ନାଗରିକ ସଂଶୋଧନ ବିଲ୍‌ ଗୃହୀତ

ବିଲ୍‌କୁ ବିରୋଧ କରି କଂଗ୍ରେସର କକ୍ଷତ୍ୟାଗ

ନୂଆଦିଲ୍ଲୀ: କଂଗ୍ରେସ, ଟିଏମ୍‌ସି ସମେତ ଅନ୍ୟ କେତେକ ଦଳର ପ୍ରବଳ ବିରୋଧ ଓ ହଟ୍ଟଗୋଳ ମଧ୍ୟରେ ଲୋକସଭାରେ ଆଜି ନାଗରିକ ସଂଶୋଧନ ବିଲ୍‌, ୨୦୧୯ ଗୃହୀତ ହୋଇଛି। ବାଂଲାଦେଶ, ପାକିସ୍ତାନ ଓ ଆଫଗାନିସ୍ତାନରୁ ଚାଲିଆସିଥିବା ଅଣମୁସ୍‌ଲିମ୍‌ ସମ୍ପ୍ରଦାୟ ଲୋକଙ୍କୁ ଭାରତୀୟ ନାଗରିକତ୍ବ ପ୍ରଦାନ କରିବାରେ ଏହା ସହାୟକ ହୋଇପାରିବ। ଗତକାଲି କେନ୍ଦ୍ର କ୍ୟାବିନେଟ୍‌ ଏହାକୁ ଅନୁମୋଦନ ଦେଇଥିଲା। ଆଜି ଯୁଗ୍ମ ସଂସଦୀୟ କମିଟି ଦ୍ବାରା ମଞ୍ଜୁରି ମିଳିବା ପରେ ଏହାକୁ ଲୋକସଭାରେ ଆଗତ କରାଯାଇଥିଲା।
ଲୋକସଭାରେ ଆଜି ବିଲ୍‌କୁ ଆଗତ କରି କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ କହିଥିଲେ, ଏହି ବିଲ୍ ଆଇନରେ ପରିଣତ ହେବା ଦ୍ବାରା ଆସାମ୍‌ର ଏନ୍‌ଆର୍‌ସି (ଜାତୀୟ ନାଗରିକ ପଞ୍ଜିକା) ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ। କେବଳ ଆସାମକୁ ଲକ୍ଷ୍ୟରେ ରଖି ଏହି ବିଲ୍ ଅଣାଯାଇ ନାହିଁ। ବରଂ ଦେଶର ପଶ୍ଚିମ ଭାଗରେ ରହୁଥିବା ଶରଣାର୍ଥୀମାନଙ୍କୁ ଦୃଷ୍ଟିରେ ରଖି ଅଣାଯାଇଛି। ରାଜସ୍ଥାନ, ପଞ୍ଜାବ, ଦିଲ୍ଲୀ ଭଳି କେତେକ ରାଜ୍ୟକୁ ଏଥିରେ ସାମିଲ କରାଯାଇଛି। ପଡ଼ୋଶୀ ଦେଶଗୁଡ଼ିକରୁ ଆସୁଥିବା ଶରଣାର୍ଥୀମାନଙ୍କ କଲ୍ୟାଣ କ୍ଷେତ୍ରରେ ଏହା ଗୁରୁତ୍ବପୂର୍ଣ୍ଣ ସାବ୍ୟସ୍ତ ହେବ ବୋଲି ରାଜନାଥ କହିଥିଲେ।
ଅନ୍ୟପକ୍ଷରେ ବିଲ୍‌କୁ ଲୋକସଭାରେ ଆଗତ କରାଯିବା କ୍ଷଣି ବିରୋଧୀମାନେ ହଟ୍ଟଗୋଳ ଆରମ୍ଭ କରିଥିଲେ। କଂଗ୍ରେସ ‌ଶେଷରେ କକ୍ଷତ୍ୟାଗ କରିଥିଲା। ସେହିଭଳି ଏହି ବିଲ୍ ଦ୍ବାରା ଦେଶରେ ଅରାଜକତା ଦେଖାଦେବ ଏବଂ ଦେଶ ବିଭାଜନକୁ ଏହା ‌ପ୍ରୋତ୍ସାହିତ କରିବ‌ ବୋଲି ଟିଏମ୍‌ସି ସାଂସଦ ସୌଗତ ରୟ କହିଛନ୍ତି। ତାଙ୍କ କହିବାନୁଯାୟୀ ଏହା ସମ୍ବିଧାନ ବିରୋଧୀ।
ଉଲ୍ଲେଖଯୋଗ୍ୟ, ନାଗରିକ ସଂଶୋଧନ ବିଲ୍ ଆଜି ଆଗତ ହେବା ପୂର୍ବରୁ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ସାଂସଦମାନେ ସଂସଦ ଭବନ ପରିସରରେ ଅଭିନବ ଉପାୟରେ ପ୍ରତିବାଦ ଜଣାଇଥିଲେ। ‌

ସମ୍ବନ୍ଧିତ ଖବର