ନାଗରିକତା ସଂଶୋଧନ ବିଲ୍‌:ଉତ୍ତରପୂର୍ବରେ ଅସନ୍ତୋଷର ନିଆଁ

ଗୌହାଟି, : ନାଗରିକତା ସଂଶୋଧନ ବିଲ୍‌-୨୦୧୬ ଲୋକସଭାରେ ଗୃହୀତ ହେବାପରେ ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ଗୁଡ଼ିକରେ ଏହାର ପ୍ରବଳ ବିରୋଧ କରାଯାଇଛି। ବିଭିନ୍ନ ସ୍ଥାନରେ ହିଂସାତ୍ମକ ପ୍ରଦର୍ଶନ ଏବଂ ସରକାର ବିରୋଧୀ ବିକ୍ଷୋଭ ବିଜେପି ପାଇଁ ଘୋର ଅଡ଼ୁଆ ସୃଷ୍ଟି କରିଛି। ତେବେ ଆଗକୁ ସାଧାରଣ ନିର୍ବାଚନ ଥିବାବେଳେ ଏହି ବିଲ୍‌ ଯୋଗୁଁ ଉତ୍ତର ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ ବିଜେପିର ବଡ଼ ଧରଣର ସଙ୍କଟକୁ ସାମ୍ନା କରିବ ବୋଲି କୁହାଯାଉଛି। ଲୋକସଭା ନିର୍ବାଚନରେ ବିଜେପିକୁ ଏହି କ୍ଷେତ୍ରରେ ବିପର୍ଯ୍ୟୟର ସାମ୍ନା କରିବାକୁ ପଡ଼ିପାରେ। ଉତ୍ତର ପୂର୍ବାଞ୍ଚଳର ୨୫ଟି ଲୋକସଭା ଆସନରୁ ବିଜେପି ୨୧ ଟି ହାସଲ କରିବା ଲକ୍ଷ୍ୟ ରଖିଥିବା ବେଳେ ବର୍ତ୍ତମାନ ସ୍ଥିତି ସଂପୂର୍ଣ୍ଣ ଭିନ୍ନ ରହିଛି। ନାଗରିକତା ସଂଶୋଧନ ବିଲ୍‌ ନିର୍ବାଚନକୁ ବହୁଳ ଭାବେ ପ୍ରଭାବିତ କରିବ ବୋଲି ସ୍ପଷ୍ଟ ଦେଖାଯାଉଛି। ଆସାମରେ ୧୪ଟି ଲୋକସଭା ଆସନ ଥିବାବେଳେ ଏଠାରେ ହିଁ ବିଜେପିକୁ ସବୁଠୁ ବଡ଼ ଝଟ୍‌କା ଲାଗିପାରେ। ଗତ ସୋମବାର ଦିନ ଏଜିପି (ଆସମ ଗଣ ପରିଷଦ) ରାଜ୍ୟରେ ବିଜେପି ନେତୃତ୍ବାଧୀନ ସରକାରରୁ ସମର୍ଥନ ପ୍ରତ୍ୟାହାର କରି ନେଇଛି ଏବଂ ପୁଣିଥରେ ନିର୍ବାଚନ ପାଇଁ ଦାବି କରିଛି। ସେହିପରି ମେଘାଳୟ ମୁଖ୍ୟମନ୍ତ୍ରୀ ଏବଂ ଏନ୍‌ପିପି ଅଧ୍ୟକ୍ଷ ଲୋକସଭାରେ ନାଗରିକତା ସଂଶୋଧନ ବିଲ୍‌ ଗୃହୀତ ହେବାକୁ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ଏବଂ ତାଙ୍କ ଦଳ ବିଜେପିରୁ ସମର୍ଥନ ପ୍ରତ୍ୟାହାର କରିବ ବୋଲି ସୂଚନା ଦେଇଛନ୍ତି। ମେଘାଳୟରେ ଦୁଇଟି ଲୋକସଭା ଆସନ ଅଛି।

ଅନ୍ୟପକ୍ଷରେ ମଣିପୁରରେ ବିଜେପି ନେତୃତ୍ବାଧୀନ ସରକାରରେ ମଧ୍ୟ ଏନ୍‌ପିପିର ୪ ବିଧାୟକ ଅଛନ୍ତି। ତ୍ରିପୁରାରେ ବିଜେପି ନେତୃତ୍ବାଧୀନ ସରକାରରେ ଅଂଶବିଶେ‌ଷ ଥିବା ଆଇପିଏଫ୍‌ଟି (ଇଣ୍ଡିଜିନିୟସ୍‌ ପିପୁଲ୍ସ ଫ୍ରଣ୍ଟ୍‌ ଅଫ୍‌ ତ୍ରିପୁରା) ମଧ୍ୟ ଏହି ବିଲ୍‌କୁ ବିରୋଧ କରିଛି। ଏହି ରାଜ୍ୟର ମଧ୍ୟ ଦୁଇଟି ଲୋକସଭା ଆସନ ଅଛି। ମିଜୋରାମ୍‌ର ଶାସକ ଦଳ ମିଜୋ ନ୍ୟାସନାଲ୍‌ ଫ୍ରଣ୍ଟ୍‌ (ଏମ୍‌ଏନଏଫ୍‌) ନାଗରିକତା ସଂଶୋଧନ ବିଲ୍‌ ବିରୋଧରେ ସ୍ବର ଉତ୍ତୋଳନ କରିଛି ଏବଂ ମୁଖ୍ୟମନ୍ତ୍ରୀ ଜୋରାମଥାଙ୍ଗା ମଧ୍ୟ ଗତ ମଙ୍ଗଳବାର ଦିନ ରାଜ୍ୟରେ ବିଲ୍‌କୁ ବିରୋଧ କରି ହୋଇଥିବା ବନ୍ଦ ପାଳନକୁ ସମର୍ଥନ କରିଥିଲେ। ନାଗାଲାଣ୍ଡ୍‌ରେ ଏନ୍‌ଡିପିପି ନେତୃତ୍ବାଧୀନ ସରକାରରେ ବିଜେପି ଅଂଶବିଶେଷ ଥିବାବେଳେ ରାଜ୍ୟ କ୍ୟାବିନେଟ୍‌ ଦ୍ବାରା ଏହି ବିଲ୍‌କୁ ପୁନଃସମୀକ୍ଷା କରିବାପାଇଁ କେନ୍ଦ୍ରକୁ ଅନୁରୋଧ କରାଯାଇଥିଲା। ଅରୁଣାଚଳପ୍ରଦଶରେ ମଧ୍ୟ ଏକସଙ୍ଗେ ବିଧାନସଭା ଓ ଲୋକସଭା ନିର୍ବାଚନ ହେବ । ତେଣୁ ଏବେ ସଙ୍କଟରୁ ବର୍ତ୍ତିବା ପାଇଁ ବିଜେପି ନେତାମାନେ ଚିନ୍ତିତ ହୋଇପଡ଼ିଛନ୍ତି।
ଉଲ୍ଲେଖଯୋଗ୍ୟ ଲୋକସଭାରେ ଗୃହୀତ ହୋଇଥିବା ଏହି ବିଲ୍‌ ବାଂଲାଦେଶ, ପାକିସ୍ତାନ ଓ ଆଫଗାନିସ୍ତାନରୁ ଚାଲିଆସିଥିବା ଅଣମୁସ୍‌ଲିମ୍‌ ସମ୍ପ୍ରଦାୟ ଲୋକଙ୍କୁ ଭାରତୀୟ ନାଗରିକତା ପ୍ରଦାନ କରିବାରେ ସହାୟକ ହୋଇପାରିବ। ତେବେ ଏହି ବିଲ୍‌ ଦ୍ବାରା ଦେଶରେ ଅରାଜକତା ବଢ଼ିବାର ଭୟ ରହିଛି ଏବଂ ଏହା ଦେଶର କେତେକ ମୂଳ ସମ୍ପ୍ରଦାୟ ପ୍ରତି ବିପଦ ବଢ଼ାଇବ ବୋଲି ଅଭିଯୋଗ କରି ଏହାକୁ ପ୍ରବଳ ବିରୋଧ କରାଯାଇଛି।

ହ‌ିରେନ୍‌ ଗୋହେନ୍‌ଙ୍କ ବିରୋଧରେ ଦେଶଦ୍ରୋହ ମାମଲା
ଗୌହାଟି, : ନାଗରିକତା ସଂଶୋଧନ ବିଲ୍‌ ଲୋକସଭାରେ ଗୃହୀତ ହେବାକୁ ବିରୋଧ କରି ଏବେ ଆସାମରେ ଜୋର୍‌ଦାର ଆନ୍ଦୋଳନ ଚାଲିଛି। ଆଜି ଏହି ମାମଲାରେ ସାହିତ୍ୟ ଏକାଡେମୀ ପୁରସ୍କୃତ ସାହିତ୍ୟିକ ଡକ୍ଟର ହିରେନ୍‌ ଗୋ‌ହେନ୍‌, ବରିଷ୍ଠ ସାମ୍ବାଦିକ ମଞ୍ଜିତ ମହନ୍ତ ଏବଂ କେଏମ୍‌ଏସଏସ ନେତା ଅଖିଳ ଗୋଗଇଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ ହୋଇଛି। ହିରେନ୍‌, ମଞ୍ଜିତ ଏବଂ ଅଖିଳ ଗୋଗଇ ‘ନାଗରିକ ସମାଜ’ ନାମକ ଏକ ସାମାଜିକ ସଂଗଠନର କାର୍ଯ୍ୟକର୍ତ୍ତା ଅଛନ୍ତି। ନାଗରିକ ସମାଜ ବୈଠକରେ ‌ଏମାନେ ନାଗରିକତା ସଂଶୋଧନ ବିଲ୍‌କୁ ବିରୋଧ କରି ଦେଶବିରୋଧୀ ମନ୍ତବ୍ୟ ଦେଇଥିବାରୁ ଦେଶଦ୍ରୋହ ମାମଲା ରୁଜୁ ହୋଇଥିବା ପୁଲିସ କହିଛି। ତେବେ ଏଭଳି କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ଆନ୍ଦୋଳନକୁ ଆହୁରି ଜୋର୍‌ଦାର କରିବାକୁ ‘ନାଗରିକ ସମାଜ’ ଚେତାବନୀ ଦେଇଛି।

ସମ୍ବନ୍ଧିତ ଖବର