ଏଣିକି ଭିଆଇପି ମାନଙ୍କର ସୁରକ୍ଷା ଦାୟିତ୍ୱ ରହିବ ସିଆଇଏସ୍ଏଫ୍ ହାତରେ
ଭେଲୋର: ଦେଶର ଭିଆଇପିମାନଙ୍କର ସୁରକ୍ଷା ଦାୟିତ୍ୱ ଏଣିକି କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବାହିନୀ (ସିଆଇଏସ୍ଏଫ୍) ବହନ କରିବ ବୋଲି ସିଆଇଏସ୍ଏଫ୍ ଡିଜି ଓପି ସିଂହ ଆଜି ଏକ ସମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି। ଏ ସଂପର୍କରେ ସାମ୍ବାଦିକମାନଙ୍କୁ ସୂଚନା ପ୍ରଦାନ କରି ସିଆଇଏସ୍ଏଫ୍ ଡିଜି ଶ୍ରୀ ସିଂହ କହିଛନ୍ତି ଯେ କେନ୍ଦ୍ର ସରକାର ଏସଂପର୍କରେ ଏକ ନିର୍ଦ୍ଦେଶନାମା ଜାରି କରି କହିଛନ୍ତି ଯେ ଦେଶରେ ଥିବା ଭିଆଇପିମାନଙ୍କର ସୁରକ୍ଷା ଭାର ଏଣିକି ସିଆଇଏସ୍ଏଫ୍ ଉପରେ ନ୍ୟସ୍ତ ରହିବ। ଦେଶରେ ବର୍ତ୍ତମାନ ଯେଉଁ ଭିଆଇପିମାନଙ୍କ ସୁରକ୍ଷା ଦାୟିତ୍ୱ ସିଆର୍ପିଏଫ୍ ଏବଂ ଅନ୍ୟ ସୁରକ୍ଷା ସଂସ୍ଥା ହାତରେ ରହିଛି, ଆମେ ଖୁବ୍ଶୀଘ୍ର ସେମାନଙ୍କର ସୁରକ୍ଷା ଦାୟିତ୍ୱ ହାତକୁ ନେବୁ। ସିଆଇଏସ୍ଏଫ୍ର ପ୍ରଥମ ବ୍ୟାଚ୍ ମହିଳା କନେଷ୍ଟବଲ୍ ମାନଙ୍କର ପାସିଂ ଆଉଟ୍ ପ୍ୟାରେଡ୍ରେ ଯୋଗଦେବା ଅବସରରେ ତାମିଲନାଡ଼ୁର ଭେଲୋର ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ପ୍ରଦାନ କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ସିଆଇଏସ୍ଏଫ୍ ସଂପର୍କରେ ସୂଚନା ଦେବାକୁ ଯାଇ ସେ କହିଛନ୍ତି ଯେ ବିଗତ ୪୮ ବର୍ଷ ତଳେ କେନ୍ଦ୍ର ସରକାର ସିଆଇଏସ୍ଏଫ୍ର ପ୍ରତିଷ୍ଠା କରିଥିଲେ। ତେବେ, ପ୍ରତିଷ୍ଠା କାଳରୁ ଅଦ୍ୟାବଧି ସିଆଇଏସ୍ଏଫ୍ ଦେଶର ଏକ ନିର୍ଭରଯୋଗ୍ୟ ଅର୍ଦ୍ଧ ସାମରିକ ବାହିନୀ ଭାବେ ସଂପୂର୍ଣ୍ଣ ଦକ୍ଷତାର ସହ କାର୍ଯ୍ୟ କରି ଆସିଛି। ସିଆଇଏସ୍ଏଫ୍ ହାତରେ ଏବେ ଦେଶର ୫୯ଟି ବିମାନ ବନ୍ଦରର ସୁରକ୍ଷା ଦାୟିତ୍ୱ ସମେତ ଦେଶର ସମସ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନ ଯେପରିକି ବନ୍ଦର, ଆଣବିକ ଶକ୍ତି ପ୍ରତିଷ୍ଠାନ, ତୈଳ କ୍ଷେତ୍ର ଓ ଖଣିଜ ଶିଳ୍ପ ଠାରୁ ଆରମ୍ଭ କରି ଦେଶର ସମସ୍ତ ବୃହତ ଓ ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନର ସୁରକ୍ଷା ଦାୟିତ୍ୱ ସରକାର ସିଆଇଏସ୍ଏଫ୍ ଉପରେ ନ୍ୟସ୍ତ କରିଛନ୍ତି ଏବଂ ଯାହାକୁ ସିଆଇଏସ୍ଏଫ୍ ଆଜି ପର୍ଯ୍ୟନ୍ତ ବେଶ ଦାୟିତ୍ୱପୂର୍ଣ୍ଣ ଭାବେ ତୁଲାଇ ଆସିଛି।
ଖାଲି, ଏତିକି ନୁହେଁ ଘରୋଇ ସଂସ୍ଥା ଓ ପ୍ରକଳ୍ପକୁ ମଧ୍ୟ ସୁରକ୍ଷା ଯୋଗାଇ ସିଆଇଏସ୍ଏଫ୍ ସେ ବାବଦରେ ଗତ ଆର୍ଥିକ ବର୍ଷରେ ୨.୫୪ କୋଟି ଟଙ୍କାର ରାଜସ୍ୱ ଆୟ କରିବାରେ ସମର୍ଥ ହୋଇଛି। ସିଆଇଏସ୍ଏଫ୍ ନିଜକୁ ସବୁବେଳେ ଆଧୁନିକ ଜ୍ଞାନକୌଶଳ ସଂପନ୍ନ କରାଇବା ସହ ସୁରକ୍ଷା କ୍ଷେତ୍ରରେ ଆଧୁନିକ ଜ୍ଞାନକୌଶଳର ବ୍ୟବହାରକୁ ଗୁରୁତ୍ୱ ଦେଇଛି। ଏହି ପରିପ୍ରେକ୍ଷୀରେ ଦେଶର ଭିଆଇପି ମାନଙ୍କର ସୁରକ୍ଷା ଦାୟିତ୍ୱ ପରି ଯେଉଁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ସିଆଇଏସ୍ଏଫ୍ ଉପରେ ନ୍ୟସ୍ତ କରିବାକୁ ଯାଉଛନ୍ତି, ତାକୁ ମଧ୍ୟ ଆମେ ସଂପୂର୍ଣ୍ଣ ଦାୟିତ୍ୱପୂର୍ଣ୍ଣ ଭାବେ ନିର୍ବାହ କରିବୁ ବୋଲି ଗଣମାଧ୍ୟମକୁ କହିଛନ୍ତି ସିଆଇଏସ୍ଏଫ୍ ଡିଜି ଓପି ସିଂହ।