ତ କର୍ମଚାରୀ, ଅବସରପ୍ରାପ୍ତ କର୍ମଚାରୀ, ବାସିନ୍ଦା, ନିର୍ଦିଷ୍ଟ ଧର୍ମାବଲମ୍ବୀ ଓ କୂଟନୀତିଜ୍ଞଙ୍କୁ ଶୁଳ୍‌କ-ମୁକ୍ତ ସାମଗ୍ରୀ କିଣିବା ପାଇଁ ‘କମର୍ସିଆଲ୍‌ କାଡ୍‌ର୍’ ମିଳେ। ସେଠାରେ ୪୧୦୦୦ କାଡ୍‌ର୍ ପ୍ରଚଳିତ। ଅନେକ ନିଜର କାଡ୍‌ର୍ ଦ୍ୱାରା ଶସ୍ତାରେ ବିଭିନ୍ନ ସାମଗ୍ରୀ କିଣି, ମୁଖ୍ୟତଃ ପର୍ଯ୍ୟଟକଙ୍କୁ ଅଧିକ ଦାମରେ ବିକନ୍ତି। ସିଗାରେଟ୍‌ ଓ ସୁରା ହିଁ ଅଧିକତର ଏ ଭଳି ଅବୈଧ ଭାବେ ବିକ୍ରି ହୁଏ। ନୂଆ ଘୋଷଣା ଦ୍ୱାରା ପବିତ୍ର ନଗରୀରେ ବହୁ ଦିନରୁ ଚାଲୁଥିବା ଏହି ଅବୈଧ କାରବାର ବନ୍ଦ ହୋଇଛି।

ସମ୍ବନ୍ଧିତ ଖବର